Unknown

 

 

 

 

 

 

 

 

 

 

କଠୋର ପ୍ରତିଶୋଧ

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ବୀରବର ବୈଦ୍ୟଭୂଷଣ ଉପର୍ଯ୍ୟୁପରି ଦୁଇଟି କନ୍ୟାଙ୍କୁ ଶ୍ୱଶୁରାଳୟକୁ ପ୍ରେରଣ କରି ଯେତେବେଳେ ଦୀର୍ଘନିଃଶ୍ୱାସ ଛାଡ଼ି ଟିକିଏ ଆରାମ ଉପଭୋଗର ଚେଷ୍ଟା କରୁଥିଲେ, ତେତେବେଳେ ତାଙ୍କର ମନ ତାଙ୍କୁ ସେ ସୁଖଟିକ ମଧ୍ୟ ଭୋଗ କରାଇଦେଲା ନାହିଁ । ମନ କହିଲା–‘‘ବିଭାଘରର ହିସାବପତ୍ର ଆଗେ ଦେଖ୍‌, ପଛେ ଆରାମ କରିବୁ ।’’ ବୈଦ୍ୟଭୂଷଣ ଚମକି ଉଠି ମନକୁ ତିରସ୍କାର କରି କହିଲେ–‘‘ତୋର ସ୍ୱଭାବଟା ଚିରକାଳ ଏହିପରି, ତାହା ଆଉ ସୁଦୁରିବ ନାହିଁ । ହାଡ଼ଭଙ୍ଗା ପରିଶ୍ରମ ପରେ ଟିକିଏ କାନ୍ଥକୁ ଆଉଜି ଥକା ମାରିବି କଅଣ, ମଝିରେ ତୁ ଆସି ଦାଉ ସାଧିଲୁ । ତୋର କି ବେଳକାଳ ନାହିଁ ? ଉଃ, ତୋତେ ନେଇ ଘର କରିବା ତ ସହଜ କଥା ନୁହେଁ ।’’ ଅନନ୍ତର ବୈଦ୍ୟଭୂଷଣ କନ୍ୟା ବିଭାଘରର ହିସାବ ଫର୍ଦ୍ଦ ଆଣି ଅଙ୍କ ମିଶାଇ ଗାଏ ଦେବାକୁ ଲାଗିଲେ । ଯୋଗଫଳ ଦେଖି ତାଙ୍କର ଚକ୍ଷୁ ସ୍ଥିର ହୋଇଗଲା । ସେ ମୂର୍ଚ୍ଛିତ ହୋଇ ପଡ଼ିଯାଇଥାନ୍ତେ; ମାତ୍ର ବୈଦ୍ୟ ହେତୁ ଭୟରେ ମୂର୍ଚ୍ଛା ତାଙ୍କପାଖ ପଶିବାକୁ ସାହାସୀ ହେଲା ନାହିଁ । ବୈଦ୍ୟ ରୋଗବୈରି, ସୁତରାଂ ରୋଗ ତାଙ୍କୁ ଡରିବା ସ୍ୱାଭାବିକ । ହିସାବ ଭୁଲ୍‌ ହୋଇଥିବ ଭାବି ବୈଦ୍ୟଭୂଷଣ ପୁଣି ଥରେ ମିଶାଇଲେ, ତହିଁ ପରେ ଆଉଥରେ ମିଶାଇଲେ; ମାତ୍ର ଭୁଲର ଗନ୍ଧବାସ କିଛି ମିଳିଲା ନାହିଁ । ହାୟରେ ଭୁଲ, ତୁ ସୁଦ୍ଧା ଶତ୍ରୁତା କଲୁ । ତୋତେ ନ ଡାକିଲେ ତୁ ବଳେବଳେ ଆସୁ, ଆଉ ଦରକାର ବେଳେ ଖୋଜିଲେ ତୋର ଦର୍ଶନ ମିଳେ ନାହିଁ । ଥରେ ଆସି ମିଶାଣ ସଂଖ୍ୟା ଊଣା କରିଦେ, ତୋର ଧର୍ମ ହେବ, ନହେଲେ ବୈଦ୍ୟଭୂଷଣେ ଯେ ଧୈର୍ଯ୍ୟ ରକ୍ଷାକରିପାରବେ ନାହିଁ । ମିଶାଣ କରି କରି ତାଙ୍କର ହଂସା ଉଡ଼ିଗଲାଣି, ତୋର କି ଟିକିଏ ଦୟା ମାୟା ନାହିଁ । ଔଷଧର ମୂଲ୍ୟ ହିସାବ କରିବା ସମୟରେ ପଇସାଏ ଦୁଇ ପଇସା ଊଣା ହେଲେ ଭୁଲ ସକାଶେ ସେ ଅନୁତାପ କରନ୍ତି–ନିଜର ଗଣିତ ଜ୍ଞାନପ୍ରତି କ୍ରୁଦ୍ଧ ହୋଇଉଠନ୍ତି ସତ୍ୟ; ମାତ୍ର ବର୍ତ୍ତମାନ ଭୁଲ ହେଲେ ସେ ଆନନ୍ଦିତ ହୁଅନ୍ତେ ।

ଅନେକଥର ମିଶାଇ ମଧ୍ୟ ଭୁଲ ବାହାର ନ ହେବାରୁ ବୈଦ୍ୟଭୂଷଣେ ବିରକ୍ତ ହୋଇଉଠିଲେ । ବିବାହ ଖର୍ଚ୍ଚର ତାଲିକା ଖଣ୍ଡେ ଦୂରକୁ ଫିଙ୍ଗିଦେଇ ତାହା ପ୍ରତି ତୀବ୍ର ତିରସ୍କାର ଦୃଷ୍ଟିରେ ଚାହିଁ ରହିଲେ । କିଛିକ୍ଷଣ ପରେ ଗୋଟାଏ ବେଦନାଭରା ଦୀର୍ଘ ନିଃଶ୍ୱାସ ପକାଇ ମନେ ମନେ କହିଲେ– ଓଃ, କି ଜଞ୍ଜାଳ, କନ୍ୟାଦାୟଠାରୁ ବଳି ବିପଦ ନାହିଁ । ବିଧାତା ଶତ୍ରୁକୁ ସୁଦ୍ଧା ଏ ବିପଦ ନ ଦେଉ । ବୋଧହୁଏ ବିଧିରୋଷ କିମ୍ବା ଅଦୃଷ୍ଟର ଅଭିଶାପ କନ୍ୟାରୂପ ଧରି ତଣ୍ଡେଇବାକୁ ଆସେ । ଏ କାଳରେ କନ୍ୟାର ପିତା ହେବା ମହାପାପ । ଝିଅଲାଗି ବିଧାତା ପାଖରେ ତ କେହି ଦରଖାସ୍ତ କରେ ନାହିଁ; ତେବେ ସେ କାହିଁକି କାହା କପାଳରେ ଝିଅ ଲେଖେ ? ବୋଧହୁଏ ବିଧାତାର ଝିଅ ନାହିଁ; ନଚେତ୍‌ କନ୍ୟା ଯେ କିପରି ନିଆଁ ତାହା ସେ ଜାଣିଥାନ୍ତା । ଏଣିକି ଦିନକୁ ଦିନ କଅଣ ହେବାକୁ ବସିଲା, ଏ ପୁଣି ଗୋଟାଏ କି ସୃଷ୍ଟି ଛଡ଼ା ଧାରା । ଆମ ଅମଳରେ ଏ ସବୁ ନଥିଲା, ଖୁବ୍‌ ବଡ଼ଘରର ଝିଅ ଝିଆଣିଏ ଘୋଡ଼ା, ପାଲିଙ୍କି ଯୌତୁକ ନେଉଥିଲେ । ଆଉ ଏ କାଳରେ ? ଉଃ ଆଖିରୁ ତରା ଖସି ପଡ଼ୁଛି । ଯେ ଦି ଅକ୍ଷର ଇଂରାଜୀ ପଢ଼ିଲା, ସେ ଖୋଜିଲା–ସୁନା ଘଡି, ସୁନା ଚଷମା, ସୁନା ଶିକୁଳୀ, ଶୂନ ଗାଡ଼ି, ଆଉ ଆଜିକାଲି ଗୋଟାଏ ବାହାରିଛି ମୋଟରକାର । କାଳ ଯେପରି ହେଲାଣି ଏଣିକି ଜୁଇଁ ମହାପ୍ରଭୁମାନେ ରେଲଗାଡ଼ି, ଜାହାଜ ଯୌତୁକ ନ ପାଇଲେ ବିବାହ କରିବେ ନାହିଁ ବୋଲି ଅଡ଼ିବସିବେ । ବର ଆଉ ବରବାପ ଲେଖାରେ ତ ମୋଟରକାର ଗୁଡ଼ାକ ଭାରି ଶସ୍ତା, ଯେପରି ଟଙ୍କାକୁ ଛ ପୁଞ୍ଜା । ଉଃ ସେ ଗୁଡ଼ାକର ପୁଣି କି ଦାମ–ଦଶ ହଜାର, ପନ୍ଦର ହଜାର; ଖଣ୍ଡେ ଖଣ୍ଡେ ଜମିଦାରୀ ଆଉ କଅଣ । ଝିଅ ଗୋଟିଏ ବିଦାୟ କଲେ ତାକୁ ଗୋଟାଏ ଘରକରଣା ଦେବ, ତାହା ଉପରେ ଏ ଗୁଡ଼ାକ ରୋଗର ଉପସର୍ଗ । ଅଳଙ୍କାରର କଥା ବା କିଏ ପଚାରେ । କଂସା, ପିତଳ ତ ନୁହେଁ, ରୂପାଗୁଡ଼ାକ ମଧ୍ୟ ଏଣିକି ଗନ୍ଧାଇଲାଣି । ସୁନା, ହୀରା, ମୋତି, ମାଣିକ୍ୟରେ ଝଲମଲ ନ ହେଲେ ହେବ ନାହିଁ । ସେଥିରେ ପୁଣି କେତେ ରୁଷା, ବେଉଷା, ମାନ, ଅଭିମାନ, ହତମାନ, ଅପମାନ, କନ୍ୟାପିତାରୂପ ନିରୀହ ଜୀବକୁ ସହିବାକୁ ହୁଏ; ତଥାପି ବରପକ୍ଷର ସନ୍ତୋଷ ନାହିଁ । କନ୍ୟା ପିତା ଘର ଡିହର ମାଟିଯାକ ଖୋଳି ବହିନେଲେ ମଧ୍ୟ ବୋଧହୁଏ ସେମାନଙ୍କର ଦୁର୍ବାର ଦୁର୍ଲାଳସା ତୃପ୍ତ ହେବ ନାହିଁ । ଶୋଷଣପଟୁ ବ୍ଲଟିଂ କାଗଜ କେବଳ ଶୋଷଣହିଁ କରିବ । ଇଂରାଜୀ ପାଠୁଆଙ୍କର ତ କଥାହିଁ, ନାହିଁ, ଯେ ଇଂରାଜୀ ସୁଙ୍ଗି ନାହାନ୍ତି ତାଙ୍କର ପୁଣି ଚାତର କେତେ । ଯେତେ ଦେଲେ ମଧ୍ୟ ତାଙ୍କର ବିଶ୍ୱଗ୍ରାସୀ ଝୁଲି ଖଣ୍ଡକ ପୂରେ ନାହିଁ-। ଝାଡ଼ିଝୁଡ଼ି ଘରେ କଳାକନା ବୁଲାଇ ଦେଇ ସବୁ ନେଇଯିବାକୁ ସେମାନଙ୍କର ଇଚ୍ଛା । ଡକାଏତ ଆଉ କାହାକୁ କହନ୍ତି । ଡକାଏତ ଦଳ ଗୋପନରେ ଆସନ୍ତି, ଆଉ ଏମାନେ ଦିନ ଦି’ପହରେ ବାଜା ବଜାଇ ଆସି ଲୁଟ୍‌ପାଟ କରନ୍ତି । ସହଜ ଭାଷାରେ କହିଲେ ଏମାନେ ଭଦ୍ର ଖଣ୍ଟ, ଉତ୍ପାତ କରନ୍ତି ନାହିଁ ଯାହା ପାଆନ୍ତି ତାହା ବହିନେଇ ଚାଲିଯାଆନ୍ତି । ଏଟା ହେଲା ସେମାନଙ୍କର ସମାଜଗତ ବା ଜାତି ଗତ ବୈଶିଷ୍ଟ୍ୟ ।

‘‘କି ବୈଦ୍ୟଭୂଷଣେ, କଅଣ ହେଉଛି ?’’ ବୈଦ୍ୟଭୂଷଣଙ୍କର ଚିନ୍ତା-ସୂତ୍ର ସହସା ଛିନ୍ନ ହୋଇଗଲା, ସେ ଆଗକୁ ଚାହିଁ ଦେଇ ଅପ୍ରସନ୍ନ ମୁଖକୁ ବଳାତ୍କାରରେ ପ୍ରସନ୍ନ ଭାବ ଟାଣିଆଣି କହିଲେ–‘‘କି ଏ, ପୁରୋହିତ ଆପଣେ ? ଆସ ଆସ ଦଣ୍ଡବତ ।’’ ଆଗନ୍ତୁକ ଅଞ୍ଜଳିବିସ୍ତାର ପୂର୍ବକ ନିମ୍ନୋକ୍ତ ଆଶୀର୍ବାଦ ଶ୍ଳୋକ ପାଠକରି ଯଥାସ୍ଥାନରେ ଉପବେଶନ କଲେ ।

ବିରାଜରାଜପୁତ୍ରାରେର୍ଯନ୍ମାମ ଚତୁରକ୍ଷରଂ

ପୂର୍ବାର୍ଦ୍ଧଂ ତବ ଶତ୍ରୁଣାଂ ପରାର୍ଦ୍ଧଂ ତବ ବେଶ୍ମନି ।

ବୈଦ୍ୟଭୂଷଣ ପୁରୋହିତଙ୍କ ମୁଖକୁ ଚାହିଁରହି ମୃଦୁ ହାସ୍ୟରେ କହିଲେ–‘‘ବାଃ, ଆଚ୍ଛା ଶ୍ଳୋକଟିଏ ତ, ଅର୍ଥ କଅଣ କହିଲ ? ପୁରୋହିତ ଟିପେ ନାସର ସଦ୍‌ବ୍ୟବହାର କରି ଗମ୍ଭୀର ହୋଇ କହିଲେ–‘‘ଶ୍ଳୋକଟିର ଅର୍ଥ ଏହି ଯେ-ପକ୍ଷିରାଜ ଗରୁଡୋପରି ବିରାଜିତ ଯେ ଶ୍ରୀକୃଷ୍ଣ, ତାଙ୍କ ପୁତ୍ର କନ୍ଦର୍ପର ଶତ୍ରୁ ମହାଦେବଙ୍କର ଚାରି ଅକ୍ଷର ବିଶିଷ୍ଟ ନାମ ମୃତ୍ୟୁଞ୍ଜୟ, ସେହି ନାମରେ ପୂର୍ବାର୍ଦ୍ଧ ଅର୍ଥାତ୍‌ ମୃତ୍ୟୁ ତୁମ୍ଭ ଶତ୍ରୁଘରେ ଥାଉ, ଆଉ ପରାର୍ଦ୍ଧ ଅର୍ଥାତ୍‌ ଜୟ ତୁମ୍ଭ ଗୃହରେ ବିରାଜମାନ କରୁ ।

ବୈଦ୍ୟଭୂଷଣ ଦନ୍ତବିକାଶ ପୂର୍ବକ, ହସି ଉଠିଲେ । ଏବଂ ଉଲ୍ଲାସମିଶା ସ୍ୱରରେ କହିଲେ–‘‘ଖାସା ଶ୍ଳୋକ ହେ, କିଏ କରିଛି ? ତୁମେ ନା ? ବଡ଼ ଖଞ୍ଜରେ ବାନ୍ଧିଛ ।’’ ଏତିକି ମାତ୍ର କହି ଆଉ କିଛି କହିବା ପୂର୍ବରୁ ପୁରୋହିତେ ଜିହ୍ୱା ଦଂଶନ କରି କହିଲେ–‘‘ଏ ଯେ, ବାମନର ଚନ୍ଦ୍ର ଧରିବା କଥା ହେଲା ବୈଦ୍ୟଭୂଷଣେ ! ମୁଁ ପୁଣି ଏଭଳି ଶ୍ଳୋକ ରଚନା କରିବାର ଉପଯୁକ୍ତ ! ଏ ଶ୍ଳୋକର ରଚକ ଅଗାଧ ବୁଦ୍ଧିମାନ୍‌ ଏବଂ ଗଭୀର ଚିନ୍ତାଶୀଳ କୌଣସି ମହାତ୍ମା ହେବେ । ତାଙ୍କର ଏହିପରି ଅନେକ ଶ୍ଳୋକ ଅଛି; ମାତ୍ର ତାଙ୍କର ନାମ ଧାମ କେହି ଜାଣେ ନାହିଁ । ମହାଜନମାନେ ନାମ ପ୍ରୟାସୀ ହୁଅନ୍ତି ନାହିଁ, ସେମାନେ କର୍ମ ଭୂମିରେ କର୍ମ କରିଯାଆନ୍ତି; ମାତ୍ର କର୍ମ ସଙ୍ଗରେ ନିଜ ନାମ ଗୁନ୍ଥି ରଖିବା ଆବଶ୍ୟକ ମଣନ୍ତିନାହିଁ । ତୁମେ ଅନ୍ୟର ପ୍ରାପ୍ୟ ମୋ ମୁଣ୍ଡରେ ଲଦିଦେଇ ମହାପୁରୁଷ-ପ୍ରତିଭାକୁ ଖର୍ବ କରନାହିଁ । କାଳ ହୋଇ ମୟୂର ପୁଚ୍ଛ ଗୁଞ୍ଜି ହେବାକୁ ମୋର ଆଦୌ ଇଚ୍ଛା ନୁହେଁ ଭାଇ ।’’

ବୈଦ୍ୟ–ଏଭଳି ଆଉ ଗୋଟିଏ ଶ୍ଳୋକ ବୋଲ ?

ପୁରୋ–ଆଉ ଗୋଟିଏ ବୋଲିବି ? ପିଲାବେଳେ କେତେଟା ଆଳିମାଳିକା ପାଚିଆରେ ପକାଇ ଦେଇଥିଲି, ମିଳିବ କି, ହେତୁ କରି ଦେଖେଁ ।

ବୈଦ୍ୟ–ଶ୍ଳୋକଗୁଡ଼ାକ ଆଳିମାଳିକାରେ ରଖିଛ, ଶବ୍ଦଗୁଡ଼ାକ ଆଳିମାଳିକାରେ କିମିତି ସାଇତି ରଖିଛ ହେ ? ତୁମେ ତ ଆଚ୍ଛା ବାଜିକର ।

ପୁରୋ–ମନ ଯେ ଗୋଟାଏ ପ୍ରକାଣ୍ଡ ଆଳିମାଳିକା ପାଚିଆ, ଏହା କଣ ତୁମେ ଜାଣନାହିଁ । ଆଳିମାଳିକା ପାଚିଆପରି ସେଥିରେ ଯାହା ଖୋଜିବ ତାହା ଅଛି । ଦ୍ୱେଷ, ହିଂସା, କ୍ରୋଧ, ଲୋଭ, କୂଟ-ବୁଦ୍ଧି, ସାଧୁତା, ପରୋପକାର, ଅଭିମାନ, କ୍ଷୋଭ, ଦମ୍ଭ ପ୍ରଭୃତି ଯାହା ଖୋଜିବ ତାହା ମନଭିତରେ ପାଇବ । ଏହା ଛଡ଼ା ଢେର ପୁରୁଣା କଥା ବି ମନ-ଆଳିମାଳିକାରେ ପଡ଼ିଥାଏ କେତେ କାଳରୁ କେତେ ଚିଜ ମନ-ଆଳିମାଳିକାରେ ସଞ୍ଚିତ ଥାଏ । ସେଥିରେ କଳନା ନାହିଁ । ମନ ଯେ ଅନନ୍ତଗର୍ଭ ।

ବୈଦ୍ୟ–ହେଉ, ସେ ଅନନ୍ତଗର୍ଭରୁ ଅଣ୍ଡାଳି ଉଣ୍ଡୁଳି ଗୋଟାଏ କିଛି ବାହାର କର ।

ପୁରୋ–ଶୁଣିବାକୁ ଯଦି ତୁମର ଏତେ ଶରଧା, ତେବେ ଶୁଣ–

‘ହତୋହନୁମତା ରାମଃ ସୀତାହର୍ଷମୁପାଗତା,

ଋଦନ୍ତି ରାକ୍ଷସାଃ ସର୍ବେ ହାହା ରାମୋ ହାତୋହତଃ’

ଶୁଣିଲ ? ମନ ବୋଧ ବୋଧ ହେଲା ? ଅର୍ଥ ବୁଝିପାରିଲ ନା କାଲ ଆଗରେ ମୂଳା ଚୋବାଇଲା ପରି ରାଉଁ ରାଉଁ ଶବ୍ଦ ଖାଲି ଶୁଣିଲ ?

ବୈଦ୍ୟ–ଅର୍ଥ ଆଉ ମୁଣ୍ଡ ଗଣ୍ଡି ବୁଝିବି, ଏକି ଓଲଟା କଥା । ହନୁମାନ୍‌ ରାମଙ୍କୁ ମାରିଲା, ସୀତା ସେଥିରେ ଆନନ୍ଦିତା ହେଲେ, ପୁଣି ଅସୁର ଗୁଡ଼ାକ କାନ୍ଦିଲେ । ଆହା ଅସୁରଗୁଡ଼ାକର ରାମଙ୍କ ପ୍ରତି କି ଆସୁରିକ ମହା ଦୟା ।

ପୁରୋ–ନାହିଁ ହେ, ତାହାର ଅର୍ଥ ତୁମ ବୁଝିଲା ପରି ନୁହେଁ । ପ୍ରକୃତ ଅର୍ଥ ଏହି ଯେ, ‘‘ହନୁମାନ୍‌ ଲଙ୍କାକୁ ଯାଇ ଆରାମ ଯେ ଉପବନ ତାକୁ ଭାଙ୍ଗିଲା, ତହୁଁ ସୀତାଙ୍କର ହର୍ଷ ଉପଗତ ହେଲା, ଆଉ ଉପବନ ରକ୍ଷକ ରାକ୍ଷସମାନେ ହାୟ ଉପବନ ନଷ୍ଟ ହେଲା ନଷ୍ଟ ହେଲା ବୋଲି କାନ୍ଦିବାକୁ ଲାଗିଲେ ।’’ ଏହିପରି ଅନେକ ଶ୍ଳୋକ ଅଛି, ସେଗୁଡ଼ିକ ସାହିତ୍ୟର ସୂକ୍ଷ୍ମ ସୁନ୍ଦର କଳା-କୌଶଳରେ ପୂର୍ଣ୍ଣ, ଏହାକୁ ତୁମେ ମୋର ବୋଲି ମନେକରନାହିଁ, ଏଥିର ରଚକ ଯେ ହେଉନ୍ତୁ, ମୁଁ ବା କି ଛାର, ମୋ ଗୁରୁଦେବ ମଧ୍ୟ ତାଙ୍କ ପଦତଳେ ବସିବାର ଯୋଗ୍ୟ ନୁହନ୍ତି ।

ବୈଦ୍ୟ–ତମ କଥାଶୁଣିଲେ ମନକୁ ଦୁଃଖ ହରିଯାଏ–ମନଟା ଖୁବ୍ ଖୁସିହୁଏ । କାହିଁ ଆଉତ ଏ ଆଡ଼କୁ ଆସୁନାହଁ, ବସନ୍ତେ–କଥାବାର୍ତ୍ତା ହୁଅନ୍ତେ-ସଂସାରରୁ ଆଉ କିଏ କଅଣ ବହିନେଇ ଯିବ ଭାଇ, କଥା ଏକା ସାର । ଭାଗବତରେ କହିଛନ୍ତି ପରା–‘‘ସଂସାରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ ।’’ କିଏ କାହାର ଭାଇ, ଆଖି ବୁଜିଲେ ସବୁ ଶେଷ ।

ପୁରୋ–ଆସିବି ନାହିଁ କାହିଁକି, ତୁମେ ତ ବିଭାଘର କାର୍ଯ୍ୟରେ ବ୍ୟସ୍ତ ଥିଲ, ସେ ଝିଞ୍ଜଟ ଛିଡ଼ିଗଲା ଏଣିକି ଆସିବି । ଯାହାହେଉ କାମଟି ସୁରୁଖୁରୁରେ ହୋଇଗଲା । ବଡ଼ ସନ୍ତୋଷର କଥା-। ଦାନ ଯୌତୁକ ବି ତ ଖୁବ୍‌ ଦେଇଛ, ଗାଁ ସାରା ଗୋଟାଏ ପ୍ରଶଂସାର ଢେଉ ଖେଳୁଛି । ଆଚ୍ଛା, ଭୂଷଣେ, ବିଭାଘରରେ ସବୁ କେତେଖର୍ଚ୍ଚ ହେଲା ?

ବୈଦ୍ୟ–ସେ ପ୍ରଶଂସାମୁହଁରେ ନିଆଁ, ଆଉ ଝିଅ ଜନ୍ମ ମୁହଁରେ ନିଆଁ । ଖର୍ଚ୍ଚ କଥା ପରା ପଚାରୁଛ, କହନା କହନା ଭାଇ, ମୁଁ ଏକାବେଳକେ ସରିଗଲି । ଅନ୍ଧାରରେ ଥିବା ଖୁବ୍‌ ଭଲ–‘‘ନୋ-ଧୋ’’ ନାହିଁ, ଆଉ ପଦାକୁ ବାହାରିଲେ ସବୁ ଆପଦ । ଏହି ଧକ୍‌କାରେ ମୋର କଙ୍କାଳ ଭାଙ୍ଗି ଗଲା, ଆଉ ଯେ ଉଠିବ ସେ ଆଶା ନାହିଁ । ତୁମ୍ଭେ ଆସିବାବେଳେ ମୁଁ ଖର୍ଚ୍ଚ ହିସାବ କରୁଥିଲି । ହିସାବ ଫର୍ଦ୍ଦ ମଧ୍ୟ ଏଇଠି ପଡ଼ିଛି ଦେଖ । ସର୍ବମୋଟ ଖର୍ଚ୍ଚହେଲା । ସାତ ହଜାର ଦୁଇଶ ପନ୍ଦର ଟଙ୍କା ତେରଅଣା ଦେଢ଼ ପଇସା । ଏହା ଛଡ଼ା ତାଙ୍କ ମା ଗହଣାପତ୍ର ଏଣୁତେଣୁ କେତେ କଅଣ ଦେଇଛନ୍ତି’ ତା ସେ ଜାଣନ୍ତି । ଖର୍ଚ୍ଚ କଥା ମନରେ କଲେ ଦେହରୁ ଚାଏଁ ପରି ଝଳକେ ଝଳକେ ରକ୍ତ ଶୁଖିଯାଉଛି ।

ପୁରୋ–କିନ୍ତୁ ଉପଯୁକ୍ତ ଜୁଇଁ ଦୁଇଟି ଏକା ପାଇଲ । ଝିଅଟିମାନେ ସୁଖରେ ରହିବେ ।

ବୈଦ୍ୟ–ହଁ ଉପଯୁକ୍ତ ବୋଲି ନିଲାମରେ ଦର ବଢ଼ିଲା ପରା । ଝିଅ ସୃଷ୍ଟି ସଂସାରରୁ ଉଠି ଯାଆନ୍ତା କି, ଏ ଲୋଭୀଗୁଡ଼ାକର ଗାରିମା ଭଙ୍ଗନ୍ତା ।

ପୁରୋ–ଆଚ୍ଛା କହିଲ ବୈଦ୍ୟଭୂଷଣେ, ହସାଇଲ ଯେ, ଝିଅ ସୃଷ୍ଟି ଉଠିଗଲେ ପୁଅ ସୃଷ୍ଟି କାହୁଁ ଆସିବ ? ଏକା ବେଳକେ ନର ସୃଷ୍ଟି ବୁଡ଼ିଯିବ ଯେ ।

ବୈଦ୍ୟ–କି କାହିଁକି ବୁଡ଼ିଯିବ ? ଏଡ଼େ ବଡ଼ ସଂସାରଟାକୁ ଯେ କୌଶଳରେ ସୃଷ୍ଟି କରିଛି ସେହି ଅପୂର୍ବ କୌଶଳୀ ନବ ହୁନ୍ଦରିଆ ବିଧାତା କି ଆଉ କିଛି ବାଗରେ ମଣିଷ ଗଢ଼ି ପାରିବ ନାହିଁ ?

ପୁରୋ–ତୁମ୍ଭେ ବିଧାତାର ମନ୍ତ୍ରୀ ହେଲେ ଢେର ଫିକର ବଢ଼ାଇ ପାରନ୍ତ । ଗଛରେ ମଣିଷ ଫଳନ୍ତେ ନ ହେଲେ ମାଟି ଭିତରୁ ବାହାରନ୍ତେ । ତେତେବେଳେ ତୁମ ସ୍ଥୂଳବୁଦ୍ଧିକୁ କୁକୁର ଶିଆଳ ମଧ୍ୟ ପ୍ରଶଂସା କରନ୍ତେ । ଆଚ୍ଛା କହିଲ ଭଲା–ପୁଅମାନେ ସର୍ବସ୍ୱ ଖାଇବେ, ଆଉ ଝିଅ ଥରେ ନେଲେ ଦେହ ସହିବ ନାହିଁ, ଝିଅ ଗୁଡ଼ାକର ଅପରାଧ କଅଣ ।

ବୈଦ୍ୟ–ଅପରାଧ, ଝିଅଙ୍କର ଅପରାଧ ଏହି ଯେ–ସେ ଗୁଡ଼ାକ ଝିଅ । ବାପଘରୁ ଖୁବ୍‌ ଦୁହିଁ ଜାଣନ୍ତି ବୋଲି ସେମାନଙ୍କର ନାମ ଦୁହିତା । ସେମାନେ ପୁଅ କାହିଁକି ନ ହେଲେ ଏହା ସେମାନଙ୍କର ଦ୍ୱିତୀୟ ଅପରାଧ ।

ପୁରୋ–ଆଉ ତୁମପରି ବାପ ପାଇବା ତୃତୀୟ ଅପରାଧ ।

ଏହିପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଅଛି, ଏହି ସମୟରେ ଜଣେ ରୋଗୀର ଆତ୍ମୀୟ ଛୂତ ଘେନି ଆସି ଉପସ୍ଥିତ ହେଲା । ବୈଦ୍ୟଭୂଷଣେ ଚଳୁଥିବା ପ୍ରସଙ୍ଗରୁ ନିବୃତ୍ତ ହୋଇ ଶ୍ୟେନଦୃଷ୍ଟିରେ ତାହାଆଡ଼କୁ ଅନାଇ ରହିଲେ । ଆଗନ୍ତୁକ ଟଙ୍କାଟିଏ ଆଣି ତାଙ୍କ’ ଆଗରେ ଥୋଇଦେଇ ମନ ପରୀକ୍ଷା ସକାଶେ ପ୍ରାର୍ଥନା କଲା । ତହୁଁ ବୈଦ୍ୟଭୂଷଣେ ବିରାଡ଼ି ମାଛ ଝାମ୍ପିନେଲାପରି ଟଙ୍କାଟି ଉଠାଇ ନେଇ ଯତ୍ନପୂର୍ବକ ଅଣ୍ଟିରେ ଖୋସି ଛୂତ ଦେଖିବାକୁ ବାହାରିଲେ । ପୁରୋହିତେ ଉଠି ଅନ୍ୟତ୍ର ପ୍ରସ୍ଥାନ କଲେ ।

•••

 

ଦ୍ୱିତୀୟ ପରିଚ୍ଛେଦ

 

କଦମ୍ବଗଡ଼ର ରାଜବୈଦ୍ୟ ବୀରବର ବୈଦ୍ୟଭୂଷଣ ଜଣେ ଗୃହସ୍ଥ । ସାତପୁରୁଷହେଲା ତାଙ୍କ ଘରେ ବୈଦ୍ୟବୃତ୍ତି ଚଳି ଆସୁଅଛି । ତାଙ୍କର ପୂର୍ବପୁରୁଷମାନେ ଏହି ବ୍ୟବସାୟରେ ପ୍ରଚୁର ଅର୍ଥ ଉପାର୍ଜ୍ଜନ କରିଯାଇଅଛନ୍ତି । ଲୋକେ କହନ୍ତି–ତାଙ୍କ ଘରେ ପାଞ୍ଚଗରା ସୁନା ମୋହର ପୋତା ଅଛି । ଅବଶ୍ୟ ଏହା କେହି ସ୍ୱଚକ୍ଷୁରେ ଦେଖିନାହିଁ; ମାତ୍ର କଥାଟା ଖାଣ୍ଟି ମିଛ ନୁହେଁ । ସେ ଜାତିରେ ଡଗରା, ଏ ଜାତି ଓଡ଼ିଶାର ଅନେକ ସ୍ଥାନରେ ଅଛନ୍ତି, ଏହି ଜାତିର ଲୋକେ ରାଜାଙ୍କର ଡ଼ଗର ଥିଲେବୋଲି ଜାତିର ନାମ ଡଗରା ହୋଇଅଛି । ଦୈତ୍ୟ ଏମାନଙ୍କର ପ୍ରଧାନ ବ୍ୟବସାୟ ଥିଲା । ଏମାନେ କରଣ ଖଣ୍ଡାଏତମାନଙ୍କ ପରି ଭଦ୍ର ଏବଂ ଆଡ଼ମ୍ବରପ୍ରିୟ । ବୀରବର ବୈଦ୍ୟଭୂଷଣଙ୍କ ସହିତ ବୀରତ୍ୱର କୌଣସି ସମ୍ପର୍କ ନଥିଲେ ସୁଦ୍ଧା ସେ ବୀରବର । କିନ୍ତୁ ଏହା ନୂଆ କଥା ନୁହେଁ, ଏହିପରି ଦୃଷ୍ଟାନ୍ତ ଅନେକ ମିଳିପାରିବ । ଅଙ୍ଗାରକୃଷ୍ଣବର୍ଣ୍ଣ ଲୋକର ନାମ ଗୌରଚନ୍ଦ୍ର ହୁଏ । ବିଡ଼ାଳାକ୍ଷର ନାମ କମଳଲୋଚନ ହୁଏ । ବଳିଷ୍ଠ ବୀରପୁରୁଷର ନାମ ଚେମା ଶୁକୁଟା ବି ହୁଏ । ବୈଦ୍ୟଭୂଷଣେ ଯେ ଏକାବେଳକେ ବୀରତ୍ୱ ଶୂନ୍ୟ, ତାହା ନୁହେ । ବାକ୍ୟରେ ସେ ଯଥେଷ୍ଟ ବୀରତ୍ୱ ପ୍ରକାଶ କରିପାରନ୍ତି । କଥାରେ ତାଙ୍କୁ ଜିଣିବା ସହଜ ନୁହେଁ । ତାଙ୍କର ପିତା ‘‘ଶତମାରୀ ଭବେତ୍‌ ବୈଦ୍ୟ’’ ବୋଲି ବୈଦ୍ୟର ଲକ୍ଷଣ ନିର୍ଦ୍ଦେଶ କରନ୍ତି । ସେହି ଲକ୍ଷଣର ସେ ନିଜେ ମଧ୍ୟ ଅଧିକାରୀ ଥିଲେ । ତାଙ୍କର ନାମ ନକୁଳ ବୈଦ୍ୟରତ୍ନ । ଲୋକେ କହନ୍ତି–ନକୁଳ ବୈଦ୍ୟର ଔଷଧ ଖାଇଲେ ମୃତ୍ୟୁ ସକାଶେ ଆଉ ଚିନ୍ତା କରିବାକୁ ହୁଏନାହିଁ, ଲୋକଟି ବଡ଼ ଦୟାଳୁ, ସେ କାହାରି ରୋଗ ଯନ୍ତ୍ରଣା ସହିପାରନ୍ତି ନାହିଁ; ସୁତରାଂ ଯଥାଶୀଘ୍ର ରୋଗୀର ଭବ ଯନ୍ତ୍ରଣା ଶେଷ କରିଦେଇ ତାକୁ ନିରୋଗ କରିଦିଅନ୍ତି । କିନ୍ତୁ ବୀରବର ବୈଦ୍ୟଭୂଷଣେ ପିତାଙ୍କ ପରି ବିଚକ୍ଷଣ ନୁହନ୍ତି । ତେଣୁ ପିତୃଗୁଣର ସମ୍ୟକ୍‌ ଅଧିକାରୀ ହୋଇପାରିନାହାନ୍ତି । କେତେଖଣ୍ଡ ନିଦାନ ପଢ଼ି ଯଥାଶକ୍ତି ଚିକିତ୍ସା କରନ୍ତି; ତଥାପି ତାଙ୍କର ପ୍ରତିଷ୍ଠା ଊଣା ନୁହେଁ । ସମସ୍ତେ ତାଙ୍କୁ ଅମୃତହସ୍ତା ବୋଲି କହନ୍ତି । ଆଡ଼େ ଦୀର୍ଘେ ଦଶକ୍ରୋଶ ମଧ୍ୟରେ ତାଙ୍କର ନାମ ଡାକ । ତାଙ୍କର ମୂଳ ନାମ ଥିଲା, ବୀର ବୈଦ୍ୟ; ମାତ୍ର ସେ ଚିକିତ୍ସାବିଦ୍ୟାରେ ଅସାଧାରଣ ପାରଦର୍ଶିତା ଦେଖାଇ ରାଜଦ୍ୱାରରୁ ଉପାଧିଲାଭ କରିଅଛନ୍ତି । ଦିନେ ଅଧିକ ପଣସ ଖାଇବାରୁ ରାଜକୁମାରଙ୍କର ପେଟ କାମୁଡ଼ି ଧରିଥିଲା । ବୀରବୈଦ୍ୟ ଗୋଟାଏ ପାକଲା କଦଳୀରେ ରାଜକୁମାରଙ୍କର ତେଡ଼େବଡ଼ କଠିନ ରୋଗକୁ ଦିନକ ମଧ୍ୟରେ ଭଲକରିଦେଇ ଶ୍ରୀମହାରାଜାଙ୍କ ଶ୍ରୀଛାମୁରୁ ସୁବର୍ଣ୍ଣ ବଳୟ ପଟ୍ଟ ବସ୍ତ୍ର ସହ ‘‘ବୈଦ୍ୟଭୂଷଣ’’ ଉପାଧି ପ୍ରାପ୍ତ ହୋଇଥିଲେ । ସେ ଦିନ ପରମା ଭଣ୍ଡାରୀ ପେଟରେ ବୈଦ୍ୟଭୂଷଣଙ୍କର ପ୍ରଶଂସା ଆଉ ଧରିଲାନାହିଁ ସେ ଗଡ଼ସାରା କହି ବୁଲିଲା–‘‘ଆଃ, ବୈଦ୍ୟ ନୁହେଁ ଯେ, ସାକ୍ଷାତ୍‌ ଧନ୍ୱନ୍ତରି । ଶ୍ରୀପାଟଦେଉଙ୍କ ଶ୍ରୀପେଟ କାମୁଡ଼ି ଧରିଥିଲା, ବୈଦ୍ୟଭୂଷଣେ ଏକା ପାନକେ ତେଡ଼େ ରାଜବ୍ୟାଧିକୁ କୁଆଡ଼େ ଉଡ଼େଇ ଦେଲେ, ଧନ୍ୟ ତାଙ୍କର ହାତ ।’’ ସେହି ଦିନୁ ବାରବୈଦ୍ୟ ବୀରବର ବୈଦ୍ୟଭୂଷଣ ହେଲେ । ତାଙ୍କ ନାମର ଗୋଟାଏ ରାଜସଂସ୍କରଣ ହୋଇଗଲା । ଆଉ ତାଙ୍କୁ ନାମ ଧରି ଡାକିବାକୁ କେହି ସାହସୀ ହୁଅନ୍ତି ନାହିଁ, ନାମ ଛାଡ଼ି କେବଳ ପଦ ଧରି ‘‘ବୈଦ୍ୟଭୂଷଣେ’’ ବୋଲି ଡାକନ୍ତି, କେହିବା ଆହୁରି ସଂକ୍ଷେପ କରି କେବଳ ‘‘ଭୂଷଣେ’’ ବୋଲି ଡାକନ୍ତି । ରାଜାନୁଗ୍ରହ ଲାଭକଲେ ଅନେକ ଉଶ୍ୱାସ ଲୋକ ନିଜକୁ ଇନ୍ଦ୍ର ଚନ୍ଦ୍ର ମଣନ୍ତି । ଲଜ୍ଜାକୁ ତ ଜଳାଞ୍ଜଳି ଅର୍ପଣ କରନ୍ତି; ଅଧିକନ୍ତୁ ବିବେକ ମୁହଁରେ ମଧ୍ୟ ନିଆଁ ଲେଣ୍ଡୁଆ ବୁଲାଇ ଦିଅନ୍ତି । ବୀରବର ଠିକ୍‌ ସେହି ଶ୍ରେଣୀୟ ଲୋକ, ସେ ଉପାଧି ପାଇ ଶୋଥ ରୋଗୀପରି ଫୁଲି ଉଠିଲେ । ନିଜକୁ ଅତୁଳ ଗୌରବାନ୍ୱିତ ଜ୍ଞାନରେ ଉପରକୁ ଚାହିଁ ବାଟ ଚାଲିଲେ । ଦେଖୁ ଦେଖୁଁ ଅଭିମାନର ତୁଙ୍ଗ ହିମାଳୟଶୃଙ୍ଗକୁ ଉଠିଗଲେ । ସମସ୍ତେ ତାଙ୍କୁ ଭୟରେ ଭକ୍ତି କରନ୍ତୁ, ଏହାହିଁ ତାଙ୍କର ଲକ୍ଷ୍ୟ ହୋଇ ରହିଲା । ଉତ୍‌ଥାନ ଯେ ପତନର କାରଣ, ଯେ ଯେତେ ଉପରକୁ ଉଠେ, ସେ ସେତେ ଜୋରରେ କଚାଡ଼ି ହୋଇ ତଳେ ପଡ଼େ, ଏ ଜ୍ଞାନ ତାଙ୍କର ହେଲା ନାହିଁ । ସେ ଉପାଧିର ଭୟଙ୍କର ନିଶାରେ ଭୋଳ ହୋଇ ଆତ୍ମବିସ୍ତୃତ ହେଲେ । ଦିନେ ତାଙ୍କ ବଳଦ ଖତୁଆ ଧୋବା ବାଡ଼ିରେ ପଶି ତାହାର କୁଟା ବଦାଡ଼ି ଓଲାରି ଖାଉଥିଲା । ଖତୁଆ ତାକୁ ‘‘ଗୋସାଇଁ ଖିଆ’’ ବୋଲି ଗାଳି ଦେଇ ଅଡ଼ାଇଦେଲା । ଦୈବାତ୍‌ ବୈଦ୍ୟଭୂଷଣେ ସେହିବାଟେ ଆସୁଥିଲେ, ଗୋସାଇଁଖିଆ ଶବ୍ଦଟା ହଠାତ୍‌ ତାଙ୍କ କାନଭିତରକୁ ଗଳିଗଲା । ହାତୀଶୁଣ୍ଢ ଭିତରେ ପତୁକ ପଶିଲେ ହାତୀ ଯେପରି ଅସମ୍ଭାଳ ହୁଏ, ଭୂଷଣେ ସେହିପରି ହୋଇ ଉଠି କହିଲେ–‘‘କିରେ ଧୋବା ଟୋକା, ତୋ ମଗଜକୁ ପିତ୍ତ ଉଠିଗଲାଣି କି ? ମୁଁ ମହାରାଜାଙ୍କ ଶ୍ରୀଛାମୁରୁ ବୈଦ୍ୟଭୂଷଣ ଶାଢ଼ୀ ପାଇଛି, ଜାଣୁନାହିଁ କି ମୁଁ କିଏ-? ମୋ ବଳଦକୁ ତୁ ଗୋସାଇଁଖିଆ ବୋଲି କହିବୁ ? ଦାନ୍ତ ଝାଡ଼ି ଦେବି ଯେ, ଚିହ୍ନିଛୁ ନା ?’’ ଖତୁଆ କହିଲା, ‘‘ଏଁ, ବୈଦ୍ୟଭୂଷଣଶାଢ଼ୀ ପାଇଛ ବୋଲି କଅଣ ପର ବାଡ଼ିରେ ଗୋରୁ ପୁରାଇ ଖୋଇଦେବ ?’’ ଆଉଯାଏ କୁଆଡ଼େ, ଜ୍ୱଳନ୍ତ ଅଗ୍ନିରେ ଫୁତ୍କାର ପଡ଼ିଲା । ଭୂଷଣେ ଧାଇଁ ଆସି ଖତୁଆକୁ ମାଡ଼ିବସି ହସ୍ତପଦ ସାହାଯ୍ୟରେ ଗୋଟାକେତେ ଉତ୍ତମ ମଧ୍ୟମ ତାହା ପିଠିରେ ବସାଇଦେଲେ । ଖତୁଆ ବି ସେଥିପୂର୍ବରୁ ତାଡ଼ି ବିଶାଳିଏ ପିଇଦେଇଥିଲା–ତାକୁ ଟିକିଏ ମଧୁର ନିଶା ଝାଙ୍କ ଆସୁଥିଲା, ସେ ଉଠିପଡ଼ି ଖଣ୍ଡେ ଅଡ଼ିଚିଣା କାଠରେ ଅସଲ ଏବଂ ଚକ୍ରବୃଦ୍ଧି ହିସାବରେ ସେଥିରେ ସୁଧ ଏକାବେଳେକେ ପରିଶୋଧ କରିଦେଲା । ଆହୁରି କିଛି ଅତିରିକ୍ତ ଦେବାକୁ ତାହାର ଇଚ୍ଛାଥିଲା; ମାତ୍ର ଭୂଷଣେ ‘‘ଯଃ ପଳାୟତ ସ ତିଷ୍ଠତି’’ ନୀତି ବାକ୍ୟର ମର୍ଯ୍ୟାଦା ଲଙ୍ଘନ ନ କରିବାରୁ ତାହାର ସେ ସାଧୁ ଇଚ୍ଛା ଅପୂର୍ଣ୍ଣ ରହିଗଲା । ବୀରବରଙ୍କର ଏହି ବୀରତ୍ୱର କାହାଣୀ ଶୁଣି ରାଜା ତାଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନର ବ୍ୟବସ୍ଥା କଲେ । ସେହି ବ୍ୟବସ୍ଥାନୁସାରେ ସାର୍ଥକନାମା ବୀରବର ଧୋବା ହାତରୁ ମାଡ଼ ଖାଇଥିବାହେତୁ ତାଙ୍କୁ ଧୋବା ଭଣ୍ଡାରୀ ଏବଂ ରାଜଦ୍ୱାର ମନାହେଲା । ଚାରିମାସ ପରେ ଦେଢ଼ଶ ଟଙ୍କା ରାଜାଙ୍କୁ ଭେଟି ଦେବାରୁ ମନା ଫିଟିଗଲା । ଏହିପରି ବାରମ୍ବାର ଔଦ୍ଧତ୍ୟ ପ୍ରକାଶ, ବାରମ୍ବାର ତଣ୍ଡ, ବାରମ୍ବାର ମନା, ବାରମ୍ବାର କ୍ଷମା ତାଙ୍କ ଜୀବନରେ ଲାଗିଥାଏ । ସେ ତାକୁ ଭାଗ୍ୟଲବ୍‌ଧ ଗୌରବ ବୋଲି ଜ୍ଞାନ କରନ୍ତି । ଉପରୋକ୍ତ ଘଟଣା ପରେ ଲୋକେ କହିଥିଲେ–ବୀରବର ଯଥାର୍ଥ ବୀରବର-ସେନାପତି ହେବାର ଉପଯୁକ୍ତ ।

 

କଦମ୍ବଗୁଡ଼ିକର ରାଜା ଦର୍ପଦଳନ ଦେବ ଜଣେ ପ୍ରତାପଶାଳୀ ରାଜପୁରୁଷ । ଶାସନ, ପାଳନ ବିଷୟରେ ଖୁବ୍‌ ଚତୁର ଏବଂ ଦକ୍ଷ । ସମସ୍ତେ ତାଙ୍କୁ ଧାର୍ମିକ ବୋଲି କହନ୍ତି; ମାତ୍ର ସେ ଧର୍ମ କାର୍ଯ୍ୟସବୁ ପ୍ରତିନିଧି ଦ୍ୱାରା କରାନ୍ତି । ଅତିବଡ଼ଲୋକ ବା ଅତିଅତି ବଡ଼ଲୋକମାନଙ୍କର ସ୍ୱହସ୍ତରେ କୌଣସି କାର୍ଯ୍ୟ କରିବା ଗୁରୁତର ମାନହାନି ଜନକ, ଏ ବିଶ୍ୱାସ ରାଜାଙ୍କର ବଂଶଗତ; ସୁତରାଂ ପ୍ରତିନିଧି ନିଯୁକ୍ତ ନକରି ଉପାୟ କଅଣ ଅଛି । ତେବେ ଏକଥା ଅବଶ୍ୟ ସତ୍ୟ ଯେ, କେବଳ ଧର୍ମ କର୍ମ ପ୍ରତିନିଧିଦ୍ୱାରା ହୁଏ, ମାତ୍ର ଆଉ ସବୁ ରାଜା ନିଜେ କରନ୍ତି । ଏକାଦଶୀ, ପୂର୍ଣ୍ଣିମା ପ୍ରଭୃତି ବ୍ରତ ଉପବାସ ପୁରୋହିତ କରନ୍ତି । ତାଙ୍କୁ ଫଳାହାର ପାଉଣା ଇତ୍ୟାଦି ବ୍ରତର ଉପକରଣ ରାଜଭବନରୁ ଦିଆଯାଏ । ବ୍ରତ ଶେଷରେ ପୁରୋହିତେ ବ୍ରତର ଫଳ ରାଜାଙ୍କୁ ବିକ୍ରୟ କରି ଉପଯୁକ୍ତ ମୂଲ୍ୟ ଗ୍ରହଣ କରନ୍ତି ଏବଂ ରାଜାଙ୍କର ଲକ୍ଷେ ବର୍ଷ ପରମାୟୁ ହେଉ ବୋଲି ଆଶୀର୍ବାଦ କରନ୍ତି । ପୁରୋହିତଙ୍କ ପୂର୍ବପୁରୁଷମାନେ ମଧ୍ୟ ପୂର୍ବ ରାଜାମାନଙ୍କୁ ଏହିପରି ଆଶୀର୍ବାଦ କରୁଥିଲେ; ମାତ୍ର ଆମ୍ଭେମାନେ ବହୁପରିଶ୍ରମ, ବହୁ ଅର୍ଥବ୍ୟୟ ଏବଂ ବହୁ ଯତ୍ନରେ ଅନୁସନ୍ଧାନ କରି ବୁଝିଅଛୁ ରାଜାଙ୍କର କୌଣସି ପୁରୁଷରେ କେହି ଲକ୍ଷେ ବର୍ଷ ବଞ୍ଚିବା ଦୂରରେ ଥାଉ, ଶହେ ବର୍ଷ ବି ବଞ୍ଚିନାହାନ୍ତି । ସେ ଯାହାହେଉ, ରାଜାପ୍ରତିନିଧିଠାରୁ ଧର୍ମ କିଣି ନିଅନ୍ତି । ତାଙ୍କ ରାଜ୍ୟରେ ଧର୍ମ ଗୋଟାଏ ପୁଣ୍ୟ ଦ୍ରବ୍ୟପରି ବିକାକିଣା ହୁଏ । ରାଜାନୁଗତ ଧର୍ମ, ଅର୍ଥାତ୍‌ ରାଜା ଯାହା କରିବେ ତାହା ଧର୍ମ । ଅର୍ଥରେ ତ ସବୁ କିଣା ହୁଏ, ତେବେ ଧର୍ମ କିଣି ନହେବ କାହିଁକି ? ଭାତ ଖାଇବା ଟା ପ୍ରତିନିଧିଦ୍ୱାରା ଚଳିପାରୁଥିଲେ ରାଜାଙ୍କୁ ଏତେ ଆୟାସ ସ୍ୱୀକାର କରି ସୁକୁମାର ଶ୍ରୀହସ୍ତ ଶ୍ରୀମୁଖକୁ କଷ୍ଟ ଦେଇ ଉଦର ନାମକ ଗୋଲାକାର ଦେବତାର ପୂଜା କରିବାକୁ ପଡ଼ୁ ନଥାନ୍ତା; ମାତ୍ର ନିର୍ବୋଧ ବିଧାତା ସେ ବାଟ ରଖିନାହିଁ । ଅଷ୍ଟପ୍ରହର ବେଦ ଘୋଷି ଘୋଷି ବିଧାତାର ବୁଦ୍ଧି କୁନ୍ଥା ହୋଇଗଲାଣି । ରାଜା ପୂଜାରେ ବସିଲେ ଖଟଣୀ ରତ୍ନ ତାଙ୍କ ଖ୍ରୀଅଙ୍ଗରେ ‘‘ତିଳକ ଲାଗି’’ କରିଦିଏ । ଗୀତ ପାଠ ଏବଂ ବିଷ୍ଣୁ ସହସ୍ରନାମ ଜପହୁଏ; ମାତ୍ର ରାଜା ସେ ସବୁ ଜଞ୍ଜାଳକୁ ଯାଆନ୍ତି ନାହିଁ, ତାଙ୍କ ନାମରେ ସଙ୍କଳ୍ପ କରି ପୁରୋହିତେ ସବୁ କରନ୍ତି । ଠିକ୍‌ ଠାକୁର ପାଖରେ ଭୋଗ ଦେବା ପରି କଥା-ଠାକୁରକୁ ଭୋଗ ଦିଆଯାଏ; ମାତ୍ର ପୂଜାରୀ ଖାଏ ।

 

ରାଜାଙ୍କର ଆଉ ଗୋଟିଏ ବିଶେଷ ସ୍ୱଭାବ ଏହି ଯେ ଧର୍ମ କାର୍ଯ୍ୟର ସାମାନ୍ୟ ତ୍ରୁଟି ସେ ସହି ପାରନ୍ତି ନାହିଁ । ଏକାଦଶୀ ଦିନ ଅର୍ଦ୍ଧରାତ୍ରରେ ଦେହୁରି ଦେବମନ୍ଦିର ଚୂଡ଼ାରେ ଦୀପ ରଖି ଦେବତାଙ୍କ ନିକଟରେ ଉଚ୍ଚ ସ୍ୱରରେ ରାଜାଙ୍କର ମଙ୍ଗଳ ଭିକ୍ଷା କରେ,–‘‘ଶ୍ରୀ ଶ୍ରୀ ଶ୍ରୀ ଦର୍ପଦଳନ ଦେବ ମହାରାଜାଙ୍କୁ ଘଣ୍ଟଘୋଡାଇ ଚକ୍ର ଉହାଡ଼ କରି ରଖିବାକୁ ଆଜ୍ଞା ହେଉ ହେ ମଣିମା’’–ମସାଲ ହସ୍ତରେ ଏହି କଥା ସାତଥର କହି, ଦେଉଳର ଦଧି ନଉତିକୁ ସାତଥର ପ୍ରଦକ୍ଷିଣ କରି ଦେହୁରି ଦୀପ ଦେଇଆସେ । ଦେଉଳଉପରେ ବୁଲିବାବେଳେ ହାତରେ ଗୋଟାଏ ମସାଲ ଧରିଥାଏ । ଥରେ ସେ ରାଜାଙ୍କ ନାମାଦ୍ୟର ଶ୍ରୀ ତିନିଥର ନ କହି ଭୁଲ କ୍ରମେ ଦୁଇଥର କହି ଥିଲା, ତହିଁ ପରଦିନ ମହାସୁଆରେ ଯାଇ ରାଜାଙ୍କ ଛାମୁରେ ଏକଥା ଜଣାଇଲେ । ଆଉ କଅଣ ରକ୍ଷା ଅଛି–ଏଡ଼େବଡ଼ ଅପରାଧର କି କ୍ଷମା ଥାଇ ପାରେ । ରାଜା କ୍ରୋଧରେ ଥରି ଉଠିଲେ–ତାଙ୍କ ନିଶ ଟାଙ୍କୁରି ଉଠି ଫରକିବାକୁ ଲାଗିଲା । ରାଜାଙ୍କର ଏହିପରି ଅବସ୍ଥା ଦେଖିଲେ ପାଖ ଲୋକମାନେ ତାଙ୍କର କ୍ରୋଧର ମାତ୍ରା ମାପି ନିଅନ୍ତି । ସେମାନେ ମଧ୍ୟ ଏହି ପ୍ରଜ୍ଜ୍ୱଳିତ ରାଜରୋଷାନଳରେ ଯଥାଶକ୍ତି ଇନ୍ଧନ ନିକ୍ଷେପ କଲେ । କେହି କେହି ମୁରୁକି ହସି ପର ଦୁଃଖରେ ଅପାର ଆନନ୍ଦ ଲାଭ କରି କହିଲେ, ଦେହୁରି ବାପୁଡ଼ାର ଆଜି କାଳ ପୂରିଲା । କେହି ବା ରାଜ-ବିଧାତାଙ୍କ ମୁଖରୁ ଦେହୁରିର ଭବିଷ୍ୟତ ଭାଗ୍ୟବାଣୀ ଶୁଣିବା ପାଇଁ ଉତ୍କର୍ଣ୍ଣ ହୋଇରହିଲା । ସେ ଯାହା ହେଉ, ଏହି ସୁପ୍ରକାଣ୍ଡ ଅପରାଧ ହେତୁ ଦେହୁରିର ଚାକିରୀ ଏବଂ ଜାଗିରୀ ଭୂମି କାଟି ଦିଆଗଲା । ଆଉ ସେଥି ସଙ୍ଗେ ସଙ୍ଗେ ମହାସୁଆରକୁ ପାଟ ଯଥା ପୁରସ୍କାର ଆଜ୍ଞା ହେଲା । ଗୁଣଗ୍ରାହୀ ରାଜା ଏହିପରି ଗୁଣର ଉପଯୁକ୍ତ ପୁରସ୍କାର ଦିଅନ୍ତି । କିନ୍ତୁ ମହାସୁଆରଙ୍କୁ ଏ ରାଜକରୁଣାର ଆନନ୍ଦ ଅଧିକ ଦିନ ଭୋଗ କରିବାକୁ ହୋଇ ନ ଥିଲା । ଅଳ୍ପଦିନ ପରେ ସେ ବାଳଭୋଗ ଚୋରୀ ଅପରାଧରେ ରାଜ୍ୟରୁ ଘଉଡ଼ା ହେଲେ ।

 

ରାଜାଙ୍କର କେତେଜଣ ପାଖ ଲୋକ ଥିଲେ । ସେଥିମଧ୍ୟରେ ବୀରବର ବୈଦ୍ୟଭୂଷଣ, ରାଜଗୁରୁ ବରାହ ବିଦ୍ୟାବାଗୀଶ ଏବଂ ରାଜରୋହିତ କୁଣ୍ଡଳଧର ଆଚାର୍ଯ୍ୟ ଏହି ତିନିଜଣ ପ୍ରଧାନ । ଅନେକେ ଏମାନଙ୍କୁ କ୍ରୟସ୍ପର୍ଶା ଯୋଗ କହନ୍ତି, କେହି କେହି ବା ଶନି, ରାହୁ, କେତୁ ଏହି ତ୍ରିଗ୍ରହକୂଟ ବୋଲି କହନ୍ତି । ଏମାନେ ରାଜାଙ୍କୁ ଅନେକ ସତ ପରାମର୍ଶ ଦିଅନ୍ତି; ମାତ୍ର ସେ କାହାରି କଥାରେ କର୍ଣ୍ଣପାତ ନ କରି ଏପରି ଭାବରେ ବିଚାର କରନ୍ତି ଯେ, ସେହି ବିଚାର ମଧ୍ୟରେ ସମସ୍ତଙ୍କର ପରାମର୍ଶ ଥାଏ, ସୁତରାଂ ସମସ୍ତେ ଆତ୍ମପ୍ରସାଦ ଅନୁଭବ କରନ୍ତି । ସେମାନେ ରାଜାଙ୍କ ପାଖରେ ଥିବାବେଳେ ପାଖଲୋକ; ମାତ୍ର ବାହାରକୁ ଆସିଲେ ଗୋଟିଏ ସ୍ୱତନ୍ତ୍ର ରାଜା ହୋଇପଡ଼ନ୍ତି । ସେମାନଙ୍କ ପ୍ରତି ରାଜାଙ୍କର ପୂର୍ଣ୍ଣ ଅନୁଗ୍ରହ ଥିବାର ଜାଣି ଲୋକେ ସେମାନଙ୍କୁ ଭୟ ଭକ୍ତି କରନ୍ତି । ସେମାନଙ୍କ ଦ୍ୱାରରେ ଯେତେଲୋକ ରୁଣ୍ଡ ହୁଅନ୍ତି, ରାଜଦ୍ୱାରରେ ତେତେ ହୁଅନ୍ତି ନାହିଁ । ତିନିଙ୍କର ଅଗାଧ ପ୍ରୀତି ଏତେ ନିବିଡ଼ ଯେ, ସେଥିରେ ପାଣି ଗଳେ ନାହିଁ, ଅଥଚ ପରସ୍ପରକୁ ଅପଦସ୍ଥ କରିବା ସକାଶେ ପରସ୍ପରର ପ୍ରଗାଢ଼ ଯତ୍ନ ଦେଖାଯାଏ । ଜଣକ ଅନୁପସ୍ଥିତିରେ ଅନ୍ୟ ଜଣେ ତାହାର ଛିଦ୍ର ବ୍ୟକ୍ତି କରେ । ରାଜାଙ୍କ ପାଖରେ ଖଚ ମିଛ ଲଗାଇ ଯୋଟାଇ କହେ । ସର୍ବଦା ଏହିପରି ଲାଗିଯାଏ ।

 

ସମସ୍ତେ କହନ୍ତି–ବୈଦ୍ୟଭୂଷଣ ରାଜାଙ୍କର ବେଶି ପ୍ରିୟ ଏବଂ ବିଶ୍ୱାସୀ । ତାଙ୍କଦ୍ୱାରା ରାଜା ଅନେକ ସୂକ୍ଷ୍ମତତ୍ତ୍ୱ ଅବଗତ ହୁଅନ୍ତି । କାହାଘରେ ଶାଶୁ ବୋହୂ କଳି ଲଗାନ୍ତି–କିଏ ଭାର୍ଯ୍ୟାକୁ ମାରେ–କିଏ ଅଗାଧୂଆ ଭାତ ଖାଏ–କାହାର ପୁଅ କଲିକତାରୁ କେତେ ଟଙ୍କା ପଠାଇଲା–କାହାର ବୋହୂ ବାପ ଘରକୁ ରୁଷିଗଲା–କାହାର ଗୋରୁ କାହା ବାଡ଼ିରେ ପଶି ଶାଗ ଖାଇଲା–କିଏ କିଏ କେଉଁଠି କଅଣ ଫୁସର ଫାସର ହେଉଥିଲେ ଇତ୍ୟାଦି ରାଜ୍ୟର ଅବଶ୍ୟ ଜ୍ଞାତବ୍ୟ ବିଷୟ ବୈଦ୍ୟଭୂଷଣ ସଂଗ୍ରହ କରି ପ୍ରତ୍ୟହ ରାଜାଙ୍କର କର୍ଣ୍ଣ-କୁହରରେ ଢାଳନ୍ତି; ସଂକ୍ଷେପରେ କହିବାକୁ ଗଲେ ବୈଦ୍ୟଭୂଷଣେ କଦମ୍ବଗଡ଼ର ଖଣ୍ଡିଏ ଡାଇରି ପୁସ୍ତକ, ସେ ରାଜାଙ୍କର ଯେଉଁ ପରି ବାଧ୍ୟ, ରାଜବଚନର ସେହିପରି ପ୍ରତିଧ୍ୱନି । ରାଜା ଯଦି ଦିନ ଦ୍ୱିପହରବେଳେ କହନ୍ତି–‘‘ବୈଦ୍ୟଭୂଷଣେ, ସନ୍ଧ୍ୟା ହେଲାଣି ପରା ?’’ ତେବେ ବୈଦ୍ୟଭୂଷଣେ କହନ୍ତି–‘‘ଆଜ୍ଞା ମହାରାଜ ସନ୍ଧ୍ୟା ହେଲାଣି ।’’ ରାଜା ଯଦି ପୁଣି କହନ୍ତି–‘‘ନା-ହେ ଦିନ ପହରେ ଅଛି’’, ତେବେ ବୈଦ୍ୟଭୂଷଣେ ଓଲଟି ପଡ଼ି କହନ୍ତି–‘‘ହ ମହାରାଜା ଶ୍ରୀମୁଖରୁ ଯାହା ଆଜ୍ଞା ହେଲା ତାହା ଠିକ୍‌ ଦିନ ପହରେ ଅଛି ।’’ ଏହିପରି ସେ ଦୁଇ ମୁହଁରେ କଥା କହନ୍ତି ବୋଲି ଲୋକେ ତାଙ୍କ ଅଜ୍ଞାତରେ ତାଙ୍କୁ ଦୁମୁଣ୍ଡିଆ ସାପ ବୋଲି କହି ପରିହାସ କରନ୍ତି ।

 

ବୈଦ୍ୟଭୂଷଣଙ୍କର ପୁତ୍ରସନ୍ତାନ ନାହିଁ–ଦୁଇଟି ମାତ୍ର କନ୍ୟା । କୃପଣ ହେତୁ ଦାସ ଦାସୀ ତାଙ୍କଘରେ ମୁଣ୍ଡମାଡ଼ି ରହିପାରନ୍ତି ନାହିଁ । ଏକାଦିକ୍ରମେ ପନ୍ଦର ଦିନ କେହି ତାଙ୍କଘରେ ରହିବାର ଦେଖାଯାଇ ନାହିଁ । ସେ ଖୁବ୍‌ କାମ କରାଇ ନିଅନ୍ତି; ମାତ୍ର ପେଟ ପୂରାଇ ଖାଇବାକୁ ଦିଅନ୍ତି ନାହିଁ । ସେ କହନ୍ତି–ଚାକର ଚାକରାଣୀମାନଙ୍କୁ ବେଶି ଖାଇବାକୁ ଦେଲେ ସେମାନେ ଅଳସୁଆ ହୋଇଯାଆନ୍ତି, କାମ କରିପାରନ୍ତି ନାହିଁ । ଦିନେ ତାଙ୍କ ସ୍ତ୍ରୀ ଅଧସେର ଧାନ ଦେଇ ଗୋଟିଏ କଣ୍ଢାଇ ପିଲାଙ୍କ ପାଇଁ କିଣିଥିଲେ ବୋଲି ସେ ତିନି ଦିନ ତିନିରାତି ଯାଏଁ କଳିକରି ଖଡ଼ାଖଡ଼ ଉପାସ ରହିଥିଲେ । ତାଙ୍କର ସାବିତ୍ରୀ, ପାର୍ବତୀ ନାମରେ ଦୁଇଟି କନ୍ୟା ବିବାହ ପରେ ଶ୍ୱଶୁରାଳୟକୁ ଯାଇଅଛନ୍ତି । ଜାମାତା ଦୁହେଁ ଯୋଗ୍ୟ ଲୋକ, ଜଣେ ମୋକ୍ତାର ଏବଂ ଜଣେ ଡ଼ାକ୍ତର । ବିବାହ ପରେ ପୁରୋହିତଙ୍କ ସଙ୍ଗରେ ବୈଦ୍ୟଭୂଷଣଙ୍କର ଯେଉଁ କଥାବର୍ତ୍ତା ହୋଇଥିଲା ତାହା ମୂଳ ପରିଚ୍ଛେଦରେ ପରିବ୍ୟକ୍ତ ହୋଇଅଛି ।

•••

 

ତୃତୀୟ ପରିଚ୍ଛେଦ

 

କନ୍ୟା ଦୁହିଁଙ୍କର ବିବାହ ପରେ ବୈଦ୍ୟଭୂଷଣେ ପ୍ରତିଜ୍ଞା କଲେ–ସେ ଆଉ ଝିଅର ବାପ ହେବେନାହିଁ । ଝିଅଗୁଡ଼ାକ ଖାଲି ତଣ୍ଢେଇବାକୁ ଆସନ୍ତି । ସେ ଗୁଡ଼ାକ ପୂର୍ବ ଜନ୍ମର ଶତ୍ରୁ । ପ୍ରତିଶୋଧ ନେବାପାଇଁ ଆସନ୍ତି । ବଡ଼ ଲୋକ ହେବା ଯେପରି ଖରାପ, ବଡ଼ଲୋକ ଘରେ ଝିଅ ଦେବା ତତୋଧିକ ଖରାପ । ହଜାର ହଜାର ଟଙ୍କା ଯେ ଉଡ଼ିଗଲା, କେତେକାଳେ ସେଥିରେ ପୂରଣ ହେବ ? ହୁଏତ ତାଙ୍କର ଅବଶିଷ୍ଟ ଜୀବନ ତହିଁକି କୁଳାଇବ ନାହିଁ । ଏତିକିରେ ଯେ ଖର୍ଚ୍ଚ ସରିଗଲା ତାହା ନୁହେଁ । ବାର ପୂନେଇ ତେର ଯାତ୍ରାରେ ଝିଅ ଘରକୁ ଶଙ୍ଖା, ଶାଢ଼ୀ, ଭାର ପ୍ରଭୃତି ବାଢ଼ିବାକୁ ହେବ । ଝିଅ ଆସିଲେ ଫୁଲପିତା ଭାର ଆହୁରି କେତେ କଅଣ ନେବ, ସେ ଗୋଟାଏ ଅର୍ଦ୍ଧ ବିଭାଘର । ଜୁଇଁର ହଳଦିଆ ଗୋଡ଼ ଧୋଇବା ତ ଏକ ପ୍ରକାଣ୍ଡ ବ୍ୟାପାର । ଯେତେ ବେଳ ଖାଇବେ ତେତେ ଯୋଡ଼ ନେବେ, ଯେଉଁ ବାସନରେ ଖାଇବେ ତାହା ସବୁ ନେବେ । ସେ ଯାହା ବ୍ୟବହାର କରିବେ, ତାହା ସବୁ ତାଙ୍କର ହେବ ଏହା ଉପରେ ଆହୁରି ବି କିଛି ଫରମାସ ହୋଇପାରେ । ପାନରୁ ଟିକିଏ ଚୂନ ଖସିଗଲେ ଜାମାତା ବାବାଜି ଆଡ଼ରୁଷା ଦେବେ-ଆପସା ମାରିବେ–ତାଙ୍କ ଘରର ବିରାଡ଼ି ପର୍ଯ୍ୟନ୍ତ ସମସ୍ତେ ନିନ୍ଦା ଗାଇ ବୁଲିବେ । ଦୁଇଚାରିପଦ ମଧୁରିଆ ଗାଳି ଯେ ନ ଦେବେ, ତାହା ନୁହେଁ । ସର୍ବୋପରି ଝିଅକୁ ଖୁଣ୍ଟାଦେବେ-ଶାଶୁ ନଣନ୍ଦ ଗଞ୍ଜିବେ । ଖାଲି ଏତିକିରେ କି ନିସ୍ତାର ଅଛି, ଝିଅର ପୁଅ ଝିଅ ହେଲେ ତାଙ୍କ ଲାଗି ଗହଣା ଦରକାର । ଏତେ ଜଞ୍ଜାଳ ହିନସ୍ତାକୁ ଯିବା ଅପେକ୍ଷା ଝିଅର ବାପ ନ ହେବା ଶ୍ରେୟସ୍କର । ଏହି ସବୁ କଥା ଭାବି ବୈଦ୍ୟଭୂଷଣ ପ୍ରତିଜ୍ଞା କଲେ–ଇହ ଜୀବନରେ ସେ ଆଉ କନ୍ୟାର ପିତା ହେବେ ନାହିଁ । ହେଲେ ପୁତ୍ରର ପିତା ହେବେ, ନଚେତ୍‌ ନୁହେଁ । କୌଣସି ମତେ ନୁହେଁ ପୃଥ୍ୱୀ ଫାଟିଗଲେ ବି ନୁହେଁ; କିମ୍ବା ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିଲେ ସୁଦ୍ଧା ନୁହେଁ । ଏହା ତାଙ୍କର ସତ୍ୟ, ସତ୍ୟ ତ୍ରିବାର ସତ୍ୟ, କଠୋର ସତ୍ୟ, ନିରୋଳ ଖାଣ୍ଟି ସତ୍ୟ, ଅଭଙ୍ଗ ସତ୍ୟ । କୋଟିଏ ଟଙ୍କା ପାଇଲେ ମଧ୍ୟ ତାଙ୍କର ଏ ମହା ସତ୍ୟ ତିଳେ ଟଳିବ ନାହିଁ । ବୈଦ୍ୟଭୂଷଣେ ଏହିପରି ଭୀଷ୍ମ ପ୍ରତିଜ୍ଞା କରି ମଧ୍ୟ ଟଙ୍କା ଖର୍ଚ୍ଚ କଥା ଭୁଲି ପାରିଲେ ନାହିଁ । ଏତେ ଗୁଡ଼ାଏ ଟଙ୍କା ଘରୁ ବାହାରି ଗଲା ଏହା କଅଣ ଭୁଲିବାର କଥା । ସବୁବେଳେ ତାଙ୍କ ପ୍ରାଣ ମଧ୍ୟରୁ କିଏ ଯେପରି ହା-ଟଙ୍କା ହା-ଟଙ୍କା ସ୍ୱରରେ ପ୍ରତିଧ୍ୱନି ଉଠାଇବାକୁ ଲାଗିଲା । ଏତେ ଅର୍ଥ କ୍ଷୟ ଏତେ ମନସ୍ତାପ, ତହିଁ ଉପରେ ଗୋଟାଏ କଳଙ୍କ ଆସି ତାଙ୍କୁ ସ୍ପର୍ଶ କଲା; ମାତ୍ର ସେ ବୁଦ୍ଧିମାନ୍‌ ହେତୁ ସେ କଳଙ୍କ ଦେହରୁ ଝାଡ଼ିପକାଇଲେ । ଦୁଷ୍ଟ ଲୋକେ ତାଙ୍କ ନାମରେ ଗୋଟାଏ ଦୁର୍ନାମ ରଟନା କଲେ–ସେ ଯେଉଁ ସୁନା ଜୁଇଁଙ୍କୁ ଦେଇଥିଲେ ତାହା ସୁନା ନୁହେ ପିତଳ । ଆଉ ଯେଉଁ ସୁନା ମୁଦି ଦେଇଥିଲେ ତାହା ରୂପା ମୁଦି, ସେଥିରେ ସୁନାର ଝାଳ ଦିଆଯାଇଛି । ଏହା ଶୁଣି ବୈଦ୍ୟଭୂଷଣେ କ୍ରୋଧରେ କମାରଯନ୍ତା ପରି ଗର୍ଜି ଉଠିଲେ । ତାଙ୍କ ପରି ସାଧୁ ବ୍ୟକ୍ତିଙ୍କ ମୁଣ୍ଡରେ ଏ କଳଙ୍କ ପସରା, ଏହାକି ସହିବାର କଥା ? କିନ୍ତୁ କଥା ମିଛ ନୁହେଁ । ବଙ୍ଗଳାରେ ଗୋଟିଏ ପ୍ରବଚନ ଅଛି–‘‘ଯା’ରଟେ, ତା, କିଛୁ କିଛୁ ବଟେ,’’ ଅର୍ଥାତ୍‌ ରଟନା ମଧ୍ୟରେ କିଛି ସତ୍ୟ ଥାଏ । ଅଗ୍ନି ପରିକ୍ଷାରେ ପ୍ରତିପନ୍ନ ହେଲା, ଉକ୍ତ ପଦାର୍ଥ ଦ୍ୱୟ ବାସ୍ତବରେ ଖାଣ୍ଟି ନୁହେଁ । ଚେନ୍‌ ଛଡ଼ାଟି ପିତଳ ଏବଂ ମୁଦିଟି ରୂପା; ମାତ୍ର ବୈଦ୍ୟଭୂଷଣେ ଦୋଷ ଦେହକୁ ନେବାର ପାତ୍ର ନୁହନ୍ତି । ପ୍ରତ୍ୟୁତ୍ପନ୍ନମତି ବଳରେ ସେ ଫାଙ୍କି ଦେଇବସିଲେ । କହିଲେ–‘‘ମୁଁ ତାକୁ ଘରେ ଗଢ଼ିନାହିଁ କି ସେ ମୋ ବାଡ଼ିର ଫଳ ନୁହେଁ ଯେ ସେଥିପାଇଁ ମୁଁ ଦାୟୀ ହେବି । କୋମ୍ପାନୀରୁ ତାହା କିଣି ଆଣିଥିଲି, ଭଲ କି ଭେଲ ମୁଁ କିପରି ଜାଣିବି ? ମୁଁ କଅଣ ତାହା ଭିତରେ ପଶିଥିଲି ।’’ ଏ କଥାର ଆଉ ଉତ୍ତର କଅଣ ଅଛି ? ଦୋଷ କୋମ୍ପାନୀ ମୁଣ୍ଡରେ ଗଲା । ବୈଦ୍ୟଭୂଷଣେ ନିର୍ମଳ ନିଷ୍କଳଙ୍କ । ଧନ୍ୟ ଉପସ୍ଥିତ ବୁଦ୍ଧି, ଏପରି ବୁଦ୍ଧି ପୁରସ୍କୃତ ହେବାର ଯୋଗ୍ୟ । କୁଟିଳ କୁଚକ୍ରୀମାନଙ୍କ ଭାଗରେ ବିଧାତା ଉପସ୍ଥିତ ବୁଦ୍ଧି ଖୁବ୍‌ ଅଧିକ ଦେଇଥାନ୍ତି ।

ମିଥ୍ୟାକୁ ଯେତେ ଢାଙ୍କିଲେ ମଧ୍ୟ ସେ ଲୁଚିରହିପାରେ ନାହିଁ । ମିଥ୍ୟା ସୋଲପରି ହାଲୁକା, ତାକୁ ତାଳେ ଗହୀରରେ ବୁଡ଼ାଇ ରଖିଲେ ବି ସେ ଉପରକୁ ଭାସିଉଠେ । ଉପସ୍ଥିତ ଘଟଣାରେ ତାହାହିଁ ଘଟିଲା । ସତ୍ୟର ଆଲୋକ ଜଳି ଉଠିଲା, ମିଥ୍ୟା ଦଗ୍‌ଧ ହୋଇଗଲା । ଅଳ୍ପଦିନ ପରେ ଭୂଷଣଙ୍କର କୀର୍ତ୍ତିକୁସୁମର ସୌରଭ ଚହଟି ଉଠି ଆତ୍ମପ୍ରକାଶ କଲା । ସେ ଜାଣି ଶୁଣି ଜଣେ ବଣିଆଦ୍ୱାରା ଏହି ପ୍ରତାରଣା ଭିଆଇଥିଲେ; ମାତ୍ର ବୈଦ୍ୟଭୂଷଣେ ମୁଣ୍ଡତଳ କରିବାର ଜନ୍ତୁ ନୁହନ୍ତି । ଶତ୍ରୁମାନଙ୍କ ଚକ୍ରାନ୍ତବୋଲି କହି ସେ ଏ କଥାକୁ ଉଡ଼ାଇଦେବାକୁ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ । ଶେଷରେ ଏ କଥା ରାଜାଙ୍କ କର୍ଣ୍ଣଗୋଚର ହେଲା । ରାଜା କହିଲେ–‘‘ଲୋକଟା ଏଡ଼େ ଠକ ଯେ ନିଜ ଝିଅ ଜୁଇଁଙ୍କୁ ଠକାଇଲା ସେଟାକୁ ବିଶ୍ୱାସ କଅଣ ।’’ ଖଲିଆ ଝପଟ ସିଂହ ରାଜାଙ୍କର ଶ୍ରୀଅଙ୍ଗ ମର୍ଦ୍ଦନ କରୁଥିଲା, ସେ କହିଲା–ହଁ ଆଜ୍ଞା ସେଟା ପକ୍‌କା ଠକ । ଛାମୁରୁ ଏତେ ଟଙ୍କା ନେଇ ଯେ ଓଷଦ କରିଦିଏ ସେ ଖାଲି ଡାଳ ମୂଳ ସିନା, ଛାମୁରେ କେତେ ପ୍ରୌଢ଼ିକରି କହେ ସୁନାଭସ୍ମ ହୀରାଭସ୍ମ କେତେ ଭସ୍ମ ପଡ଼ିଛି, ଖାଲି ତୁଚ୍ଛା ମିଛ, ଆଜ୍ଞା ତୁଚ୍ଛ ମିଛ । ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ ସତେ କିରେ ? ଝପଟ ସିଂହ ଦୃଢ଼ କଣ୍ଠରେ କହିଲା, ହଁ ଆଜ୍ଞା ଛାମୁରେ କଣ ମିଛ କହିବି ମହାପ୍ରଭୁ । ଛାତି ଫାଟିଯିବ ନାହିଁ–ଆଖି ଫୁଟି ଯିବ ନାହିଁ–ମରିଯିବି ନାହିଁ ? ରାଜା ଆଉ ଅବିଶ୍ୱାସ କରିପାରିଲେ ନାହିଁ, କହିଲେ–ଆଛା ଆଜିପାଖରୁ ତାକୁ ଦ୍ୱାର ମନା । ସଙ୍ଗେ ସଙ୍ଗେ ରାଜାଦେଶ ନରତୁଣ୍ଡ ବାହନରେ ଗଡ଼ ସାରା ବ୍ୟାପିଗଲା । ବୈଦ୍ୟଭୂଷଣେ ଶୁଣି ପ୍ରମାଦ ଗଣିଲେ । ତାଙ୍କ ଘରେ ଅରାନ୍ଧ ଅବାତ ହେଲା । ସେ ଶତ୍ରୁମାନଙ୍କୁ ଯମ ରାଜ୍ୟକୁ ପଠାଇବାର ଅଭିଳାଷ ପ୍ରକାଶ କଲେ । ସେମାନଙ୍କ ପୂର୍ବ ଏବଂ ଉତ୍ତର ପୁରୁଷମାନଙ୍କୁ ମଧ୍ୟ ପୁରସ୍କୃତ କରିବାକୁ ଭୁଲିଲେ ନାହିଁ । ଚାରିମାସପରେ ଉପଯୁକ୍ତ ପ୍ରଣାମୀ ଦେଇ ରାଜଦ୍ୱାର ମନା ଫିଟାଇଲେ ।

ବୀରବର ବୈଦ୍ୟଭୂଷଣଙ୍କର ସହଧର୍ମିଣୀ ପଦ୍ମାବତୀ ପ୍ରଥମତଃ ଭଲ ଥିଲେ । ରଙ୍କୀ ଦୁଃଖୀ ଚିହ୍ନୁଥିଲେ । ଭାଟ ଭିକାରିକୁ ମୁଠାଏ ଦେଉଥିଲେ–କ୍ଷୁଧାର୍ତ୍ତର ପେଟବ୍ୟଥା ବୁଝୁଥିଲେ, ମାତ୍ର ଏ ସବୁ ଅପବ୍ୟୟ ବୈଦ୍ୟଭୂଷଣଙ୍କୁ ଭଲ ଲାଗିଲା ନାହିଁ । ପଦ୍ମାବତୀ ସେଥିପାଇଁ ସ୍ୱାମୀଙ୍କଠାରୁ ବାରମ୍ବାର ତିରସ୍କୃତ ହୋଇ ନିଜର ଧାରା ବଦଳାଇଦେଇଅଛନ୍ତି । ସେ ସ୍ୱାମୀଙ୍କ ଗୁଣ ଗୁଡ଼ିକର ପୁଟ ନିଜ ଦେହରେ ଚଢ଼ାଇ ଦେଇ ସହଧର୍ମିଣୀ ନାମ ସାର୍ଥକ କରିଅଛନ୍ତି । ସହବାସ ଗୁଣରେ ସବୁ ହୁଏ-। ପଦ୍ମାବତୀ ମୂଲିଆମାନଙ୍କୁ ମୂଲ ଦେବାବେଳେ ଧାନରେ ଅଗାଡ଼ି ମିଶାଇଦେଇ ମାପି ଦିଅନ୍ତି-। ଧାନ କୁଟୁଣୀମାନଙ୍କର କୁଟା ମୂଲ ଗୋଳାଇ ଦେଇ ତିନିସେର ଯାଗାରେ ଦୁଇସେର ଦିଅନ୍ତି । ଗରିବ କୁଟୁଣୀମାନେ ଆଗରେ କିଛି କହନ୍ତି ନାହିଁ–ଆଖି ଲୁହ ଆଖିରେ ମାରି ରହନ୍ତି; ମାତ୍ର ପଛରେ କହନ୍ତି–‘‘ଆମେ ଦୁଃଖୀ ଲୋକ, ଗତର ଖଟେଇ କାମ କରୁଛୁ, ଆମ ତଣ୍ଟି ଚିପି ମାଣେ ପୋଷେ ଗୋଳେଇ ନେଲେ କଅଣ ବଡ଼ନ୍ତି ହେବ, ନେଉ, କେତେ ନେବ ନେଇ ଆମର ଧାରୁଆ ହୋଇଥାଉ–ଆରଜନ୍ମରେ ଛାତିରେ ଚଢ଼ି ଗଛଉପରେ ଗଛ ହୋଇ ଶୁଝେଇ ନେବୁ, କୁଆଡ଼େ ଯିବ-। ଏଣେ ଆମ ତଣ୍ଟି ଚିପିଲେ କଅଣ ହେବ, ତେଣେ ଭଗବାନ ତା’ ତଣ୍ଟି ଚିପୁଛନ୍ତି । ଚାରିମାସେ ଛମାସେ ରଜାଘରକୁ ସେର ସେର ମାପିଦେଇଆସୁଛି । ଧର୍ମ କଅଣ ନାହିଁ, ଚାରିଯୁଗରେ ଅଛି, ସେହି ବିଚାର କରିବ, ଆଉ ଯେ ଦିନ ରାତି କରୁଛି ସେ ବୁଝାମଣା କରିବ । ମୁଣ୍ଡଝାଳ ଗୋଡ଼ତଳେ ପକାଇ ଆମେ କାମ କରୁଛୁଁ, ଆମକୁ ଗଧ ପରି ଖଟାଇନେଇ ଆମ ମୂଲରୁ ରେସା କାଟୁଛି, ଆମ ଦେହରୁ ଝାଳ ଯାଉନାହିଁ ଯେ–ରକ୍ତ ଯାଉଛି, ଆମ ତତଲା ନିଃଶ୍ୱାସରେ ସବୁ ଜଳି ପାଉଁଶ ହୋଇ ଉଡ଼ିଯିବ । ଏତେ ଯେ ଛଞ୍ଚୁଛି, ଖାଇବ କିଏ ? ପୁଅ, ନା ପୁତୁରା ? ବିଧାତା ତ ଲୁହା ଜାଣି ପାଣି ଦେଇଛି । ମନ ଜାଣି ଫଳ, ଗେରସ୍ତ ଭାର୍ଯ୍ୟା ଦୁହେଁ ଯେମିତି ଏକାମାଟିରେ ଗଢ଼ା-। ହୁଡ଼େଇ କରି ନେଉ ଆର ଜନ୍ମରେ ଆମର ଧାନକୁଟି ଶୁଝିବ ।’’ ଏହିପରି ଅନେକ କଥା କି ମୂଲିଆ, କି କୁଟୁଣୀ ସମସ୍ତେ କହନ୍ତି । ଆମ୍ବ ପଣସଦିନେ ରଜାଘରୁ କେବେ ଆମ୍ବ ପଣସ ଆସେ, ତାହା ପଚିଗଲେ ଖତଗାଢ଼କୁ ଫୋପାଡ଼ି ଦିଆଯାଏ; ମାତ୍ର ଚାକର ଚାକରାଣୀମାନେ ବାସନା ସୁଦ୍ଧା ପାଆନ୍ତି ନାହିଁ । ତରକାରୀ ତ ସେମାନଙ୍କ ପତ୍ର ଛୁଏଁ ନାହିଁ । ଗରିବ କାଙ୍ଗାଳିଗୁଡ଼ାକ କଅଣ ତରକାରୀ ଖାଇବେ, ଲୁଣଝିଲେ ହେଲେ ଢେର । ତରକାରୀ କଅଣ ଗରିବଙ୍କ ପେଟରେ ଜୀର୍ଣ୍ଣ ହେବ । ବୈଦ୍ୟଭୂଷଣଙ୍କ ବିଧବା ଭଉଣୀ ଅମ୍ବିକାର ସ୍ୱାମୀକୁଳରେ କେହି ନାହାନ୍ତି । ତାହାର କପାଳ ଫାଟିଲା ପରେ ସେ ଆସି ଭ୍ରାତୃଗୃହରେ ଆଶ୍ରୟ ନେଇଅଛି । ସେ ବସି ବସି ଭାଇ ଭାଉଜଙ୍କ ଅନ୍ନଧ୍ୱଂସ କରେନାହିଁ, ତାକୁ ଅନେକ କାମ ପାଇଟି କରିବାକୁ ହୁଏ । ତହିଁ ଉପରେ ସେ ରନ୍ଧାବଢ଼ା ବାଡ଼କବି ତୁଲାଇ ନିଏ-। ଆଉ ଯେତେବେଳେ ଯେଉଁ ଚାକର ଚାକରାଣୀ ରହନ୍ତି, ସେମାନେ ଘରର ତାବତୀୟ କାର୍ଯ୍ୟ କରିସାରି ମୂଳମୂଳିକା ଗୋଟାଇ ଆଣନ୍ତି । ଔଷଧ କୁଟିବା, ଛାଙ୍କିବା ମଧ୍ୟ ସେମାନଙ୍କ କର୍ତ୍ତବ୍ୟ ସୀମାର ବହିର୍ଭୁତ ନୁହେଁ । ସେମାନଙ୍କର କର୍ତ୍ତବ୍ୟ ସୀମାବନ୍ତ ନୁହେଁ–ଅସୀମ, କେବଳ ଗୃହିଣୀ ପଦ୍ମାବତୀଙ୍କର କିଛି କାମ ନାହିଁ; ମାତ୍ର କିଛି ଗୋଟାଏ ନ କଲେ ସେ ଥୟ ହୋଇପାରିବେ ନାହିଁ; ସୁତରାଂ ଚାକରବାକରଙ୍କ ଉପରେ ସର୍ଦ୍ଦାରୀ କରନ୍ତି, ଆଉ ସବୁବେଳେ ଡାହାଣୀ ଲାଗିଲା ପରି ବଜର ବଜର ହୁଅନ୍ତି । ଏତକ ନ ହେଲେ ତାଙ୍କର ଭାତ ହଜମ ହୁଏ ନାହିଁ । କେହି କିଛି କଲେ ନାହିଁ, ଖାଇ ଗଲେ, ନେଇ ଗଲେ, ସବୁବେଳେ ଏହି କଥା । ଗୃହିଣୀ ଧୈବତସ୍ୱରରେ କଥା କହନ୍ତି । କଥାଗୁଡ଼ାକ କଂସା ବାଜିଲା ପରି ଖଣ୍‌ ଖଣ୍‌ ଶୁଭେ । କଥା କହିବାବେଳେ ତିନିପୁର ଉଛୁଳି ଉଠେ । ବକିବା ଆଉ ଶୋଇବା ଏ ଦୁଇଟି ତାଙ୍କର ଖୁବ୍‌ ପ୍ରିୟ । ଶୋଇଲେ ସହଜରେ ନିଦ୍ରାଭଙ୍ଗ ହୁଏ ନାହିଁ । ଏମନ୍ତ କି କାନ ପାଖରେ ଢୋଲ ପିଟିଲେ ମଧ୍ୟ ସୁଖସୁପ୍ତିରେ ବ୍ୟାଘାତ ଘଟେ ନାହିଁ । କେବଳ ଦୀର୍ଘନିଃଶ୍ୱାସଧ୍ୱନି ତେତେବେଳେ ତାଙ୍କର ଜୀବିତାବସ୍ଥାର ପ୍ରମାଣ ଦିଏ । ପଦ୍ମାବତୀ ପଡ଼ିଶାଙ୍କ ଘରକୁ ଖୁବ୍‌ ଅଳ୍ପ ଯାତାୟାତ କରନ୍ତି, ସେଥିରେ କାରଣ କେହି ପ୍ରବେଶିନୀ ପଚାରିଲେ କହନ୍ତି–‘‘କଅଣ କରିବି ଭଉଣି, ମରିବାକୁ ତ ଟିକିଏ ତର ନାହିଁ, ଯାହା ନ କରିବି ତାହା ନ ହେବ, ଯାହା ନ ଦେଖିବି ତାହା ମାଟି ହେବ, ଯାହାକୁ ଚାକର ଚାକରାଣୀ ରଖିଲି ସେମାନଙ୍କୁ ବେକରେ ଲୁଗା ପକାଇ ଜୁହାର ହେଲେ ବି ତ ଦିନ ସରିଲା ନାହିଁ; ସେମାନେ ଖାଲି ଖାଇବେ ସିନା, ଆଉ କାମଟାଏ କରିବାକୁ କହିଲେ ସମସ୍ତଙ୍କ ଗତର ଛିଣ୍ଡିପଡ଼େ, ଜିଗରକୁ ବାଧେ । କହିଲେ ପୁଣି ଓଲଟା କହିବେ–‘‘ପେଟକୁ ଦେଇ ସିନା ପିଠିକି ମାରନ୍ତି; ତମେତ ଭାତ ଦେବ ପେଟ ପୁରିବ ନାହିଁ, ସେଥିରେ ଦିନ ରାତି କାମ କରିବାକୁ କହିଲେ କିଏ ପାରିବ ।’’ ମୋର ଖାଇ ପୁଣି ମୋତେ ଏହିମତି ଦୁର୍ଚ୍ଛନା ଦେବେ । ମୁଁ କଅଣ ଖାଇବାକୁ ଦିଏ ନାହିଁ ? ମୋ’ଠଉ କଅଣ କଉଁ ରାଣ୍ଡ ପୋଡ଼ାମୁହୀଁ ବେଶି ଦିଏ ?

ଏ ଯୁଗରେ ମୂଲିଆ ତ ହେଲେ ରଜା, ତାଙ୍କ ଗୋଡ଼ ଧଇଲେ ବି କାମ ଚଳିଲା ନାହିଁ, ସେଇଥିଲାଗି ତ ଯେ ଯାହା ମାଗେ ମୁଁ ଡରିମରି ଆଖି ବୁଜି ଢାଳି ଦିଏଁ । ଆଉ ତାଙ୍କ କଥା ତ ଜାଣ, ସେ ଭୋଳା ମହେଶ, ଯେ ଯାହା ମାଗିଲା ତାକୁ ତାହା ଦେଇପକାନ୍ତି । ‘ନା’ ବୋଲତି ତାଙ୍କ ତୁଣ୍ଡରେ ଆସେ ନାହିଁ । ସେଥିଲାଗି ରଜା କତିରୁ ପରଜାଯାଏଁ ସମସ୍ତଙ୍କ ମୁହଁରେ ବୈଦ୍ୟଭୂଷଣଙ୍କ ପ୍ରଶଂସା–ସଭିଙ୍କ ମୁହଁରେ ଧନ୍ୟ ଧନ୍ୟ ପଦ ଲାଗିରହିଛି, ପାଣିପରି ତ ଉଷୁଦ ବଣ୍ଟା ଲାଗିଛି, କେହି ଅଣେ ପଣେ ଦେଲେ ଖୁସି ନ ଦେଲେ ବି ଖୁସି । ଅନ୍ୟ ବୈଦ୍ୟ ପରି କାହାରିକୁ ତୁଣ୍ଡ ଖୋଲି ଉଷୁଦର ଦାମ ମାଗନ୍ତି ନାହିଁ । ଆଉ ଉଷଦବି ଇମିତି ସିମିତି ଉଷୁଦ ନୁହେଁ–ଏକାପାନକେ ରୋଗ କଅଣ, ରୋଗର ବାପ ବି ଛାଡ଼ି ପଳାଇବ ।’’ ବୈଦ୍ୟବଧୂ ଏହିପରି ନିଜର, ସ୍ୱାମୀଙ୍କର ଏବଂ ସ୍ୱାମୀକୃତ ଔଷଧର ପ୍ରଶଂସା ଅନର୍ଗଳ ଉଦ୍‌ଗାର କରି ଶ୍ରୋତାକୁ ଅତିଷ୍ଠ କରିପକାନ୍ତି । ସେ ଆଉ ଶୁଣିବ କଅଣ, କିପରି ସେଠାରୁ ଖସିଯାଇ ନିସ୍ତାର ଲଭିବ ଏହି ଚେଷ୍ଟା କରେ ।

ଯାହା ଯାହାର ପ୍ରାର୍ଥନୀୟ ନୁହେଁ, ଅନେକ ସମୟରେ ବିଧାତା ତାହା ତାକୁ ଆଣି ଦିଏ । ଝିଅର ବାପ ହେବେ ନାହିଁ ବୋଲି ବୈଦ୍ୟଭୂଷଣେ ସଙ୍କଳ୍ପ କରିଥିଲେ; ମାତ୍ର ହଟିଆ ବିଧାତା ତାଙ୍କର ସେ ସୁମହତ୍‌ ସାଧୁ ସଙ୍କଳ୍ପରେ ବାଦ ସାଧିଲା । କେତେକାଳ ପରେ ତାଙ୍କର ଗୃହିଣୀ ଅନ୍ତଃସତ୍ତ୍ୱା ହେଲେ । ବୈଦ୍ୟଭୂଷଣଙ୍କର ମୁଣ୍ଡ ଘୁରାଇଲା, କାଳେ ପୁଣି ଗୃହିଣୀ କନ୍ୟା ଜନ୍ମକରି ତାଙ୍କ ଉତ୍ତରକୁମାର ପ୍ରତିଜ୍ଞା ଭଙ୍ଗର ହେତୁ ହୋଇବସନ୍ତି । ତାହାହେଲେ ତ ସର୍ବନାଶ । ତେବେ ସେ କଅଣ କରିବେ, ବାସ୍ତବରେ ଏହା ବିଷମ ଚିନ୍ତାର କଥା । ଗର୍ଭିଣୀକୁ କଅଣ ଖୁଆଇଲେ ସେ କନ୍ୟା ପ୍ରସବ ନକରି ପୁତ୍ର ପ୍ରସବ କରିବ, ଏପରି କୌଣସି ଔଷଧ ଅଛି କି ନାହିଁ ଜାଣିବା ସକାଶେ ସେ ଚିକିତ୍ସା ଶାସ୍ତ୍ର ଘାଣ୍ଟିବାକୁ ଲାଗିଲେ; ମାତ୍ର ସେପରି କିଛି ବ୍ୟବସ୍ଥା ନପାଇ ଶାସ୍ତ୍ରକାରମାନଙ୍କ ପ୍ରତି ବିରକ୍ତ ହୋଇଉଠିଲେ । ଜ୍ୟୋତିଷମାନଙ୍କୁ ଡ଼ାକି କୋଷ୍ଠି ଗଣାଇଲେ, ସମସ୍ତେ ପୁଅ ହେବ ବୋଲି କହିଲେ । ତହୁଁ ଆଶଙ୍କା ଟିକିଏ ଊଣା ପଡ଼ିଗଲା, ବୈଦ୍ୟଭୂଷଣେ ଦେବତାଙ୍କ ଶରଣ ପଶିଲେ । ପୁଅ ହେଲେ କେଉଁ ଦେବତାଙ୍କୁ କଅଣ ପୁରସ୍କାର ଦେବେ, ମନ ମଧ୍ୟରେ ସେଥିରେ ଗୋଟାଏ ତାଲିକା ଲେଖି ରଖିଲେ । କିନ୍ତୁ ଦେବତାମାନଙ୍କର କି ଦୁର୍ଭାଗ୍ୟ ଯେ, ସେମାନେ ଯାଚିଲା ଭାତ ଛାଡ଼ିଦେଲେ । ଏହି ଦୂର୍ବୁଦ୍ଧି ସକାଶେ ଅବଶ୍ୟ ସେମାନେ ଅନୁତାପ କରିଥିବେ । ବୋଧହୁଏ ସେମାନଙ୍କୁ ଦଶା ପଡ଼ିଥିବ, ନହେଲେ ବୁଦ୍ଧିମାନ୍‌ ହୋଇ ଏରୂପ ଅନାଡ଼ିର କାର୍ଯ୍ୟ କରି ନଥାନ୍ତେ । ଯଥା ସମୟରେ ବୈଦ୍ୟଭୂଷଣଙ୍କର ଗୋଟିଏ କନ୍ୟା-ରତ୍ନ ଜାତହେଲା । ବୈଦ୍ୟଭୂଷଣଙ୍କ ମୁଣ୍ଡରେ ଆକାଶ ଭାଙ୍ଗି ପଡ଼ିଲା ।

 

ସେ ଚାରିଆଡ଼ ଅନ୍ଧାର ଦେଖିଲେ । ଏଥି ପୂର୍ବରୁ ତାଙ୍କର ଆହୁରି ଦୁଇଟି ସନ୍ତାନ ଜନ୍ମଗ୍ରହଣ କରିଥିଲେ; ମାତ୍ର ସେମାନେ ମାତୃଅଙ୍କ ଅଳଙ୍କୃତ କରିବା ପୂର୍ବରୁ ମଙ୍ଗଳମୟଙ୍କ ପବିତ୍ର ଅଙ୍କରେ ଯାଇ ଆଶ୍ରୟ ଗ୍ରହଣ କଲେ । ବର୍ତ୍ତମାନ ନବଜାତ କନ୍ୟାଟି ଭୂଷଣଙ୍କର ପଞ୍ଚମ ସନ୍ତାନ । ପୁଅ ନହୋଇ ଝିଅ ହେଲା, ଏହାତ ଗୋଟିଏ ପ୍ରକାଣ୍ଡ ଆପଦ, ପୁଣି ବଥ ଉପରେ ଫୋଟକା-ଝିଅଟି ସୁନ୍ଦରୀ ନୁହେଁ । ଅର୍ଥାତ୍‌ ଚନ୍ଦ୍ର କିରଣରେ ପୁଷ୍ପ ସୌରଭ ମିଶାଇ ବିଧାତା ତାକୁ ଗଢ଼ି ନାହିଁ । ଶିଶୁଟିର ବର୍ଣ୍ଣ ଗୌର; ମାତ୍ର ଖଣ୍ଡେ କଳାଯାଇମନ୍ଦା ତାହା ମୁଖର ବାମପାର୍ଶ୍ୱ ଯାକ ବ୍ୟାପି ରହିଅଛି-। ଠିକ୍‌ ଯେପରି ଅର୍ଦ୍ଧକାଳୀ ଅର୍ଦ୍ଧକପର୍ଦ୍ଦୀ ମୂର୍ତ୍ତି । ବିଧାତା-ବିନ୍ଧାଣୀ ବୋଧହୁଏ ବିଦ୍ରୂପକୁ ରୂପଦାନ କରିଅଛି । ‘‘ବିଧାତା ଭିଆଣ, କୁହ୍ମାର ପିଆଣ’’ ସବୁ ଏକାରକମ ହୁଏ ନାହିଁ । କେଉଁଟା କିପରି ଉତୁରି ଯାଏ ।

•••

 

ଚତୁର୍ଥ ପରିଚ୍ଛେଦ

 

ଶିଶୁ କନ୍ୟାର ପଞ୍ଚୁଆତି, ଷଠିଘର, ଉଠିଆରୀ, ଏକୋଇଶା ସବୁ ହୋଇଗଲା; ମାତ୍ର କାହିଁରେ ଆଡ଼ମ୍ବର ବା ଆନ୍ତରିକତା ଦେଖାଗଲା ନାହିଁ । ଖାଲି ବିଧିରକ୍ଷା ସକାଶେ ‘‘ର-ଠ’’ ଭାବରେ କାମ ଚଳାଇବାକୁ ହେଲା । ମନ ଖୁସି ନ ଥିଲେ ସମସ୍ତଙ୍କର ସବୁ କାର୍ଯ୍ୟରେ ଏହିପରି ଅନାସ୍ଥା ଭାବ ପରିଲକ୍ଷିତ ହୁଏ । ମନ ଭଲ ନଥିଲେ ସୁଖାଦ୍ୟ ମଧ୍ୟ ରୁଚେ ନାହିଁ । ବୈଦ୍ୟଭୂଷଣେ ସବୁବେଳେ ଅପ୍ରସନ୍ନ, ଅଧିକ କଥା କହନ୍ତି ନାହିଁ, ନିର୍ଜନରେ ବସି କି ନିବିଡ଼ ଚିନ୍ତାରେ ନିମଗ୍ନ ହୁଅନ୍ତି, କାହିଁରେ ତାଙ୍କର ମନ ଲାଗେ ନାହିଁ, ରୋଗୀମାନେ ଆସି ସାକ୍ଷାତ ନପାଇ ଫେରି ଯାଆନ୍ତି-। ପଦ୍ମାବତୀ ସ୍ୱାମୀଙ୍କର ଏ ଭାବ ଲକ୍ଷ୍ୟ କରିଆସୁଥିଲେ, ସେ ବଡ଼ ଶଙ୍କିତ ହୋଇପଡ଼ିଲେ-। ସ୍ୱାମୀଙ୍କର ଏ ବୈରାଗ୍ୟର କାରଣ ଜାଣିବାକୁ ତାଙ୍କର ଅଧିକ ବିଳମ୍ବ ହେଲା ନାହିଁ । ସେ ଜାଣନ୍ତି–ତାଙ୍କର ସ୍ୱାମୀ କୃପଣଚୂଡ଼ାମଣି । ସେ ଶରୀରର ରକ୍ତବ୍ୟୟ କରିପାରନ୍ତି; ମାତ୍ର ଅର୍ଥ ବ୍ୟୟ କରିପାରନ୍ତି ନାହିଁ । କନ୍ୟା ଦୁହିଁଙ୍କ ବିବାହରେ କିଛି ଅଧିକ ଖର୍ଚ୍ଚ ହେବାରୁ ତାଙ୍କ ହୃଦୟରୁ ଅବଧି ହାହାକାର ବନ୍ଦ ହୋଇ ନାହିଁ । ଏପରି ଅବସ୍ଥାରେ ପୁଣି କନ୍ୟା ଜାତ, ଏହା ତାଙ୍କର ଅସହ୍ୟ ନ ହୋଇ ଆଉ କଅଣ ହେବ । କନ୍ୟାତ ଗୋଟାଏ ଆପଦ, ପୋଡା କପାଳକୁ ସେ ପୁଣି କୁତ୍ସିତ ଚିହ୍ନରେ ଅଲକ୍ଷଣୀ, ଏହା ଯେ ବିପଦର ପ୍ରଜ୍ଜ୍ୱଳିତ ଅଗ୍ନିକୁଣ୍ଡ । ପଦ୍ମାବତୀ ଏହିପରି ଭାବି ଦିନେ ସ୍ୱାମୀଙ୍କୁ ପଚାରିଲେ–‘‘ଦିନକୁ ଦିନ ତୁମେ ଇମିତି କଳାକାଠ ପଡ଼ିଯାଉଛ କାହିଁକି ? ଝିଅ ହେଲାବୋଲି ଭାବନା କରୁଛ ? ଲୋକେ ସୁନା ପିତୁଳା ଦାନକରି ଚମ ପିତୁଳା ପାଉନାହାନ୍ତି, ଝିଅହେଲା କଅଣ ହେଲା, ସେଇଲାଗି ତୁମେ ଭାବନା କରୁଛ ?’’ ବୈଦ୍ୟଭୂଷଣେ ବଳପୂର୍ବକ ଶୁଷ୍କ ମୁଖକୁ କାଉଁଳିଆ ଖରାପରି ଫିକା ହାସ୍ୟ ଟାଣିଆଣି ଆଶ୍ଚର୍ଯ୍ୟ ହେଲାପରି କହିଲେ–‘‘କାହିଁ କିଛି ଭାବୁ ନାହିଁ ତ, ବେଳେ ବେଳେ ତୁମେ ଆକାଶରୁ ତୋଳିଆଣିଲା ପରି କଥା କୁହ ।’’

 

ପଦ୍ମାବତୀ–ତମେ ଲୁଚାଇଲେ କଅଣ ହେବ, ତୁମ ରୂପ କାନ୍ତି କହି ଦେଉଛି ।

 

ବୈଦ୍ୟ–କଅଣ କହିଦେଉଛି ? ଓଃ, ଖୁବ୍‌ ସାମୁଦ୍ରିକବିଦ୍ୟା ତୁମକୁ ଜଣା, ରୂପ ଦେଖି ମନ ଭିତରର କଥା ଜାଣିପାରୁଛ ?

 

ପଦ୍ମା–ନା, ବିଦ୍ୟା ଫିଦ୍ୟା କିଛି ଜାଣେ ନାହିଁ, ତେବେ ଏତିକି ପଚାରୁଛି ଯେ, ରୂପ ଦେଖିତ ମନ ଜାଣି ହୁଏ ନାହିଁ, ଆଉ ଛୂତ ଦେଖି ରୋଗ ଜାଣି ହୁଏ କିମିତି ? ଆଛା, ସତ କହିଲ–ତୁମେ ମନରେ ଦୁଃଖ କରୁନାହଁ ?

 

ବୈଦ୍ୟ–ସତ କହୁଛି–ମୋର ମନରେ କିଛି ଦୁଃଖ ନାହିଁ, କପାଳରେ ଯାହା ଥିଲା ତାହା ହେଲା, ସେଥିଲାଗି ଦୁଃଖ କରିବି କାହିଁକି ? ବିଧାତାର ଇଚ୍ଛା ଉପରେ ମନୁଷ୍ୟର ଚାରା କଅଣ ଅଛି-। ଦୁଃଖ କଲେ ଝିଅଟା ଆଉ ପୁଅ ହୋଇଯିବ ନାହିଁ । ତେବେ ଦୁଃଖ କରି ଫଳ କଅଣ ।

 

ପଦ୍ମା–ହଉ, ମନରେ ଦୁଃଖ ଯେବେ କରୁ ନଥାଅ, ତେବେ ଭଲ କଥା ଆଛା, କହିଲ ଭଲା ଝିଅ ମୁହଁରୁ ସେ ଚିହ୍ନ କଅଣ ଯିବନାହିଁ ?

 

ବୈଦ୍ୟ–ପିଲାଙ୍କ ଦେହରେ ଏହିପରି କେତେ ଚିହ୍ନ ଦେଖାଯାଏ; ମାତ୍ର ବଡ଼ କାଳକୁ ତାହା ରହେ ନାହିଁ ଆପେ ଆପେ ଛାଡ଼ିଯାଏ ।

 

ପଦ୍ମା–ଯେବେ ନ ଛାଡ଼ିବ ?

 

ବୈଦ୍ୟ–ଓଃ; ଭାରି କଥାଟେ ଯେ, ଅସାଧ୍ୟ ହେବ । ଗୋଟାଏ ଲେପ ତିଆର କରି ଲଗାଇ ଦେଲେ କଳାଜାଇମନ୍ଦାକୁ କିଏ ପଚାରେ, ତା’ ବାପ ବି କୁଆଡ଼େ ମିଳେଇଯିବ ।

 

ପଦ୍ମା–ହଉ, ଭଗବାନ ସେଇଆ କରନ୍ତୁ । ପରଘରୀଟା, ବଞ୍ଚିଥିଲେ ପରଘର ହାଣ୍ଡି ଧୋଇ ଖାଇବ ଆମକୁ ପୋଷିବ ନା ପାଳିବା ଚିହ୍ନଟା ରହିଗଲେ ଲୋକେ ବାଚ୍ଛନ୍ଦ କରିବେ ।

 

ବୈଦ୍ୟ–ଇସ୍‌ ବାଚ୍ଛନ୍ଦ କରିବେ, ବୈଦ୍ୟଭୂଷଣ ଝିଅକୁ ବର ମିଳିବେ ନାହିଁ ? ଇଚ୍ଛାକଲେ ପାଞ୍ଚଗଣ୍ଡା ବର ବାନ୍ଧି ଆଣିବି ।

 

ପଦ୍ମା–ହଁ, ତାହା ନୁହେଁ କଅଣ ? ଛୋଟୀ, ଲେଙ୍ଗଡ଼ୀ, କୁଜୀ, କାଣୀ, ନେଞ୍ଜରୀ, ଅପରଛନୀ, କେମ୍ପୀ, ଟେରୀ କିଏ ବିଭା ନହୋଇ ରହିଛି ଯେ, ଆଉ ମୋ ଝିଅ ରହିଯିବ । ନ ହେଲେ କେଉଁଠୁ ରାଣ୍ଡ ପୁଅଟିଏ ଧରିଆଣି ଘରଜୁଇଁଆ ରଖିବି, ଆଉ କଅଣ ହେବ ।

 

ବୈଦ୍ୟ–ଏହି ଦିନରୁ ସେ ଚିନ୍ତା କାହିଁକି ? ଯେତେବେଳେ ସେ ସମୟ ହେବ ତେତେବେଳେ ଦେଖାଯିବ । ବର ନମିଳିଲେ ସିନା ଘର ଜୁଇଁଆ ରଖିବ, ବର କଅଣ ଡିମରି ଫୁଲ ଯେ ମିଳିବ ନାହିଁ । କେତେ ବରର ବାପ ଆସି ମୋ ଗୋଡ଼ଧରି ଖୋସାମତ କରିବେ, ତମେ ନିଶ୍ଚିନ୍ତ ହୋଇଥାଅ ।

 

ବୈଦ୍ୟଭୂଷଣେ ସ୍ତ୍ରୀଙ୍କୁ ଏହିପରି ପ୍ରବୋଧ ଦେଲେ; ମାତ୍ର ନିଜ ମନକୁ ପ୍ରବୋଧ ଦେଇ ପାରିଲେ ନାହିଁ । ତୁଷାନଳ ପରି ଏହି ଚିନ୍ତା ତାଙ୍କର ଭିତରେ ଭିତରେ କୁହୁଳିବାକୁ ଲାଗିଲା । ଏଣେ ଶିଶୁ କନ୍ୟାଟି ଦିନକୁଦିନ ବଢ଼ିବାକୁ ଲାଗିଲା । ମଙ୍ଗଳ ବାରରେ ଜନ୍ମ ହେତୁ ସମସ୍ତେ ତାକୁ ମଙ୍ଗଳା ବୋଲି ଡାକିଲେ । ସେହି ନାମ ତାର ଚିରକାଳ ରହିଗଲା, ଅନ୍ୟ ନାମକରଣ ହେଲା ନାହିଁ ।

 

ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନି ବର୍ଷ ଗଲା, ମଙ୍ଗଳା ଚାଲିବୁଲି ଶିଖିଲା, କଥା କହି ଶିଖିଲା । ଯେତେ ତାହାର ବୟସ ବଢ଼ିଲା, କଳାଯାଇମନ୍ଦା ଚିହ୍ନ ତେତେ ଉଜ୍ଜ୍ୱଳ ହେବାକୁ ଲାଗିଲା-। ମୁହଁଟି ପୂର୍ଣ୍ଣିମା ଅମାବାସ୍ୟାର ସଂଯୋଗ ପରି ଦେଖାଗଲା । ଗାଁ ପିଲାମାନେ ତାକୁ ପେତୁଣୀ, କିଷ୍କିନ୍ଧ୍ୟାରାଣୀ, କାଳୀଠାକୁରାଣୀ ବୋଲି କହି ଚଳାଇଲେ । ସେ କିଛି ନ କହି କାନ୍ଦେ, ବାପ ମା’ଙ୍କ ପାଖରେ ଆସି ଗୁହାରି କରେ, ସେମାନେ ଯାଇ ସେହି ଦୁଷ୍ଟ ଅବାଧ୍ୟ ପିଲାଗୁଡ଼ାକର ବାପ ମା’ଙ୍କ ସଙ୍ଗରେ କଳି କରନ୍ତି । କେବେ କେବେ ଖେଚଡ଼ା, ବେଚଣ୍ଡା ବାଳୁଙ୍ଗା ପିଲାଗୁଡ଼ାକର ପରମାୟୁର ସ୍ୱଳ୍ପତା କାମନା କରନ୍ତି । ଏହିପରିଭାବରେ ଦିନ ଅତୀତ ହେବାକୁ ଲାଗିଲା ।

 

ପିଲାମାନେ ଅଜ୍ଞାନ ଏବଂ କୌତୁକପ୍ରିୟ, ସେମାନେ ସର୍ବଦା କୌତୁକ ଖୋଜି ବୁଲନ୍ତି । ସେମାନଙ୍କର କଥା ଧର୍ତ୍ତବ୍ୟ ନୁହେଁ । ଅନେକ ବୟସ୍କ ଲୋକ ମଧ୍ୟ ବିଦ୍ରୂପ କରିବାକୁ ମୁଖରୋଚକ ମଣିଲେ । କେହି କେହି ଉପମା ପ୍ରିୟ ବ୍ୟକ୍ତି ରସିକତା କରି କହିଲେ– ମଙ୍ଗଳାର କଳାଯାଇମନ୍ଦା ଚିହ୍ନଟା ଶୁଭ ଲକ୍ଷଣ । ଲେଖିବା ବେଳେ କାଗଜରେ କାଳୀ ଢାଳି ହୋଇଗଲେ ଶୁଭ ହେବ ବୋଲି କହନ୍ତି ପରା । ବିଧାତା କାଳୀ ସଡ଼େଇ ଧରି ମଙ୍ଗଳାର ଭ୍ରୁଲତା ଅଙ୍କନ କରୁଁ କରୁଁ କାଳୀଗୁଡ଼ାକ ତାହା ମୁହଁରେ ଢ଼ାଳିହୋଇଯାଇଛି, ତାହା ଶୁଭଲକ୍ଷଣ ନୁହେଁ କଅଣ ?’’ ଅନ୍ୟ କେହି କହିଲା–‘‘ମୁହଁଟାଯାକ କାଳୀ ଢାଳିଯାଇଥିଲେ ଦିଗୁଣ ଶୁଭ ହୋଇଥାନ୍ତା । ଫାଳେ କଳା ଫାଳେ ଧଳା ଏରୂପ ଅର୍ଦ୍ଧବାନର ମୁଖ ନହୋଇ ପୂର୍ଣ୍ଣବାନର ମୁଖ ହୋଇଥାନ୍ତା । ମନୁଷ୍ୟ ଦେହରେ ମାଙ୍କଡ଼ ମୁହଁ ବଡ଼ ସୁନ୍ଦର ଦିଶନ୍ତା, ଆଉ ସମୟରେ ସେହି ମୂର୍ତ୍ତି କଲିକତା ଯାଦୁଘର ଉଜ୍ଜ୍ୱଳ କରନ୍ତା-। ନାମ ହୁଅନ୍ତା ‘ନରବାନର ଅବତାର’ ।’’ ଯେଉଁମାନେ ମହାପ୍ରାଣ ଆତ୍ମଦର୍ଶୀ, ସେମାନଙ୍କୁ ଏ ରସିକତା ଉଇ ଲାଗିଲାନାହିଁ । କେହି କେହି ‘ସ୍ଥାନ ତ୍ୟାଗେନ ଦୁର୍ଜନ’–ଚାଣକ୍ୟର ଏହି ନୀତି ଉପଦେଶ ପାଳନ କଲେ । କେହି ସତ୍‌ସାହସୀ ଅନ୍ୟାୟ ସହି ନପାରି ପ୍ରତିବାଦ କରି କହିଲେ–‘‘ଈଶ୍ୱରଙ୍କ କାର୍ଯ୍ୟର ସମାଲୋଚନା କରିବାର ଅଧିକାର ତାଙ୍କ ସୃଷ୍ଟିଜୀବ ମନୁଷ୍ୟର ନାହିଁ-। ଈଶ୍ୱର ଯାହାକୁ ଯେପରି ଚିତ୍ର କରିଅଛନ୍ତି, ସେ ସେହିପରି ହୋଇଛି । ସୁନ୍ଦର ସୃଷ୍ଟି ଯେଉଁ ଈଶ୍ୱରଙ୍କର, ଅସୁନ୍ଦର ସୃଷ୍ଟି ବି ସେହି ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କାହାରି ନୁହେଁ । କୁରୂପ ଲୋକକୁ ବ୍ୟଙ୍ଗ ବିଦ୍ରୂପ କଲେ ସେ ପରିହାସ ତାକୁ ହୁଏ ନାହିଁ–ଈଶ୍ୱରଙ୍କୁ ହୁଏ । ଜନ୍ମଦାତାଙ୍କୁ ପରିହାସ କଲେ ପିତୃଦ୍ରୋହ ପାପରେ ଲିପ୍ତ ହେବାକୁ ହୁଏ । ସେ ମହାପାପର ପ୍ରାୟଶ୍ଚିତ୍ତ ନାହିଁ । ତୁମ୍ଭଙ୍କୁ ଯଦି ଈଶ୍ୱର ସେହିପରି କଦର୍ଯ୍ୟ ଭାବରେ ଚିତ୍ର କରିଥାଆନ୍ତେ ତେବେ ତୁମ୍ଭର ଉପମାଟି ତୁମ୍ଭେ ନିଜ ପ୍ରତି ପ୍ରୟୋଗ କରନ୍ତ, କି ? ଲୋକେ ତୁମ୍ଭଙ୍କୁ ପରିହାସ କଲେ ତୁମ୍ଭର ଆତ୍ମା କଅଣ ହୁଅନ୍ତା ? ମଙ୍ଗଳା କୁରୂପା, ତାହାର କୁରୂପ ଚିରକାଳ ତାହାର ହୋଇ ରହିବ, ତାହା ତୁମ୍ଭ ସୁନ୍ଦର ଦେହକୁ ଉଡ଼ିଆସିବ ନାହିଁ, ତେବେ ତୁମ୍ଭର ଏତେ ମୁଣ୍ଡ ବ୍ୟଥା କାହିଁକି ? ରୂପରେ କେହି ପୂଜ୍ୟ ହୁଏ ନାହିଁ, ଗୁଣରେ ହୁଏ-। ଏଣୁଜ୍ଞାନୀମାନେ ଗୁଣର ଆସନ, ରୂପର ଅନେକ ଉଚ୍ଚରେ ନିର୍ଦ୍ଦେଶ କରନ୍ତି । ଅନ୍ୟର ଛିଦ୍ର ବା ଦୋଷ ଅନୁସନ୍ଧାନ କଲେ କିମ୍ବା ଅପରକୁ ବାଛିଲେ ନିଜର ଚରିତ୍ର କଳୁଷିତ ହୁଏ, ସେଥିରେ ନିଜର କ୍ଷତି ଅନିବାର୍ଯ୍ୟ; ମାତ୍ର ଯାହାକୁ ବାଛିବ ତାହାର କିଛି କ୍ଷତି ହେବନାହିଁ । ମନୁଷ୍ୟଦେହ ଧରି ଯେ ମନୁଷ୍ୟକୁ ବାଛେ, ତାହା ଦେହରେ ମନୁଷ୍ୟତାର ଅଭାବ, ସେ ପଶୁଠାରୁ ହୀନ । ପର ଦେହର ମଳି ନ ଦେଖି ଯେ ନିଜ ଦେହର ମଳି ଖୋଜି ଧୋଇ ପାରେ, ସେ ବୁଦ୍ଧିମାନ୍‌; ଅନ୍ୟଥା ନିଜର ସହସ୍ର ଦୋଷ ସତ୍ତ୍ୱେ ଯେ ଅନ୍ୟର ଦୋଷ ଖୋଜି ବୁଲେ ତାହାର ହୃଦୟ ନାହିଁ କି ବିବେକ ନାହିଁ । ପରିହାସ ଦ୍ୱାରା ସେମାନେ ଗୋଟାଏ ତୁଚ୍ଛ ଆନନ୍ଦ ଉପଭୋଗ କରନ୍ତି; ମାତ୍ର ଗୁରୁତର ପାପ ଅଲକ୍ଷ୍ୟରେ ସେମାନଙ୍କ ସ୍କନ୍ଧରେ ଆରୋହଣ କରେ । ସେମାନଙ୍କଠାରୁ ବଳି ଦୁର୍ଭାଗ୍ୟ ଜଗତରେ ନାହିଁ ।

 

ମଙ୍ଗଳାର ବୟସ ଆସି ଏଗାର ବାର ବର୍ଷ ହୋଇଗଲା । କଥାରେ କହନ୍ତି, ‘ମାତା ଗୁଣେ ଦୁହିତା’ ମଙ୍ଗଳା ଏହି ଉକ୍ତିର ସାର୍ଥକତା ସମ୍ପାଦନ କଲା । ସେ ମା’ପରି ମୁଖରା, ଅଭିମାନିନୀ, ଗାଁ ଝିଅମାନଙ୍କୁ ଖାତରକରେ ନାହିଁ, ସମସ୍ତଙ୍କୁ ଇତର ଦୃଷ୍ଟିରେ ଦେଖେ । ତାହାର ବିଶ୍ୱାସ-ରୂପରେ, ଗୁଣରେ ମହୀମଣ୍ଡଳରେ ତାହାର ସମକକ୍ଷ କେହି ନାହିଁ । ବଡ଼ଘରର ଝିଅ ବୋଲି ଭାରି ଗୁମାନ କରେ । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାହା ମୁହଁର କଳା ଚିହ୍ନଟା ଚନ୍ଦ୍ରରେ ଗ୍ରହଣ ଲାଗିଲା ପରି ଉଜ୍ଜ୍ୱଳ ହୋଇଉଠିଲା । ପିତା ମାତାଙ୍କର ଭାବନା କ୍ରମରେ ବଢ଼ିବାକୁ ଲାଗିଲା । ଦିନେ ପଦ୍ମାବତୀ ସ୍ୱାମୀଙ୍କୁ କହିଲେ–‘‘ମଙ୍ଗଳାର କଳାଯାଇମନ୍ଦା ଖଣ୍ଡତ ମିଳେଇ ଗଲାନାହିଁ, ଦିନକୁ ଦିନ ଅଧିକ ଚହଟ ଦିଶୁଛି; ତମେ କି ଲେପ ଦେବବୋଲି କହୁଥିଲ ପରା, ଦେଉନାହଁ କାହିଁକି ? ତାହାର ମୁହଁଟା କି ଅଲକ୍ଷଣ ଦିଶୁଛି ।’’ ବୈଦ୍ୟଭୂଷଣେ କହିଲେ–‘‘ଆଗେ ଗୋଟାଏ ତୈଳ ଦିଏଁ, ମାଲିସ କର, ସେଥିରେ ନ ଗଲେ ଲେପ କରିଦେବି ।’’ ମାସେଯାଏଁ ତୈଳ ମାଲିସ କରାହେଲା; ମାତ୍ର କିଛି ଫଳ ହେଲା ନାହିଁ । ତହୁଁ ଲେପ ଦିଆଗଲା, କିନ୍ତୁ ହିତରେ ବିପରୀତ ହେଲା । ମୁହଁ ଫୁଲିଯାଇ ଘା ହୋଇଗଲା । ମଙ୍ଗଳା ବଡ଼ କଷ୍ଟ ପାଇଲା ଘା’ର ଜଳା ପୋଡ଼ା ଯନ୍ତ୍ରଣାରେ ଅସ୍ଥିର ହେଲା । ପଦ୍ମାବତୀ ସ୍ୱାମୀଙ୍କୁ କହିଲା–‘‘ଏ କଅଣ କଲ, ଝିଅକୁ ସୁନ୍ଦରୀ ବନାଇବାକୁ ଯାଇ ସନ୍ତାନ ହତ୍ୟା ପାପ କରିବ ନା କଅଣ ? ଘା’ଟା ଆଖିକି ମାଡ଼ି ଗଲେ ଆଖି ଆଉକଅଣ ରହିବ ? ତୁଚ୍ଛାକୁ ତ ମୁହଁଟା ବିରୂପ ଦିଶୁଛି, କାଣୀ ହୋଇଗଲେ ଆହୁରି ପରପଞ୍ଚ ଦିଶିବ । ନା-ନା, ଆଉ ଦରକାର ନାହିଁ, ତମ ବୈଦ୍ୟ ବିଦ୍ୟା ଏତିକି ଥାଉ, ଘା କିମିତି ଶୁଖିବ ତାହା କର । ଝିଅ କପାଳରେ ଯାହା ଥିବ ତାହା ହେବ, ଜାଣୁ ଜାଣୁ ତାକୁ ମାରିପକାଇବା କାହିଁକି ?’’ ବୈଦ୍ୟଭୂଷଣେ ଟିକିଏ ଅପ୍ରତିଭ ହେଲେ; ମାତ୍ର ମୁହଁଟାଣ ଛାଡ଼ିବାର ପାତ୍ର ନୁହନ୍ତି, ସେ କହିଲେ–‘ଏ ସବୁ ଜନ୍ମଗତ ରୋଗ, ସହଜରେ ଭଲ ହୁଏ ନାହିଁ, ମୁଁ କଅଣ କରିବି । ଆଛା, ମଲମ ଦେଇ ଘା ଶୁଖାଇ ଦେଉଛି, ପରେ ଯାହା ହେବ ଦେଖାଯିବ ।’’ ଅନନ୍ତର ବୈଦ୍ୟଭୂଷଣେ ମଲମ ତିଆରି କରିଦେଲେ; ବହୁଦିନ ପରେ ବହୁ କଷ୍ଟରେ ମଙ୍ଗଳାର ଘା ଶୁଖିଗଲା । ବୈଦ୍ୟଭୂଷଣଙ୍କର ବିଦ୍ୟା ବୁଦ୍ଧି ଶେଷ ହେଲା, ମାତ୍ର କଳାଜାଇମନ୍ଦା ମିଳାଇ ଗଲା ନାହିଁ । ତାହା ଯେଉଁ ପରି ଥିଲା ସେହିପରି ରହିଲା । କେବଳ ମଙ୍ଗଳାର ଯନ୍ତ୍ରଣା ଭୋଗ ସାର ହେଲା । ବୈଦ୍ୟଭୂଷଣେ ବିଧି ବିଧାନ ବ୍ୟର୍ଥ କରିବାକୁ ପ୍ରୟାସ କରୁଥିଲେ; ମାତ୍ର ତାଙ୍କର ବିଦ୍ୟା କୁଳାଇଲା ନାହିଁ; ସୁତରାଂ ସେ ଭଗ୍ନମନୋରଥ ହୋଇ ସେହି କୋଟି ବୈଦ୍ୟର ଅସାଧ୍ୟ କାର୍ଯ୍ୟରୁ ନିରସ୍ତ ହେଲେ ।

•••

 

ପଞ୍ଚମ ପରିଚ୍ଛେଦ

 

ମଙ୍ଗଳା ବଡ଼ ଉଦୁଣ୍ଡୀ, ସ୍ତ୍ରୀଜାତି ସୁଲଭ କୋମଳଭାବ ତାହାର ନାହିଁ । ସେ ପୁରୁଷ ପରି କଥା କହେ, ପୁରୁଷ ପରି ଚାଲେ, ପୁରୁଷ ପରି ହସେ । ଅନେକ ଦିନଯାଏଁ ପୁରୁଷ ପରି ଲୁଗା ପିନ୍ଧୁଥିଲା, ତାହାର ପିଉସୀ ଅମ୍ବିକା ବହୁ ଚେଷ୍ଟାରେ ତାର ସେ ଅଭ୍ୟାସ ଛଡ଼ାଇ ଅଛି । ଲାଜ-ସଙ୍କୋଚ ତ ବିଧାତା ତାହା ପତ୍ରରେ ବାଢ଼ି ନାହିଁ । ଗ୍ରାମର ସ୍ତ୍ରୀସମାଜରେ ତାହାର ନାମ ଅଣ୍ଡିରାଚଣ୍ଡୀ ହୋଇଥିଲା । ବାଳିକାମାନେ ପ୍ରଥମତଃ ପ୍ରଗଲ୍‌ଭା ହୁଅନ୍ତି; ମାତ୍ର ବୟୋବୃଦ୍ଧିରେ ତାହା ଛାଡ଼ିଯାଏ । କିନ୍ତୁ ମଙ୍ଗଳା ସେ ଶ୍ରେଣୀର ଜୀବ ନୁହେଁ, ସେ ବାଲ୍ୟ ଅତିକ୍ରମ କରି କୈଶୋରରେ ପଦାର୍ପଣ କଲା; ତଥାପି ତାହାର ରୀତି ଗତିର ପରିବର୍ତ୍ତନ ଘଟିଲା ନାହିଁ । ସେ ବଡ଼ ଅଖାଡ଼ୁଆ କଥା କହେ । ଅନ୍ୟର ମର୍ମରେ ବ୍ୟଥା ଦିଏ । ଢ଼ମ ଗାଇବା ବିଷୟରେ ତାହାର ସମକକ୍ଷ କେହି ନଥିଲେ । ଗାଁରେ ବୁଲିବା ତାହାର ଗୋଟାଏ ରୋଗ । ଘରେ ରହିଲେ ତାହାର ଖାଦ୍ୟ ଜୀର୍ଣ୍ଣ ହୁଏନାହିଁ । ସମସ୍ତଙ୍କୁ ତିଆରିବା ତାହାର ଗୋଟାଏ ଜଟିଳ ସଙ୍କଟ ରୋଗ । ବୈଦ୍ୟଭୂଷଣଙ୍କର ଖଣ୍ଡିଏ କୋଠା ଅଛି, ତାହା ତାଙ୍କର ପୈତୃକ । ମଙ୍ଗଳା ସେହି କୋଠାରେ ଜନ୍ମଗ୍ରହଣ କରି ସେହି କୋଠାରେ ବଢ଼ି ଅଛି । ସୁତରାଂ ମାଟି ତାର ହାଡ଼େ ହାଡ଼େ ଘୃଣା । ତାହାର ଧାରଣା ଏହି ଯେ, ଇତର ଜାତିର ଜୀବବିଶେଷ ଛଡ଼ା ମାଟି ଘରେ ଭଦ୍ରଲୋକ ରହନ୍ତି ନାହିଁ । ସେ ଅନେକ ସମୟରେ କହେ–‘‘ମାଟି ଘରେ କିମିତି ମଣିଷ ଗୁଡ଼ାକ ରହନ୍ତି ? କାନ୍ଥକୁ ଆଉଜି ବସିଲେ ଲୁଗାରେ ମାଟିଲାଗି ମଳିଆ ହୋଇଯାଏ ନାହିଁ ? ଦେହରେତ ମଳି ଲାଗିଯାଉଥିବ ? ମୋତେ ମାରି ପକାଇଲେ ମୁଁ ରହିବି କି, ଛି ଗରିବ ଲୋକଗୁଡ଼ାକ ମଣିଷ ନା ପଶୁ ?’’ ଗାଁ ବୁଲିବାକୁ ଯାଇ କାହାରି ଘରେ ଶାଗ ଖରଡ଼ା ହେଉଥିବାର ଦେଖିଲେ କହେ–‘‘ଶାଗ ଗୁଡ଼ାକ କିମିତି ଲାଗେ ?’’ କେହି ଯଦି କହେ–‘‘ତୁ ଶାଗ ଖାଉନାହିଁ କି ? ତେବେ ମଙ୍ଗଳା ତାଚ୍ଛଲ୍ୟ ପ୍ରକାଶ କରି କହେ–‘‘ମୁଁ କାହିଁକି ମୋର କେଉଁ ପୁରୁଷରେ କେହି ଛୁଇଁ ନାହାନ୍ତି । ଗୋରୁ ଛେଳି ପରି ଘାସ ପତ୍ର ଆମର କେହି ଖାଆନ୍ତି ନାହିଁ । କ୍ଷିରୀ କାକରା ତ ଗୋରୁହାଣ୍ଡିକି ଯାଉଛି, ଆଉ ଶାଗକୁ କିଏ ପଚାରେ । ରଜା ଘରୁ ରୋଜ ଭାରେ ଖଜା ପିଠା ଆସେ, କେତେ ଖାଇବୁ; ଖାଇ ଖାଇ ଅସୁଖ ଲାଗିଲାଣି । ଚାକର ଚାକରାଣୀ ଆଉ ମୂଲିଆମାନଙ୍କୁ ବାଣ୍ଟି କୁଣ୍ଟି ଦେଇ ଯାହା ବଳେ, ତାହା ଗୋରୁ ଖାଆନ୍ତି । ଆଇଲା ଗଲା ଲୋକେବି ଖାଆ । ଆଉ ଦିନେ ଦିନେ ସାହିର ପିଲାମାନଙ୍କୁ ଡାକି ବାପା ନିଜେ ବାଣ୍ଟି ଦିଅନ୍ତି । ବିରାଡ଼ି ମାଛ ଶୁଖୁଆ ଦେଖି କାମୁଡ଼ାକାମୁଡ଼ି ଲାଗିଲା ପରି ପିଲାଗୁଡ଼ାକତ ତଡ଼ାତଡ଼ି, ମରାମରି ଲଗାନ୍ତି । କି ରଙ୍କ କାଙ୍ଗାଳି ଗୁଡ଼ାକ ଲୋ ମାରାଣି, ଯିମିତି ଚଉଦ ଜନ୍ମରେ ଖଜାପିଠାର ଗନ୍ଧ ସୁଙ୍ଗି ନାହାନ୍ତି । ଯାହା କହନ୍ତି–‘‘ଦରିଦ୍ର ଜୀବନ ତାହା ସତ ।’’ କେବେ ଗାଁରେ ଯାଇଁ କହି ବୁଲେ–‘‘ମୋ ବାପା ଆଜି ଛାମୁରୁ ପାଟ ଯଥା ଆଉ ପାଞ୍ଚକୋଡ଼ି ଷୋଳ ଟଙ୍କା ଇନାମ ପାଇଛନ୍ତି । ମହାଦେଈ ମଣିମାଙ୍କ ଦାନ୍ତମୂଳ ବିନ୍ଧୁଥିଲା, ସେ ଖାଇପାରୁ ନଥିଲେ କି ଶୋଇପାରୁ ନଥିଲେ । ରାଜା ଆଜ୍ଞା ହେଲେ–‘ବୈଦ୍ୟଭୂଷଣେ ରାଣୀଙ୍କି ଯେବେ ଘଡ଼ିକ ଭିତରେ ଭଲକରି ଦେବେ, ତେବେ ତୁମକୁ ଭଲ ‘ଇନାମ’ ମିଳିବ ।’ ବାପା କହିଲେ–ଘଡ଼ିଏ କାହିଁକି ମହାରାଜା, ନିମିଷକେ ଭଲ କରିଦେବି ।’ ସତକୁ ସତ ଏକା ପାନକେ ଲହମାକ ଭିତରେ ଦାନ୍ତର ଶୂଳା, ବିନ୍ଧା ନିଆଁରେ ପାଣି ଢାଳିଲା ପରି ବନ୍ଦ ହୋଇଗଲା । ସାଙ୍ଗେ ସାଙ୍ଗେ ବାପାଙ୍କୁ ଇନାମ ଦିଆଗଲା । ବାପାଙ୍କୁ ରଜା ଯିମିତି ଭଲପାଆନ୍ତି ଗଡ଼ରେ କାହାକୁ ସେମିତି ଭଲପାଆନ୍ତି ନାହିଁ । ବାପାଙ୍କ କଥାକୁ ସେ ତିଳେ ହେଲେ ପକାଇ ଦିଅନ୍ତି ନାହିଁ ।’ ଏହିପରି ମଙ୍ଗଳା ଅନେକ ପ୍ରୌଢ଼ୀ ବାଢ଼େ । କାହା ଘରେଯାଇ ପଚାରେ–‘‘କାଲି ସାତ ଘଡ଼ି ଗଲା, ରଜାଘର ତମକୁ କଅଣ ଦେଇଥିଲେ ? ଆମ ଘରକୁ ଦିଭାର ପିଠା, ଖଜା, ମୁଆଁ, ପୁଳି, କାକରା ହେରିକା ଦେଇଥିଲେ, କେହି ଯଦି ପଚାରେ ଏକା ତମ ଘରକୁ ତ ଦି ଭାର ଦେଇଥିଲେ, ରଜାଘର କେତେ ଭାର ସାମଗ୍ରୀ କରିଥିଲେ ? ତେବେ ମଙ୍ଗଳା କହେ–କେତେ କରିଥିଲେ ? ତିନି ଦିନ ହେଲା ସାତ ଜଣ ଗୁଡ଼ିଆ ଚୁଲ୍ଲିରେ ତେଲୁଣୀ ବସାଇ ଛାଙ୍କୁଥିଲେ ପରା । ରାଜାଙ୍କ ଘରର କଥା, ତୁମ୍ଭପରି କି ଆଉ କାହାପରି ଗରିବ ଘରର କଥା ହୋଇଛି କି ? ବାଲି ଗୁଡ଼ି ମିଶା କୁଣ୍ଡାପିଠା ଖଣ୍ଡେ ହେଲେ କାମ ଚଳିଯିବ ।’’ କାହାରିକୁ ଘଷିତାଡ଼ୁ ଥିବାର ଦେଖିଲେ ମଙ୍ଗଳା ନାକରେ ଲୁଗାବିଣ୍ଡା ଗୁଞ୍ଜି କହେ, ‘‘ପଚାଗୋବରଗୁଡ଼ାକ ହାତରେ ଚକଟା ମକଟା କରୁଛୁ ସେହି ହାତରେ ଭାତ ଖାଇବୁ କିମିତି ହାତ ଗନ୍ଧ କରିବ ନାହିଁ ? ଛି ତମେସବୁ ବଡ଼ ନେସନୀ ଅପରଛନୀ । ଇସ୍‌ ମୁଁ ତ ବାନ୍ତିକରି ମରିଯାଆନ୍ତି । ତୁମ ହାତରୁ ପାଣି ଛୁଇଁ ବା ବି ଉଚିତ ନୁହେଁ, ତୁମକୁ ଅସୁଖ ଲାଗେ ନାହିଁ ନା ? ‘‘ଦିନେ ତାହାର ଗୁସୁମା ବୟସୀ ବୁରୁନ୍ଦୀ ବୁଢ଼ୀକୁ ଏହିପରି କହିବାରୁ ସେ ହସି ହସି କହିଲା–‘‘ହଁ, ଲୋ ଭଉଣି, ତଳବରଡା ଖସୁଛି, ମଝି ବରଡା ହସୁଛି, ଉପର ବରଡା ଥାଇ ବୋଇଲା ମୋ ଦିନକାଳ ଆସୁଛି, ତୁ ବି ଦିନେ ଗୋବର ତାଡ଼ିବୁ ଯେ–ତୋଲାଗି ଆଉ କଉଁ ରଜାପୁଅ ବରବେଶ ହୋଇ ଆସିବକି; ତୁମରି ଜାତିରୁ ତ ଗୋଟାଏ ଆସିବ । ଏତେ ବଡାଇ କରନା, ତୋ କପାଳରେ କଅଣ ଅଛି, ତୁ ତାହା ଜାଣିଛୁ ନା ?’’ ମଙ୍ଗଳା ଏହା ଶୁଣି ବିଚିତ୍ର ଭଙ୍ଗିରେ ନାଚି ଉଠି କହିଲା ‘‘ଇସ୍, ମୋର ଗରଜ ପଡ଼ିଛି–ଘଷି ତାଡ଼ିବି । ଏତେ ଗରଜ–ପାନବରଜ । ଓହୋ–ବୁଢ଼ୀ ମାଙ୍କିଡ଼ିର ବାଲିଙ୍ଗି ଦେଖ, ମତେ ପୁଣି କହୁଛି କଅଣ ନା–ଘଷି ତାଡ଼ିବୁ,କି ଲୋ, କଅଣ କରି ପାଇଲୁଣି କି ?’’ ବୁରୁନ୍ଦୀ ବୁଢ଼ୀ ହେଲେ କଅଣ ହେଲା, ତାହାର ସେହି ବୁଢ଼ା ହାଡ଼ରେ ଯୁବତୀର ବଳ, ଅନ୍ତତଃ କଳହ ଯୁଦ୍ଧରେ ଜିହ୍ୱା ଯୁଦ୍ଧରେ ସେ ଭୀଷ୍ମ ଦ୍ରୋଣପରି ମହାରଥୀ । ତାହା ଜୀବନରେ ସେ କେତେ ମହାଯୁଦ୍ଧରେ ଜୟପତକା ଉଡ଼ାଇ ଖ୍ୟାତି ଲାଭ କରିଅଛି । ‘‘ସମର ପାଇଲେ ତାର ଅଶେଷ ଆନନ୍ଦ’’–ସେ କି ନୀରବ ରହିବାର ଜନ୍ତୁ ? ବୁରୁନ୍ଦୀ ଘଷିତଡା ଛାଡ଼ି, ପାଟିରେ ଅବଶିଷ୍ଟ ଯେ କେତେଟା ଦାନ୍ତଥିଲା, ତାହାରି ସାହାଯ୍ୟରେ ଖୁବ୍‌ ଦମେ ହସି କହିଲା–‘‘ନା ଲୋ, ତୁ ଫୁଲଦୋଳାରେ ବସି ଫୁଲରାଣୀ ହୋଇ ଝୁଲିବୁ । ଯେ ବର ହୋଇ ଆସିବ, ତାହାରି କପାଳ ବାମ, ସେଇ ଦଉଡ଼ି ଧରି ଝୁଲେଇବ । ମାଙ୍କିଡ଼ୀ କିଏ–ତୁ, ନା ମୁଁ ? କାହା ମୁହଁ ମାଙ୍କଡ଼ ମୁହଁପରି, ଚାଲନି ଭଲା ଦାଣ୍ଡରେ ଦଶଜଣଙ୍କୁ ପଚାରିବା । ଆଛା, ତୁ ସମସ୍ତଙ୍କୁ ବାଛୁ କାହିଁକି କହନି–ମଙ୍ଗଳାଚଣ୍ଡି ? ତୋ ଲେଖାରେ ସମସ୍ତେ ଅସୁନ୍ଦର, ଆଉ ତୁହି ଏକା ଅପ୍‌ସରୀ କନ୍ୟା ସ୍ୱର୍ଗରୁ ଛିଡ଼ିପଡ଼ିଛୁ । ତୋର ଏତେ ଦିମାକ୍‌ ଏତେ ଗୁମାନ କାହିଁକି ? ସେହି ଗୁଣରୁ ବିଧାତା ତ ଲୁହା ଜାଣି ପାଣିଦେଇଛି । ପେଚା ମୁହଁତ ଆହୁରି କେଡ଼େ ସୁନ୍ଦର, ତୋ ମୁହଁଟା ତାଠଉଁ ବି ହୀନ । ଏଇଥିରେ ତୁ ପରକୁ ବାଛୁ-? କହନ୍ତି ପରା–‘ତୋ ଦେହରେ ବୋଝେ କାଛୁ ତୁ ପୁଣି ପରକୁ ବାଛୁ ।’ ଏତେ ବଡ଼େଇ କର ନା, ଠାକୁରେ କାହାରି ଗାରିମା ସହି ପାରନ୍ତି ନାହିଁ । ମଙ୍ଗଳା ବୁରୁନ୍ଦୀଠାରୁ ଏପରି ମର୍ମନ୍ତୁଦ କଥା ଶୁଣିବାକୁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଚିରକାଳ ତାହାର ବିଶ୍ୱାସ–ଯେଉଁ ବୈଦ୍ୟଭୂଷଣଙ୍କ ପ୍ରତି ରାଜାଙ୍କର ପୂର୍ଣ୍ଣ ଅନୁଗ୍ରହ ହେତୁ ଗର୍ଭିଣୀ ଗାଈ ତାଙ୍କୁ ବାଟ ଛାଡ଼ିଦିଏ, ସେ ସେହି ବୈଦ୍ୟଭୂଷଣଙ୍କର କନ୍ୟା, ତାକୁ ତୁଟି କରି କହିବାକୁ ମୁଣ୍ଡ କାହାର; ମାତ୍ର ବୁରୁନ୍ଦୀ ତାହାର ଏ ଧାରଣା ଭାଙ୍ଗି ଦେଲା । ସେ ବୁଝିପାରିଲା–ଆଉ ଅଧିକ ଅଗ୍ରସର ହେଲେ ବୁରୁନ୍ଦୀ ପୁରୁଣା ପଙ୍କ ଉଝାଳି ଦେବ; ସୁତରାଂ ନୀରବରେ ପୃଷ୍ଠଭଙ୍ଗଦେଇ ଚାଲିଗଲା । ଏହି ପରାଜୟ ଉତ୍ତାରୁ ସେ ବୁରୁନ୍ଦୀକୁ ଆଉ କେବେ କଥା କହିନାହିଁ ।

 

ମଙ୍ଗଳା ବିବାହ ଯୋଗ୍ୟା ହେଲା, ତାହା ପାଇଁ ବର ଖୋଜିବା ସକାଶେ ପଦ୍ମାବତୀ ସ୍ୱାମୀଙ୍କୁ ବାରମ୍ବାର ତାକିତ୍‌ କରିବାକୁ ଲାଗିଲେ । ବୈଦ୍ୟଭୂଷଣେ ଥରେ ଯେଉଁ ଚିନ୍ତାରୁ ତ୍ରାହି ଲଭିଥିଲେ, ବିଧାତା ପୁଣି ତାଙ୍କୁ ସେହି ଚିନ୍ତାରେ ପକାଇଲା । କଅଣ କରିବେ, ଉପାୟତ ନାହିଁ । ଝିଅର ବାପ ହେବେନାହିଁ ବୋଲି ସେ ତ ଦୃଢ଼ ପ୍ରତିଜ୍ଞା କରିଥିଲେ; ମାତ୍ର ବିଧାତାର ହଟକୁ ବଳ କାହାର ? ତାଙ୍କ ମନରେ ଚିନ୍ତା ଘାରିଲା, ସେ କ୍ରମେ ଦୁର୍ବଳ ହୋଇପଡ଼ିଲେ । ବୈଦ୍ୟଭୂଷଣ ତ କୃପଣ, ତାଙ୍କ କଥା ଛାଡ଼–ଅକୃପଣ ବ୍ୟକ୍ତିଙ୍କୁ ସୁଦ୍ଧା କନ୍ୟାଦାୟ ଚିନ୍ତାରେ ରାତ୍ରରେ ନିଦ୍ରା ହୁଏ ନାହିଁ-। କନ୍ୟାଦାୟ ବଡ଼ ବିଷମ ଦାୟ, ଭୁକ୍ତଭୋଗୀ ନ ହେଲେ କେବଳ ଲେଖା ପଢ଼ି ସେଥିରେ ଗୁରୁତ୍ୱ ଉପଲବ୍‌ଧି କରି ହୁଏ ନାହିଁ । ବିଶେଷତଃ ଆଜିକାଲି ବର ବଜାର ସରଗରମ ଦେଖି କନ୍ୟାଦାୟଗ୍ରସ୍ତ ଭଦ୍ରବ୍ୟକ୍ତିର ବାନପ୍ରସ୍ଥ ଅବଲମ୍ବନ କରିବାକୁ ଇଚ୍ଛାହୁଏ । ଇତର ସମାଜରେ କନ୍ୟା ବିକ୍ରୟ ଚଳେ, ଆଉ ଭଦ୍ର ସମାଜ ବର ବିକ୍ରୟ କରେ–ଆଧୁନିକ ଇତର ଭଦ୍ରର ପ୍ରଭେଦ ଏତିକି । ଶିକ୍ଷିତ, ପଦସ୍ଥ ଧନୀଲୋକମାନଙ୍କୁ ଦୁର୍ଭିକ୍ଷ ଏତେ ବାଧେ ଯେ, ସନ୍ତାନ ବିକ୍ରୟ ନ କଲେ ସେମାନଙ୍କର ମହା କ୍ଷୁଧାନଳ ଶାନ୍ତି ଭଜେନାହିଁ । ଏ ପାପ କେବେ ତିରୋହିବ ହେବ ? ଯେବେ ହେବ, ତେବେ ସମାଜର ମୁମୁର୍ଷୁ ପିଣ୍ଡରେ ପ୍ରାଣର ସଞ୍ଚାର ହେବ । ଏହା କି ହେବ ? ଏ ସଂସାରରେ କିଛି ଅସମ୍ଭବ ନୁହେଁ–ଏହାହିଁ ପ୍ରାଣର ସାନ୍ତ୍ୱନା ।

 

ବୈଦ୍ୟଭୂଷଣେ ଏଥର ବଡ଼ଘରେ ସମ୍ବନ୍ଧ କରିବାକୁ ପଶ୍ଚାତ୍ପଦ । ଥରେ ବଡ଼ଗଛରୁ ପଡ଼ି ଖୁବ୍‌ କେଞ୍ଚେ ପାଇଅଛନ୍ତି; ସୁତରାଂ ବଡ଼ଗଛରେ ଚଢ଼ିବାର ଶାଧ ତାଙ୍କର ଆଉ ନାହିଁ । ଏଥର ସେ ମଧ୍ୟବିତ୍ତ କିମ୍ବା ଗରିବ ଘରେ ମଧ୍ୟ ଝିଅ ଦେବାକୁ କୁଣ୍ଠିତ ନୁହନ୍ତି । ବୈଦ୍ୟଭୂଷଣେ ବନ୍ଧୁବାନ୍ଧବମାନଙ୍କଦ୍ୱାରା ବର ଖୋଜାଇଲେ–ନିଜେ ମଧ୍ୟ ଖୋଜିଲେ । ତାଙ୍କ ଦାତାପଣ ତ ସମସ୍ତଙ୍କୁ ଜଣା, ତେଣୁ ବର ମିଳିବା ସହଜ ହେଲା ନାହିଁ । ଦୂରବର୍ତ୍ତୀ ସ୍ଥାନରୁ ଯେଉଁ ପ୍ରସଙ୍ଗ ଆସିଲା, ବୈଦ୍ୟଭୂଷଣଙ୍କ ଶତ୍ରୁମାନେ ଖଚ କହି ତାହା ଭାଙ୍ଗିଦେଲେ । ଯେ ସମସ୍ତଙ୍କ ନାମରେ ଖଚ କହେ, ତାହା ନାମରେ ଖଚ କହିବା ଲୋକର ଅଭାବ ହୁଏ ନାହିଁ । କନ୍ୟା ରୂପ ଗୁଣର ମହିଁମା ଶୁଣି କେହି ନିଜେ ନାସ୍ତି କରିଗଲେ । ଅନେକ ଖଞ୍ଜଖାଞ୍ଜରେ ଗୋଟାଏ ଜାଗା ସ୍ଥିର ହେଲା । ବରର ପିତା ଗରିବ । ଧନୀ ଘରୁ ପୁଳାଏ ପାଇବା ଆଶାରେ ତାହାର ମନ ଟାକୁ ଟାକୁ ହେଲା । ପକ୍ଷର ଲୋକେ ତାକୁ ସେହିପରି ଗୋଟାଏ ଉଚ୍ଚଧରଣର ଲୋଭ ମଧ୍ୟ ଦେଖାଇଥିଲେ । ସେଥିରେ ଲୋକଟା ଭୁଲିଯାଇଥିଲା । କିନ୍ତୁ ବରର ମା କୌଣସି ମତେ ମଙ୍ଗିଲା ନାହିଁ । ସେ କହିଲା–‘‘ମୋର ସାତଟା ଅଛି, ନା ପାଞ୍ଚଟା ଅଛି–ଧାଇଁ ଧାଇଁ ଖଣ୍ଡେ, ମୁଁ ଜାଣୁ ଜାଣୁ ଉଆଁସୀ କନ୍ୟାଟାଏ ତା’ ବେକରେ ଛନ୍ଦିବି । ମୁଁ ଶୁଣିଛି–ଉଆଁସ ଦିନ ତାହାର ଜନ୍ମ, ବାପ ମା ଏଡ଼େ ସିଆଣା ଯେ ଜାତକ ବଦଳାଇ ଦେଇଛନ୍ତି । ଆଉ ରୂପ ତ କାଳ ପେଚାଠଉଁ ବଳେ । ସେ ଶ୍ମଶାନକାଳିକା, ଯାହା ଘରକୁ ଯିବ, ମାସେ ନ ଯାଉଁଣୁ ଜିଭ ବୁଲେଇ ଦେଇ ତାହା ବଂଶଯାକ ପାଇଦେଇ ବସିବ । ମୋ ପୁଅ ମୂଲିଆ ମୂର୍ଖ, ନା ଛୋଟା ଲେଙ୍ଗଡା ଯେ ତାକୁ କନ୍ୟା ଅପୂର୍ବ ହେବ । ଟଙ୍କା ଲୋଭରେ ମୁଁ କଅଣ ପୁଅକୁ ଚାହିଁବି ନାହିଁ ? ପୁଅ ବଡ଼, ନା ଟଙ୍କା ବଡ଼, ପୋଡ଼ି ଯାଉ ସେ ଟଙ୍କା ।’’ କନ୍ୟା ପକ୍ଷର ଟରଣିମାନେ ତାକୁ ଅନେକ ବୁଝାଇଲେ, ମାତ୍ର ସେ କଥାରେ ସେ କର୍ଣ୍ଣଦାନ କଲା ନାହିଁ । ତହୁଁ ଅଗତ୍ୟା ପ୍ରସଙ୍ଗ ଭାଙ୍ଗି ଗଲା ।

 

ବୈଦ୍ୟଭୂଷଣେ ବହୁ ସ୍ଥାନରେ ହତାଶ ହୋଇ ପଦ୍ମାବତୀଙ୍କୁ ପଚାରିଲେ–‘‘ଏବେ କଅଣ କରାଯିବ’’ ମୋତେ କିଛି ବୁଦ୍ଧି ଦିଶୁନାହିଁ, ତୁମେ ଯାହା କରିବାର କର । ଯେ ଝିଅ ଜନ୍ମ କରେ ସେ ଝକ୍‌ମାରେ–ଧିକ ତା ଜୀବନ ! ପୁଅ ନ ହେଲେ ଆଣ୍ଠକୁଡ଼ା ହୋଇ ରହିବ ପଛେ ଆଉ ଚୁଲ୍ଲୀ ଝିଅଜନ୍ମ କରିବ ନାହିଁ । କେତେ ହିନସ୍ତା କେତେ ଲୋକଙ୍କ ଗୋଡ଼ଧରା ତେବେ ବି ଝିଅ ବାପର ପୋଡ଼ା କପାଳ ସଳଖ ହୁଏ ନାହିଁ ।’’ ପଦ୍ମାବତୀ ସ୍ୱାମୀଙ୍କର ଖେଦୋକ୍ତି ଶୁଣି ଦୀର୍ଘ ନିଃଶ୍ୱାସ ପକାଇ କହିଲା–‘‘କପାଳରେ ଯାହା ଥିବ ତାହା ହେବ–ତୁମେ ଆଉ ଏତେ ସନ୍ତାପି ହୁଅନାହିଁ । ପୋଡ଼ିକପାଳୀ କି କୁକ୍ଷଣରେ ମୋ ପେଟରୁ ପଡ଼ିଥିଲା ଯେ ହନ୍ତସନ୍ତ କରି ମାରିଲା । ଆଛା ଗୋଟାଏ କଥା କଲେ ହୁଅନ୍ତା ନାହିଁ ? ଆମର ତ ଆଉ କେହି ନାହିଁ, ଗୋଟିଏ କାହାକୁ ଘର ଜୁଇଁଆ କରି ରଖିଲେ ହୁଅନ୍ତା ନାହିଁ ? ଆମର ଏତେ ସମ୍ପତ୍ତି ଅଛି, ଭୋଗ କରିବ କିଏ ? ସମ୍ପତ୍ତିକୁ ଲୋଭ ବା କାହାର ନାହିଁ, ତୁମେ ମୋ କଥା ମାନ–ଏହାଠାରୁ ଆଉ ସହଜ ଉପାୟ ନାହିଁ । ବୈଦ୍ୟଭୂଷଣେ ସହଧର୍ମିଣୀଙ୍କ ପରାମର୍ଶ ଶୁଣି ଅନେକ କଥା ଭାବିଲେ; ମାତ୍ର ଅନ୍ୟ କିଛି ଉପାୟ ଖୋଜି ପାଇଲେ ନାହିଁ । ଏଣେ କନ୍ୟା ଅବିବାହିତା ରହିଲେ ପିତୃପୁରୁଷ ପିଣ୍ଡ ପାଇବେ ନାହିଁ । ଖାଲି ଏତିକି ନୁହେ–ବଂଶରେ ଗୋଟାଏ କଳଙ୍କ ରହିଯିବ । ଏହିପରି ଚାରିଆଡ଼ୁ ଭାବି ଅଗତ୍ୟା ସ୍ତ୍ରୀ ପ୍ରସ୍ତାବରେ ସମ୍ମତ ହେଲେ ।

 

କଦମ୍ବଗଡ଼ର ଦେଶକ୍ରୋଶ ଦୂରବର୍ତ୍ତୀ ହୃଷୀକେଶ ଗ୍ରାମରେ କେତେଘର ଡ଼ଗରା ଅଛନ୍ତି-। କେହି ଅବସ୍ଥାପନ୍ନ ନୁହନ୍ତି–ସୁଖେ ଦୁଃଖେ ଚଳନ୍ତି । ପୂର୍ବେ ସମସ୍ତଙ୍କର ବିଷୟ ବାଡ଼ି ଥିଲା, ତାହା କ୍ଷୟଲାଭ କରି ଏବେ ଆସି ଶେଷ ସୀମାରେ ଉପସ୍ଥିତ ହୋଇଅଛି । ସେହି ଡ଼ଗରା ସାହିରେ ବନମାଳୀ ନାମକ ଜଣେ ବିଂଶତିବର୍ଷୀୟ ଯୁବକର ଘର । ସେ ଅବାଲ୍ୟ ମାତୃହୀନ, ବର୍ଷେ ହେଲା ତାହାର ପିତା ମଧ୍ୟ ଇହଲୋକରୁ ବିଦାୟ ନେଇଅଛି । ବନମାଳୀ ଘରକୁ ଏକା, ଆଜି ଯାଏ ତାହାର ବିବାହ ହୋଇ ନାହିଁ । ପିଲାଟି ବୁଦ୍ଧିମାନ୍‌ ସାମାନ୍ୟ କିଛି ପଢ଼ାଶୁଣା କରିଅଛି; ମାତ୍ର ଅର୍ଥାଭାବରୁ ଇଚ୍ଛାସତ୍ତ୍ୱେ ଶିକ୍ଷାରେ ଅଧିକ ଅଗ୍ରସର ହୋଇପାରି ନାହିଁ । ଖଣ୍ଡିଏ ପାଠଶାଳା କରି ଏକପ୍ରକାର ସୁଖରେ ଚଳେ । ବୈଦ୍ୟଭୂଷଣଙ୍କର ଦୃଷ୍ଟି ତାହାରି ଉପରେ ପଡ଼ିଲା । ସେ ଟରଣୀ ପଠାଇ ଯୋଗାଡ଼ ଯନ୍ତ୍ର କରିବାକୁ ଲାଗିଲେ । ବନମାଳୀ ପରଘରେ କିଣା କିଙ୍କର ହୋଇ ରହିବାକୁ ପ୍ରଥମତଃ ଅସ୍ୱୀକୃତ ହେଲା । ସେ କହିଲା–‘‘ମୁଁ କିଛି ଅର୍ଥ ସଂଗ୍ରହ କରି ପଢ଼ିବାକୁ ଇଚ୍ଛା କରିଛି, ସେହି ଉଦ୍ଦେଶ୍ୟରେ ପାଠଶାଳା ଖଣ୍ଡିଏ କରିଛି–ବର୍ତ୍ତମାନ ବିବାହ କରିବି ନାହିଁ । ବୈଦ୍ୟଭୂଷଣଙ୍କ ଲୋକମାନେ ତାକୁ ନାନା ପ୍ରଲୋଭନ ଦେଖାଇ ହିତୈଷୀ ଭାବରେ ଅନେକ ମୂଲ୍ୟବାନ୍‌ ଉପଦେଶ ଦେଲେ । କେହି କହିଲା–‘‘କି ବାବୁ, ତୁମ୍ଭର ପାଠ କି ଲୋଡ଼ା ପେଟ ପୋଷି ପାରିବ ନାହିଁ ? ନା ପରିବାର ପୋଷି ପାରିବ ନାହିଁ ? ତେବେ ଯଦି ପଢ଼ିବାକୁ ଇଚ୍ଛା କରିବ ତେବେ ସ୍ୱଚ୍ଛନ୍ଦରେ ପଢ଼ିବ, ସେଥିରେ ବାଧା କିଛିନାହିଁ ।’’ ଅନ୍ୟ ଜଣେ କହିଲା–‘‘ବୈଦ୍ୟଭୂଷଣଙ୍କର ଅଚଳ ସମ୍ପତ୍ତି, ତୁମେ ଯାହା ଇଚ୍ଛା ତାହା କରିପାରିବ । ବୁଢ଼ାବୁଢ଼ୀ ଦି’ଟା ଆଉ କେତେଦିନ, ପାକଲା ତାଳ ଆଉ କେତେଦିନ ଗଛରେ ରହିବ ? ତୁମେତ ସମ୍ପତ୍ତିର ମାଲିକ କଅଣ କରି ନ ପାରିବ ? ତୁମେ ପିଲାଲୋକ ବୁଝିପାରୁ ନାହଁ, ଯାଚିଲା ଭାତ କେହି ଛାଡ଼େ ନାହି । ସମ୍ପତ୍ତି ମିଳିବା କି ସହଜ, ନା ସମସ୍ତଙ୍କୁ ମିଳେ ? ଯାହାର ପୂର୍ବତପସ୍ୟା ଥାଏ, ଯେ ଭାଗ୍ୟବାନ୍‌ ସେହି ଏକା ସମ୍ପତ୍ତି ପାଏ । ହାତରେ ହାଣ୍ଡି ଯୋଡ଼ି ରାନ୍ଧି ଖାଉଛ, ସେଠି ବାବୁପରି ବସି ବସି ମଉଜ କରିବ, ଏ ସୁଯୋଗ ଛାଡ଼ ନାହିଁ । ପଛନ୍ତେ ଫେର ଆମକଥା ବୁଝିପାରିବ ।’’ ଏହି ପରି ନାନା କଥା ଶୁଣି ଏବଂ ଭାବୀ ଅଦୃଷ୍ଟର ରାଜସୁଖ କଳ୍ପନା କରି ବନମାଳୀର ମନ ଭୁଲି ଗଲା; ତହୁଁ ସେ ବିବାହରେ ସମ୍ମତି ପ୍ରଦାନ କଲା ।

•••

 

ଷଷ୍ଠ ପରିଚ୍ଛେଦ

 

ସୁରୁଖୁରୁରେ ବିବାହ ହୋଇଗଲା । ଯେଉ ନିମନ୍ତ୍ରିତ ବନ୍ଧୁବାନ୍ଧବ, ସୂର୍ଯ୍ୟ–ମୈତ୍ରମାନେ ଭାର, ବେଭାର ମଙ୍ଗଳନଉତା ବରକନ୍ୟାଙ୍କ ମୁହଁଚୁହାଁ ଘେନି ଆସି ବିବାହରେ ଯୋଗ ଦେଇଥିଲେ, ଅଷ୍ଟମଙ୍ଗଳା ପରେ ସେମାନେ ବିଦାୟ ହୋଇଗଲେ । ରହିଲେ କେବଳ ବୈଦ୍ୟଭୂଷଣଙ୍କର ସାବିତ୍ରୀ, ପାର୍ବତୀ–କନ୍ୟାଦ୍ୱୟ । ସାନଭଉଣୀର ବିବାହୋପଲକ୍ଷେ ସେମାନେ ବାପଘରକୁ ଆସିଥିଲେ । ସେମାନେ ପୂର୍ବରୁ ଦୁଇଥର ଲେଖାଏଁ ଆସିଥିଲେ । ସୁତରାଂ ପୁରୁଣା ହୋଇଗଲେଣି-। ସେମାନଙ୍କୁ ଆଣିବାର ଆବଶ୍ୟକତା ବୈଦ୍ୟଭୂଷଣେ ଅନୁମାନ କରି ନଥିଲେ; ମାତ୍ର ନ ଆଣିଲେ ଲୋକନିନ୍ଦା ହେବ, ଏହି ଭୟରେ ଆଣିଅଛନ୍ତି । କନ୍ୟା ଜାମାତା ପ୍ରତି ନୂଆ ନୂଆ ଯେପରି ସରାଗ ଥାଏ, ପୁରୁଣାହେଲେ ଆଉ ସେପରି ରହେନାହିଁ । ଏ ଉକ୍ତ ସମସ୍ତଙ୍କ ପକ୍ଷରେ ନଖଟୁ ପଛେ; ମାତ୍ର ବୈଦ୍ୟଭୂଷଣଙ୍କ ପକ୍ଷରେ ଅନିବାର୍ଯ୍ୟ । ପ୍ରଥମେ ଦୁଇ ତିନି ବର୍ଷ କୁଆଁ ରପୂନେଇ, ଆଉ ପଢ଼ୁଆଁ ଅଷ୍ଟମୀକୁ ସେମାନଙ୍କ ଘରକୁ ଭାର ଏବଂ ଲୁଗା ଯାଉଥିଲା, ଏଣିକି ତାହା ବନ୍ଦ ହେଲାଣି । ପିତୃହୃଦୟ କଠୋର ହୋଇପାରେ; ମାତ୍ର ମାତୃହୃଦୟକୁ ବିଧାତା ସେ ଉପାଦାନରେ ଗଢ଼ିନାହାନ୍ତି । ପଦ୍ମାବତୀ ଗୋପନରେ ସମୟ ସମୟରେ ଝିଅ ଦୁହିଁଙ୍କ ପାଇଁ ଲୁଗାଖଣ୍ଡେ ବା ଭଲ ପଦାର୍ଥଟିଏ ପଠାଇଦିଅନ୍ତି ।

ସାବିତ୍ରୀ, ପାର୍ବତୀ ଦୁହିଙ୍କ ବିବାହରେ ଯେପରି ପାଣିପରି ଟଙ୍କା ଖର୍ଚ ହୋଇଥିଲା, ମଙ୍ଗଳା ବିବାହରେ ସେପରି ହୋଇନାହିଁ । ଏହି ହେତୁ ବୈଦ୍ୟଭୂଷଣଙ୍କ ମନ ଦୁଃଖିତ ନୁହେଁ; ମାତ୍ର ଆନନ୍ଦିତ ସୁଦ୍ଧା ନୁହେଁ । ଘରେ ଜଣେ କୁଟୁମ୍ବ ବଢ଼ିଲା, ସେ ପୁଣି ଯେ ସେ ନୁହେଁ, ସ୍ୱୟଂ ଜାମାତୃଦେବ । ଷୋଡ଼ଶପୂଜାରୁ ଗୋଟାଏ କି ଅଧେ ଊଣାହେଲେ କାଚଖଣ୍ଡ କଚାଡ଼ି ଦେଲାପରି ତାଙ୍କର ଗୌରବ ଚୂର୍ଣ୍ଣୀଭୂତ ହୋଇଯିବ । ଦେବତା ବରଞ୍ଚ ପୂଜାର ତ୍ରୁଟିର ମାର୍ଜନା କରିପାରନ୍ତି; ମାତ୍ର ଜାମାତାଙ୍କ କୋଷ୍ଠୀରେ ସେ କଥା ନାହିଁ । ସେ ମହାମାନୀ କ୍ରୋଧୀ ଦେବତା, କଥାକଥାକେ ତାଙ୍କର ମନହାନି ଘଟେ । ତାଙ୍କପରି ବ୍ୟର୍ଥ ମାନହାନିର ଜାଗ୍ରତ୍‌ ସ୍ୱପ୍ନ କେହି ଦେଖେ ନାହିଁ । ‘‘ରୁଷିବା ପୁଅର ଭାଗ ଅଧିକ’’ ଏକଥାର ସୂକ୍ଷ୍ମ ତାତ୍ପର୍ଯ୍ୟ ସେମାନେ ଭଲ ବୁଝନ୍ତି । ବୈଦ୍ୟଭୂଷଣେ ଏହି ସବୁ କଥା ଭାବି ଟିକିଏ କ୍ଷୁବ୍‌ଧ, ନଚେତ୍‌ ଆଉ କୌଣସି ଉଲ୍ଲେଖଯୋଗ୍ୟ ଦୁଃଖ ତାଙ୍କ ମନରେ ନାହିଁ । ବରଂ ତାଙ୍କ ବଂଶଗୌରବରେ କିଛିମାତ୍ର ଆଘାତ ନ ଲାଗିବାରୁ ସେ ଆନନ୍ଦିତ । ତାହା ଉପରେ ଆନନ୍ଦର ଆଉ ଗୋଟାଏ କାରଣ ଏହି ଯେ, ତାଙ୍କର ପିତୃପୁରୁଷମାନେ ପିଣ୍ଡ ଗ୍ରହଣରେ ଆଉ ଅସ୍ୱୀକୃତ ହେବେନାହିଁ । ଯାଚିଲାକ୍ଷଣି ଆସି ହାତରୁ ଛଡାଇନେଇ ଟକ୍‌ କରି ଗିଳିଦେବେ । ମଙ୍ଗଳାର ବିବାହ ହୋଇପାରିନଥିଲେ ସମାଜରେ ସେ ମୁଣ୍ଡ ଟେକି ପାରିନଥାନ୍ତେ । ବଡ଼ କୌଶଳରେ ସେ କାର୍ଯ୍ୟୋଦ୍ଧାର କରିନେଲେ ନିଜ ବୁଦ୍ଧିର ଯଥେଷ୍ଟ ପ୍ରଶଂସା କରିଥିଲେ ।

ସାବିତ୍ରୀ, ପାର୍ବତୀ ଦୁହିଙ୍କର ମୁଖ ସବୁବେଳେ ଅପ୍ରସନ୍ନ । ସାନଭଉଣୀ ଅଗାଧ ପିତୃସମ୍ପତ୍ତିର ଅଧିକାରିଣୀ ହେଲା ଆଉ ସେମାନେ ଧାନେହେଁ ସରୁ କୁଆଥଣ୍ଟେ ନେଲାପରି ଯାହା ନେଇଛନ୍ତି–ସେତିକି, ଏଥିରେ କାହାର ମନ ଦୁଃଖିତ ନହେବ, ସେମାନେ କଅଣ ବାପ ମା’ର ଝିଅ ନୁହନ୍ତି ? ସେମାନେ କଅଣ ଆଉ କେଉଁଠାରୁ ଭାସି ଆସିଥିଲେ ? ଏ ଅନ୍ୟାୟ କି ସହିବାର କଥା-? ବାପ ମା ଏପରି କାହିଁକି କଲେ ? ତିନି ଝିଅଙ୍କୁ ସମାନ ରୂପେ ବାଣ୍ଟି ଦେଇଥିଲେ ତ କଥା ଛିଡ଼ି ଯାଇଥାନ୍ତା । ଦୁଇ ଭଉଣୀ ନିର୍ଜନରେ ବସି ଅନେକ କଥାବାର୍ତ୍ତା ହୁଅନ୍ତି । ଦିନେ ପାର୍ବତୀ କହିଲା–‘‘ଅପା ବାପ ମା’ଙ୍କ ଗୁଣ ବୁଝିଲୁ ତ ? ଆମ ଦୁହିଙ୍କ ନିରାଶ କରି ସାନଝିଅକୁ ସର୍ବସ୍ୱ ଦେବାଟା କଅଣ ନ୍ୟାୟର କଥା ? ସେ ସ୍ୱର୍ଗକୁ ନେଇଯିବ, ଆମେ ଆଉ ନେଇ ପାରିବାନାହିଁ; ବାପା ମା ଯାହାକୁ ଅନ୍ତରରୁ କାଢ଼ିଛନ୍ତି, ତାକୁ କଅଣ ଇମିତି ପକ୍ଷପାତ କରନ୍ତି । ଆମ କପାଳ କେତେ ଊଣା ହୋଇଯିବ, ଆଉ ଗେଲା ଚୁଲା ସାନ ଝିଅର କପାଳ କେତେ ପୂରିଉଠିବ ? ହଉ, ସେହି ଖାଉ–ତାହାରି ପେଟ ପୁରୁ ।’ ସାବିତ୍ରୀ ଏଣିକି ତେଣିକି ବ୍ୟଗ୍ର ସତର୍କ ଦୃଷ୍ଟିରେ ଚାହିଁ ଦେଇ ପାର୍ବତୀର କାନ ପାଖରେ ମୁହଁ ରଖି ଖୁବ ଧୀର ଅଥଚ ତପ୍ତ ସ୍ୱରରେ କହିଲା ‘‘ପାର ସେହି ଗାଲପୋଡ଼ି, ନାନ୍ଦୁରୀର, ସବୁ କୂଟ ଲୋ । ପାଞ୍ଚ ଆଙ୍ଗୁଳିଯାକ ପାଟିରେ ନାଇବ ବୋଲି ବାପମାଙ୍କୁ ଶିଖାଇ ଇମିତି କରିଛି । ହଉଲୋ ଭଉଣି ସେ ଆମକୁ କୂଟ ପାଞ୍ଚିଲେ ବିଧାତା ତାକୁ କୂଟ ପାଞ୍ଚିବ । ସେହି ସବୁ ନଉ, ଆମ କପାଳକୁ ତ ଆଉ ନେଇପାରିବ ନାହିଁ । କାଲି ଗେହ୍ଲେ ଗେହ୍ଲେ ମା’କୁ କହିଲି–‘‘ମା ସାନ ଝିଅକୁ ସବୁ ଦେଲୁ, ଆମେ କଅଣ କେହିନୋହୁଁ ? ମା ଭିଣ୍‌ ଭିଣ୍‌ ହୋଇ ଉଠି କହିଲା–‘‘ତମେ ଖାଲି ନବା କଥା ଜାଣ, ଯେତେ ନେଲେ ବି ତମ ଅସନ୍ତୋଷୀ ଦିଟାର ମନ ବୋଧ ହୁଏ ନାହିଁ । ତମେ କଅଣ ନ ନେଇଚ କି ? ତମକୁ ମୁଁ ଯାହା ଦେଇଚି, କଉଁ ରଜା ଘର ବି ଝିଅକୁ ସିମିତି ଦେବ ନାହିଁ । ମାଆଙ୍କର ତ ଏ କଥା, ଆଉ ଝିଅଙ୍କର ଫୁଲାଣର ବାକୀ ନାହିଁ । ବାବା ତାଙ୍କ ନୂଆ ଜୁଇଁଙ୍କି ଇଞ୍ଜିରି ମିଞ୍ଜିରି ପଢ଼େଇବେ ପରା । ସେହି ଲାଗିତ ଗାଲ ପୋଡ଼ିର ଗୋଡ଼ତଳେ ପଡ଼ୁନାହିଁ–କଉଁ ଦୁପଟୀଆଣୀ କି ମେଜଷ୍ଟରିଆଣୀ ହବ କେଜାଣି ? ପୁଣି ଟାପରା, ଟିକଲ କେତେ, ତୁ ଡାକ୍ତରକୁ ବାହା ହୋଇଛୁ ବୋଲି ତତେ କହୁଚି–ଘା’ ଚିପା ମାଇପ, ଆଉ ମୁଁ ମୁକ୍ତିଆରକୁ ବାହା ହୋଇଚି ବୋଲି ମତେ କହୁଛି କଅଣ ନା–କଥା ବିକା ମାଇପ । ଉଚାରି ଦେଖୁଛୁ ତ ? ତୁ କହୁଛୁ କଣ ପାର, ମୋର ଆଉ ଏଠି ତିଳେ ମନ ଲାଗୁ ନାହିଁ । ମୁଁ କିମିତି ଏଠୁ ଗଲେ ଗଙ୍ଗାରେ ସ୍ନାନ କରନ୍ତି ଭଉଣି । ଆଉ ଆଠଦିନ ଅନାଇ କହି ପଠାଇବି ସୁଆରି ପଠାଇ ଦେଇ ମୋତେ ନେଇଯିବେ । ଯାହାର ବାପଘର ନାହିଁ, ସେ କଅଣ କରୁଚି । ଆମର ଜାଣି ସେହିପରି ବାପଘର ନାହିଁ ।’’ ଦୁଇ ଭଉଣୀ ଅନେକ ସମୟରେ ଏହିପରି କଥାବାର୍ତ୍ତା ହୁଅନ୍ତି ।

ବନମାଳୀ ଶ୍ୱଶୁରାଳୟରେ ରାଜସମ୍ମାନରେ ଅଛି । ଶାଶୁଙ୍କର ସ୍ନେହ ସୀମାଲଙ୍ଘନ କରି ଚାଲିଅଛି । ବୈଦ୍ୟଭୂଷଣେ ମଧ୍ୟ ଜାମାତୃପୂଜାରେ ଉଦାସୀନ ନୁହନ୍ତି । ସେ କୃପଣ ହେଲେହେଁ କାଳଜ୍ଞ । କେତେବେଳେ କଅଣ କରିବାକୁ ହେବ ବା କି ଭାବ ଦେଖାଇ ବାକୁ ହେବ, ଏହିସବୁ ସମୟୋଚିତ ବ୍ୟବହାର ବିଦ୍ୟାରେ ସେ ଅତିଧୁରନ୍ଧର । ସୁତରାଂ ଅଣାକ ସ୍ଥାନରେ ପଇସାଏ ଖର୍ଚ୍ଚକରି ନବ ଜାମାତାର ମନ ସ୍ତୁଷ୍ଟିର ଚେଷ୍ଟା କଲେ । ଏହିପରି ସ୍ନେହ–ସ୍ୱର୍ଗ ସମସ୍ତଙ୍କ ଭାଗ୍ୟରେ ଅଢ଼ାଇ ଦିନ ସକାଶେ ଘଟିଥାଏ । ବୈଦ୍ୟଭୂଷଣଙ୍କର ଭିତରେ ଯାହାହେଉ, ସେ ଉପରଟା ମଠାମଠି କରି ଠିକ ରଖିଥାଆନ୍ତି । ପରଘରୁ ଗୋଟାକୁ ଧରିଆଣି ଟିକିଏ ସ୍ନେହାଦର ନ ଦେଖାଇଲେ ଚଳିବ କିପରି ? ବଣ ଜନ୍ତୁଟିଏ ଧରିଆଣି କିମ୍ବା ଗୋରୁଟିଏ କିଣିଆଣି ପ୍ରଥମେ ତାକୁ ଟିକିଏ ଆଉଁସା ଆଉଁସି ନ କଲେ ତ ସେ ଘର ମଣୁନାହିଁ କି ବଶୀଭୂତ ହେଉନାହିଁ । ମନୁଷ୍ୟର କଥା ତ ଅନେକ ଉଚ୍ଚରେ । ବନମାଳୀ ଗାଧୋଇବାକୁ ଗଲେ ଶଶୁର କହନ୍ତି–‘‘ବେଶି ବେଳଯାଏ ଗାଧୋଇବ ନାହିଁତି ବାବୁ ସର୍ଦ୍ଦି ଫର୍ଦ୍ଦି ହେବ । ଏଇଠି ତ ଦି ଗରା ପାଣି ଦେଇଥିଲେ ଗାଧୋଇ ପଡ଼ିଥାଆନ୍ତ । ଖରାଟାରେ କାହିଁକି ଏତେ ବାଟ ଯାଉଛ ?’’ ଜାମାତା ବହିର୍ଦ୍ଦେଶ ବହିର୍ଦ୍ଦେଶ ବାହାରିଲେ ବୈଦ୍ୟଭୂଷଣଙ୍କର ଚାଞ୍ଚଲ୍ୟର ସୀମା ରହେ ନାହିଁ । ‘‘କିଏ ଅଛରେ କୁଆଡ଼େ ଗଲରେ–ପାଣି ଲୋଟେ ଆଣରେ’’ ଇତ୍ୟାଦି ପ୍ରକାରରେ ହୁଡ଼ିଡ଼କା ଛାଡ଼ନ୍ତି । ତହୁଁ ରସିକା ଭଣ୍ଡାରୀ ଧାଇଁ ଆସି ପାଣି ନୋଟା ଧରି ଜାମାତାଙ୍କ ଆଗେ ଆଗେ ଚାଲେ । ଶ୍ୱଶୁରଙ୍କର ସ୍ନେହ ଏହିପରି ସବୁବେଳେ ବନମାଳୀକୁ ଘେରି ରହିଥାଏ ।

ବନମାଳୀ ଏଥିରେ ଯଥେଷ୍ଟ ଆତ୍ମପ୍ରାଧାନ୍ୟ ଅନୁଭବ କରେ, ଏମନ୍ତ କି ତାହା ନିକଟରେ ତାହାର ନିଜର ମୂଲ୍ୟ ବହୁଗୁଣ ବଢ଼ିଯାଏ । ଜୁଇଁଟି ଆସିଲା ଦିନୁ ବୈଦ୍ୟଭୂଷଣଙ୍କର ଆଉ ଗୋଟାଏ ଆୟର ବାଟ ଫିଟିଅଛି । ଯେଉଁମାନେ ଔଷଧ ନେବାକୁ ଆସନ୍ତି, ଜୁଇଁ ନାମ ଧରି ସେ ଅନେକ ପଦାର୍ଥ ସେମାନଙ୍କଠାରୁ ଆଦାୟ କରନ୍ତି । ମାଛ ବିକିବା ଲୋକ କେହି ଆସିଲେ ତାକୁ କହନ୍ତି–‘‘ଆମ ଜୁଇଁଟି ଭାରି ସୁକୁମାର, ଦୁଧ ମାଛ ନ ହେଲେ ସେ ଭାତ ପାଖରେ ବସନ୍ତି ନାହିଁ ।’’ ଏତିକିରୁ ଆଗନ୍ତୁକ ଉଦ୍ଦେଶ୍ୟ ବୁଝିପାରି ଯଥାକର୍ତ୍ତବ୍ୟ କରେ । କାହାକୁ କହନ୍ତି–‘‘ଆମ ଜୁଇଁ ପିଲାଟିର ଶାଗ ଉପରେ ବଡ଼ ଶରଧା, ପଇସାଟାଏ ନେଇ କଉଁଠୁ କିଣିଆଣି ପାରିବ ?’’ ସେ ଆଉ ପଇସା ନେବ କଅଣ, ନିଜ ବାଡ଼ିରୁ ଶାଗ କାଟିଆଣି ଦେଇଯାଏ । ଯାହାର ଯାହା ଅଛି, ବା ଯାହାଦ୍ୱାରା ଯାହା ମିଳିପାରିବ, ବୈଦ୍ୟଭୂଷଣେ ତାହା ଜାଣନ୍ତି, ସୁତରାଂ ପାତ୍ର ଦେଖି ଦ୍ରବ୍ୟର ବରାଦ କରନ୍ତି ।

ପଦ୍ମାବତୀଙ୍କୁ ତର ନାହିଁ, ଜାମାତାର ଖାଦ୍ୟ ପ୍ରସ୍ତୁତରେ ସବୁବେଳେ ବ୍ୟସ୍ତ । ନ–ତୁଣ, ଛ–ଭଜା, ପିଠାପଣା ଇତ୍ୟାଦି ସ୍ୱହସ୍ତରେ ପ୍ରସ୍ତୁତ କରି ନିଜେ ଆଗରେ ବସି, ସେ ଜାମାତାକୁ ଖୁଆନ୍ତି । ଆକୁ ଖାଅ, ତାକୁ ଖାଅ ବୋଲି ଜିଦ୍‌ କରନ୍ତି । ଜାମାତାର ହସ୍ତ ପ୍ରଖରତା ନଦେଖିଲେ କହନ୍ତି–‘‘କାହିଁ କିଛି ତ ଖାଉନାହଁ–ଆମ୍ବିଳ ତୁଣରେ ତ ହାତ ବାଜି ନାହିଁ–ଭଜା ମାଛ ତ ସିମିତି ଥୁଆ ହୋଇଚି, ଲାଉ ଦହଣା କଅଣ ଭଲ ହୋଇ ନାହିଁ, ଆଉ ଖାଇଲ କଅଣ ? ଏହି ମାଛ ଖଣ୍ଡ ଖାଇଦିଅ, ନଖାଇବ ଯେବେ, ମୋ ମୁଣ୍ଡ ଖାଇବ, ମୋ ରାଣଟି । ନା–ବାପ, ତୁମେ ଲାଜ କରୁଛ । ତୁମର ଘର, ତୁମର ଦ୍ୱାର, ତୁମର ସବୁ, ତୁମେ ଘରର ପୁଅ । ଆଉ ଲାଜ କରୁଛ କାହାକୁ ? ବାପ ମା’ଙ୍କ ପାଖରେ କି ଲାଜ ? ନା ତୁମେ ଖାଅ, ମୁଁ ମାଛରୁ କଣ୍ଟା ଛଡ଼େଇ ଦେଉଛି ।’’ ଏହିପରି କେତେ ଆଦର କରି ବାପଧନ କହି ଜୁଇଁଙ୍କୁ ଖୁଆନ୍ତି । ବନମାଳୀ ଆଗରେ ଦୁଇଟି ଖାଦ୍ୟ ଥୁଆ ହୁଏ । ଗୋଟିଏ ମଲି ପାଖୁଡ଼ା ପରି ଅନ୍ନ ଏବଂ ବତ୍ରିଶ ବ୍ୟଞ୍ଜନାଦି, ଆଉ ଅନ୍ୟଟି ଶାଶୁଙ୍କର ସ୍ନେହ-। ଦୁଇଟିଯାକ ଉପାଦେୟ ଏବଂ ଲୋଭନୀୟ । ଅନ୍ୟ କେହି ହୋଇଥିଲେ ଏହି ସ୍ନେହରେ ତାହାର ପେଟ ପୁରିଯାଆନ୍ତା, ସେ ଆଉ କିଛି ଖାଆନ୍ତା ନାହିଁ, ମାତ୍ର ନବଜାମାତା କାହାକୁ ଛାଡ଼େନାହିଁ, ସେ ଖାଦ୍ୟରେ ସ୍ନେହାମୃତ ବୋଳିନେଇ ଉଭୟର ସଦ୍‌ବ୍ୟବହାର କରେ । ବାସ୍ତବରେ ସାମାନ୍ୟ ଖାଦ୍ୟ ମଧ୍ୟ ସ୍ନେହସିକ୍ତ ହେଲେ ଅମୃତମୟ ହୁଏ । ବନମାଳୀ ଜନ୍ମରୁ ମାତୃହୀନ ତାହାର ପ୍ରାଣ ମାତୃସ୍ନେହ ଅଭାବରେ ପିପାସିତ, ଶାଶୁଙ୍କର ସ୍ନେହ ସେ ଆକଣ୍ଠ ପାନକରେ । ବହୁଦିନର ସ୍ୱପ୍ତ ମାତୃସ୍ମୃତି ଚେଇଁ ଉଠି ତାହାର ହୃଦୟକୁ ଘାରି ପକାଏ ଏବଂ ଅଲକ୍ଷ୍ୟରେ ଆଖିରୁ ଦୁଇଟୋପା ଲୁହ ଗଡ଼ିପଡ଼େ । ସେ ମନେ ମନେ ଭାବେ–‘‘ଶାଶୁ ମୋର ମାତା ନୁହନ୍ତି–ମାତୃସ୍ଥାନୀୟା, ଏହାଙ୍କର ସ୍ନେହ ତ ଏଡ଼େ ମଧୁର ଆଉ ମାତୃସ୍ନେହ କେଡ଼େ ମଧୁର ହୋଇ ନଥିବ । ସେଥିର ଆସ୍ୱାଦନ ମୋ ଭାଗ୍ୟରେ ଘଟିନାହିଁ ବିଧାତା ଯାହାକୁ ମାତୃହୀନ କରନ୍ତି, ତାକୁ ସଂସାରର ସାର ସୁଖରୁ ବଞ୍ଚିତ କରନ୍ତି ।’’

ବୈଦ୍ୟଭୂଷଣେ ବନମାଳୀକୁ ପଢ଼ାଇବା ସକାଶେ ପ୍ରଲୋଭନ ଦେଖାଇଥିଲେ, ଏବେ ତାକୁ କିପରି ସେଥିରୁ ନିବୃତ୍ତ କରିବେ, ସେ ଉପାୟ ଉଦ୍ଭାବନ କରିବାକୁ ଲାଗିଲେ । ଦିନେ ଜାମାତାକୁ ପାଖରେ ବସାଇ କହିଲେ–‘‘ତୁମେ କାହିଁକି ଇଂରାଜୀ ପଢ଼ିବ–ବାବୁ ? କେଉଁଠିକି ତ ଚାକିରୀ କରିବାକୁ ଯିବନାହିଁ, ତେବେ ଏତେ ପରିଶ୍ରମ କରି ଦେହଟା ମାଟି କରିବ କାହିଁକି ? ତହିଁରେ ପୁଣି ବହି, ଜୋତା, ଛତା, କୁରୁତା ଏହିପରି ବାର ଖର୍ଚ୍ଚ । ଯାହା ଖର୍ଚ୍ଚ ହେବ ତାହା ତୁମରି ତ ହେବ, ସେହିଟଙ୍କା ଘରେ ଥିଲେ କି ତୁମେ ସୁଖ ପାଇବ ନାହିଁ ? ଆମର ସାତପୁରୁଷ ରଜାଘର ବୈଦ୍ୟପଣରେ ଗଲାଣି । ରଜାଘର ଲାଗି ଆମେ ବଡ଼ ମଣିଷ ।

 

ତୁମେ ବୈଦ୍ୟଶାସ୍ତ୍ର ପଢ଼, ଆଉ ଔଷଧ ତିଆରି ଶିଖ, ସେଥିରେ ପାଞ୍ଚ ଟଙ୍କା ମିଳିବ, ମାନ ମହତ୍ତ୍ୱ ବି ଅଛି । ଘରେ ବସି ରୋଜଗାର କରିବ–କାହାରି ଅଧୀନରେ ରହିବ ନାହିଁ, ମୋ ବିଚାରରେ ତୁମର କବିରାଜି ଶିଖିବା ଭଲ । ରାଜମର୍ଯ୍ୟାଦାଠାରୁ ଚାକରୀ ବଡ଼ ନୁହେଁ । ସେଟା ବଡ଼ ହୀନ କାର୍ଯ୍ୟ ।’’ ବନମାଳୀ ଶଶୁରଙ୍କର ସଦୁପଦେଶ ଶୁଣି ମନେ ମନେ ଅନେକ ଭାବିଲା; ମାତ୍ର ଶେଷରେ ତାଙ୍କର ପ୍ରସ୍ତାବ ଶ୍ରେୟସ୍କର ମଣି, ସେଥିରେ ସମ୍ମତ ହେଲା । ଔଷଧର ଆଶୁଫଳ ଦେଖି ବୈଦ୍ୟଭୂଷଣେ ଆନନ୍ଦରେ ଅଳକାନନ୍ଦରେ ସନ୍ତରଣ କଲେ ।

•••

 

ସପ୍ତମ ପରିଚ୍ଛେଦ

 

ସୁଘଡ଼ି କୁଘଡ଼ି ଅଛି–ତାହା ଜନ କଳ୍ପନା ନୁହେଁ । ଜ୍ୟୋତିଷ ଶାସ୍ତ୍ରରେ ତାହା ମାହେନ୍ଦ୍ର, ଅମୃତ ବକ୍ର, ଶୂନ୍ୟ ନାମରେ ନାମିତ । ବନମାଳୀ ଏବଂ ମଙ୍ଗଳାର ପ୍ରଥମ ଶୁଭ ଦୃଷ୍ଟି ବଡ଼ କୁକ୍ଷଣରେ ହୋଇଥିଲା । ସେଥିରେ କି ତ୍ରୁଟି ଥିଲା କେଜାଣି, ଦୁହିଙ୍କର ବେଳେ ସୁଦ୍ଧା ବନିଲା ନାହିଁ । ମଙ୍ଗଳା ସ୍ୱାମୀକୁ କଡ଼ାକର ସୁଦ୍ଧା ଜ୍ଞାନ କରେନାହିଁ; ବଡ଼ ହୀନ ଦୃଷ୍ଟିରେ ଦେଖେ । ବନମାଳୀ ଦେଢ଼ଟଙ୍କିଆ ଅବଧାନ, ପୁଣି ମଙ୍ଗଳାର ପିତୃପୋଷିତ । ମଙ୍ଗଳା ତାକୁ ଖାତର କରିବ କାହିଁକି ? ମଙ୍ଗଳାର ସ୍ୱଭାବ–ସେ ତୁ ତାକର ଛଡ଼ା ଜଗତରେ କାହାରିକୁ ସମ୍ଭ୍ରମ ରଖି କଥା କହି ଜାଣେ ନାହିଁ-। ସୁତରାଂ ସ୍ୱାମୀକୁ ‘ତୁ’ବୋଲି ସମ୍ୱୋଧନ କରେ । ବନମାଳୀ ମଧ୍ୟ ସାମାନ୍ୟ ପାତ୍ର ନୁହେଁ, ସେ ଲୁହା ଜାଣି ପାଣି ଦିଏ । ଯାହାର ବାପ ତାକୁ ଖୋସାମଦ୍‌ କରି ଆଣିଛି, ତାହା ଝିଅକୁ ସେ କାହିଁକି ଡରିବ ? ପ୍ରତିଯୋଗିତା କ୍ଷେତ୍ରରେ କେହିକାହାକୁ ଊଣା ନୁହେଁ–ଦୁହେଁ ସମାନ । ବନମାଳୀ ବିବାହ ପୂର୍ବରୁ ମାସିକ ଦେଢ଼ଟଙ୍କା ଦରମାରେ ଅବଧାନୀ କରୁଥିଲା । ସେହିହେତୁ ମଙ୍ଗଳା ତାକୁ ‘‘ଦେଢ଼ଟଙ୍କିଆ ବାବୁ’’ ବୋଲି କହେ । ବନମାଳୀ ମଧ୍ୟ ଗୁଣବତୀ ସ୍ତ୍ରୀର ସେ ଋଣ ପରିଶୋଧ କରିଦିଏ । ସେ କହେ–‘‘ତୋ ବାପର ଟଙ୍କା ଅଛି ବୋଲି ତୋର ଏତେ ଗର୍ବ, ସେହି ରୂପା ଚକି ଦିଖଣ୍ଡ ନ ଥିଲେ ତୋତେ କିଏ ବିଭା ହେବାକୁ ଆସନ୍ତା ? ତୋ ପରି କାଳୀ ବାସୁଳୀ ଲାଗି ଲଙ୍କାରୁ, ନ ହେଲେ କିଷ୍କିନ୍ଧା ଗଡ଼ରୁ ବର ଆସନ୍ତେ । ଆହା କି ସୁନ୍ଦରୀ କନ୍ୟା, ବିଧାତା ତୋତେ ଗଢ଼ିବାବେଳେ ଆଗରେ ଗୋଟାଏ ଭାଲୁ ବସାଇ ତାକୁ ଦେଖି ଗଢ଼ିଥିଲା ।’’ ଏହିପରି ଦୁହିଙ୍କର ଦାମ୍ପତ୍ୟ ପ୍ରେମ ସମ୍ଭାଷଣ ହୁଏ । ପଥର ଯେଉଁପରି ଟାଣ, ମୁଗୁର ବି ସେହିପରି ଟାଣ । ଉପଯୁକ୍ତ ଠାକୁରଙ୍କୁ ଉପଯୁକ୍ତ ପୂଜାରୀ ମିଳିଥାଏ । ଏ ଭଳି ରାଜଯୋଟକ ବିଧାତାର ଭାବୁକତାର ପରିଚାୟକ । ମଙ୍ଗଳା ସବୁବେଳେ ଗାଁରେ ବୁଲେ ବୋଲି ବନମାଳୀ ତାକୁ ସୁଆଗରେ ‘‘ଦାଣ୍ଡମଙ୍ଗଳା’’ ବୋଲି ଡ଼ାକେ ।

 

ବୈଦ୍ୟଭୂଷଣେ ପିଣ୍ଡାରେ ବସି ରୋଗୀ ଦେଖି ଔଷଧର ବ୍ୟବସ୍ଥା କରନ୍ତି । ବନମାଳୀ ତାଙ୍କ ପାଖରେ ବସି ବୈଦ୍ୟଶାସ୍ତ୍ର ଘୋଷେ । ବୈଦ୍ୟଭୂଷଣେ ରୋଗୀ ପାଖରେ ନିଜର ବଂଶ ଗୌରବ ସାଳଙ୍କାରରେ ବର୍ଣ୍ଣନା କରନ୍ତି । ତାଙ୍କ ପଣଗୋସ ବାପ ଏପରି ଅମୃତହସ୍ତା ଥିଲେ ଯେ, ସେ ରୋଗୀକୁ ଯେଉଁ ଡ଼ାବ ଲେଖି ଦେଉଥିଲେ, ରୋଗୀ ସେହି ଡାବକୁ ପାଣିରେ ଗୋଳି ପିଇଦେଲେ ତାହାର ରୋଗ ଔଷଧ କି ବ୍ୟର୍ଥ ହୋଇପାରେ ? ବୈଦ୍ୟଭୂଷଣେ ଏହିପରି ପିତୃପୁରୁଷମାନଙ୍କର ଖ୍ୟାତି ବିକି ବସନ୍ତି । ବନମାଳୀ ତାଙ୍କ କଥା ଅବହିତ ମନରେ ଶୁଣେ; ମାତ୍ର କାହିଁକି କେଜାଣି ତାକୁ ତାହା ଭଲ ଲାଗେ ନାହିଁ । ଏଣେ ଶୁଷ୍କ ବୈଦ୍ୟ ଶାସ୍ତ୍ରର ଚର୍ବିତଚର୍ବଣ ମଧ୍ୟ ଭଲ ଲାଗେ ନାହିଁ । ରୋଗୀ ତିକ୍ତ ଔଷଧ ଗିଳିବାକୁ ଯେପରି ନାରାଜ, ସେ ବୈଦ୍ୟଶାସ୍ତ୍ରରେ ଶ୍ଳୋକ ଗିଳିବାକୁ ତତୋଧିକ ନାରାଜ; କିନ୍ତୁ କଅଣ କରିବ, ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ତାକୁ ଗିଳିବାକୁ ପଡ଼େ ।

 

କାଳ କାହାକୁ ଚିରକାଳ ନୂଆ କରି ରଖେ ନାହିଁ, ସମସ୍ତ ପୁରୁଣା କରିଦିଏ । ଆଜି ଖଣ୍ଡିଏ ପୁସ୍ତକ କିଣିଲେ କାଲି ତାହା ପୁରୁଣା ହୋଇଯାଏ, ଏହିପରି ସବୁ କଥା ପୁରୁଣା ହେବା ସଙ୍ଗେ ସଙ୍ଗେ ନୂତନତ୍ୱର ଆଦର ମଧ୍ୟ କମିଯାଏ । କାଳକ୍ରମେ ଜୁଇଁ ପୁରୁଣା ହୋଇଗଲା–ତାହା ପ୍ରତି ସ୍ନେହ ପୁରୁଣା ହୋଇଗଲା, ଆଦର ବି ପୁରୁଣା ହୋଇଗଲା । ଶେଷରେ ବନମାଳୀ ଦେହ ଘଷିଆ ହୋଇଗଲା, ତାହାପ୍ରତି ଠିକ୍‌ ଘରର ଲୋକପରି ବ୍ୟବହାର କରାଗଲା । ବୈଦ୍ୟଭୂଷଣଙ୍କର ସ୍ୱଭାବ–କାହାରିକୁ ନିଷ୍କର୍ମା ହୋଇ ବସିରହିବାର ଦେଖିଲେ ତାଙ୍କର ହାଡ଼ ଜଳିଯାଏ । କର୍ମଭୂମି ସଂସାରକୁ ଆସି କର୍ମ ନକଲେ ଈଶ୍ୱରଙ୍କ ଆଦେଶର ଅବମାନନା ହୁଏ ଏବଂ ସେହି କର୍ମକୋଢ଼ିମାନଙ୍କ ଦ୍ୱାରା ପୃଥିବୀର ଅନ୍ନ ଅକାରଣରେ ଧ୍ୱଂସ ହୁଏ, ଏ ନୀତି ସେ ଭଲ ବୁଝନ୍ତି । ଦିନେ ସେ ବନମାଳୀକୁ କହିଲେ–‘‘ଖାଲି ପୋଥି ପଢ଼ିଲେ କଅଣ ହେବ, ହାତରେ ପୋଥିରେ ଉଭୟରେ ଶିଖିବା ଦରକାର । ଏଣିକି ତମେ ଔଷଧର ମସଲା ଓଜନ କରିଦିଅ ।’’ ବନମାଳୀ ଶ୍ୱଶୁରଙ୍କ ବହୁମୂଲ୍ୟବାନ୍‌ ଉପଦେଶ ଲଙ୍ଘନ କରିବାକୁ ସାହସୀ ହେଲାନାହିଁ, ତହିଁ ପରଦିନଠାରୁ ମସଲା ଓଜନର ଭାର ଗ୍ରହଣ କଲା । ଯେଉଁ ଔଷଧର ଯେଉଁ ମସଲା, ବୈଦ୍ୟଭୂଷଣେ ସେଥିରେ ତାଲିକା ଦିଅନ୍ତି, ବନମାଳୀ ତାହା ଓଜନ କରିଦିଏ । ସେ ଯେଉଁ ଦିନ ଏ ଭାର ଗ୍ରହଣ କଲା, ସେହିଦିନଠାରୁ ଓଜନ କରିବା ସକାଶେ ଯେଉଁ ଲୋକ ନିଯୁକ୍ତ ଥିଲା, ତାକୁ ବିଦାୟ ଦିଆଗଲା । ବନମାଳୀ ତାହା ଲକ୍ଷ୍ୟ କଲା; ମାତ୍ର କିଛି କହିଲା ନାହିଁ । ଏହିପରି ଔଷଧ କୁଟିବା ଛାଙ୍କିବା, ବଜାରହାଟ କରିବା ପ୍ରଭୃତି ଗୋଟିଏ ଗୋଟିଏ ଭାର କ୍ରମଶଃ ଆସି ତାହା ଉପରେ ପଡ଼ିଲା । ଗୋରୁ ବାଛୁରୀ ନ ଆସିଲେ ତାହା ବି ସମୟ ସମୟରେ ତାକୁ ଖୋଜି ଆଣିବାକୁ ହେଲା । ତାହା ସବୁ ନକଲେ ଶାଶୁ ଶ୍ୱଶୁର ବିରକ୍ତ ହୁଅନ୍ତି । ସେମାନଙ୍କର ଜୁଇଁ ପ୍ରତି ଆଉ ପୂର୍ବ ଶ୍ରଦ୍ଧା ନାହିଁ, ସବୁବେଳେ ଖିନ ଖିନ ହୁଅନ୍ତି, ସାମାନ୍ୟ କଥାରେ ବୃହତ୍‌ ଦୋଷ ଧରନ୍ତି । ବନମାଳୀକୁ ଆଉ ବସିବାକୁ ଟିକିଏ ତର ମିଳିଲା ନାହିଁ । ଟିକିଏ ବସିଲେ ବା ବୁଲିଲେ ପ୍ରଥମ ପ୍ରଥମ ମଧୁର ତିରସ୍କାର ଚାଲିଲା, କିଛି ଦିନପରେ ସେହି ମଧୁରତାଟିକ ମଧ୍ୟ ତୀବ୍ର ତିକ୍ତତାରେ ପରିଣତ ହେଲା । ସ୍ତ୍ରୀଠାରୁ ଯାହା ତାହାର ପ୍ରାପ୍ୟ, ସେହି ଦାମ୍ପତ୍ୟ ପ୍ରେମ ସେ ପାଏ ନାହିଁ; ଅଧିକନ୍ତୁ ଲାଞ୍ଛନା ଗଞ୍ଜନାର ସୀମା ରହେନାହିଁ । ଘରକୁ ଗଲେ ସ୍ତ୍ରୀର ବିଷମଜ୍ୱାଳା, ବାହାରକୁ ଗଲେ ଶାଶୁ ଶ୍ୱଶୁରଙ୍କର ମୁହଁ କୁଷୁଣ୍ଡା, ବନମାଳୀ ଅତିଷ୍ଠ ହୋଇପଡ଼ିଲା । କିନ୍ତୁ କଅଣ କରିବ, ଭବିଷ୍ୟତକୁ ବଡ଼ଲୋକ ହେବ ବୋଲି ଗୋଟାଏ ଉଚ୍ଚ ଆଶା ଅଛି, ସେହି ଆଶାରେ ସବୁ ସହି ରହିଲା । ଆଶା ମନୁଷ୍ୟକୁ କେଉଁ ଆଡ଼କୁ ଛାଡ଼ିଦିଏ ନାହିଁ–ନିଜର ପଛେ ପଛେ ଚଲାଏ । ମଧୁପାନ କରିବାକୁ ହେଲେ ମହୁମାଛିର ଭୀଷଣ ଦଂଶନଜ୍ୱାଳା ସହିବା ଦରକାର । ବନମାଳୀ ମନକୁ ଏହିପରି ପ୍ରବୋଧ ଦେଇ ଭାବୀ ସୌଭାଗ୍ୟର ଆଶାରେ ବୃଷ୍ଟି ବଜ୍ର ସବୁ ସହିବାକୁ ଲାଗିଲା ।

 

ରାଜସଭାରେ ରସରାଜ ନାମରେ ଜଣେ ବିଦୂଷକ ଥାଏ । ହାସ୍ୟକର ବ୍ୟାପାର ତାହାର ବ୍ୟବସାୟ । ବୈଦ୍ୟଭୂଷଣଙ୍କ ସଙ୍ଗରେ ସେ ସବୁବେଳେ ଖୁରେଇ ହୋଇ ଲାଗେ ଏବଂ ରଙ୍ଗ ରହସ୍ୟ କରେ । ଥରେ ସେ ଛେଳିମୂତ ନେଇ ବୈଦ୍ୟଭୂଷଣଙ୍କଦ୍ୱାରା ପରୀକ୍ଷା କରାଇଥିଲା । ବୈଦ୍ୟଭୂଷଣେ ଛନ୍ଦବ୍ୟାଧି ବୋଲି ଶ୍ଳୋକ ଆବୃତ୍ତି କରି ପ୍ରମାଣ କରିଥିଲେ । ରସରାଜ କହିଲା–‘‘ଛନ୍ଦବ୍ୟାଧି ହେଉ ବା ମନ୍ଦ ବ୍ୟାଧି ହେଉ, କିମ୍ୱା ଛନ୍ଦମନ୍ଦ ଉଭୟ ହେଉ, କଣ୍ଟାପତ୍ର ସେଥିର ଔଷଧ ।’’ ଛେଳି କଣ୍ଟାପତ୍ର ଖାଏ, ଏହି କଥାକୁ ଲକ୍ଷ୍ୟ କରି ସେ ଏପରି କହିଲା । ବୈଦ୍ୟଭୂଷଣେ ବୁଝିପାରି ଲଜ୍ଜିତ ହେଲେ । କେତେ ଦିନଯାଏ ଏହି କଥା ଘେନି ଗଡ଼ରେ ଗୋଟାଏ ହାସ୍ୟ କୌତୁକ ଚଳିଥିଲା-। ଆଜି ପୁଣି ସେ ଆଉ ଗୋଟାଏ ଉପଦ୍ରବ ଘଟାଇଅଛି । ଆଜି ମାଛି ଅନ୍ଧାରରୁ ବୈଦ୍ୟଭୂଷଣଙ୍କୁ ଆସୁଥିବାର ଦେଖି ସେ ଗୋଟାଏ ଅନ୍ଧାରିଆ ଜାଗାରେ ଗୋଟାଏ ପ୍ରକାଣ୍ଡ ରେଜଇ ଘୋଡ଼ି ଶୋଇପଡ଼ିଲା । ଏପରି ଭାବରେ ଘୋଡି ହୋଇଥିଲା ଯେ, ସେ ମୁହଁମାଡ଼ି ଶୋଇଛି, କି ଚିତେଇ ଶୋଇଛି, କିଛି ବାରି ହେଉନଥିଲା । ରାଜା ତାହାର ଏ ଭାବ ଦେଖି ମୃଦୁ ମୃଦୁ ହସି ମନେ ମନେ ଭାବିଲେ–‘‘ରସରାଜ କିଛି ଗୋଟାଏ ନବରଙ୍ଗ କରିବ ।’’ ବୈଦ୍ୟଭୂଷଣେ ଉପସ୍ଥିତ ହୋଇ ଶ୍ରୀଛାମୁଙ୍କର ନାଡ଼ି ଚିପା ଶେଷକଲେ ଏହି ସମୟରେ ରସରାଜ ରୋଗୀ ପରି କ୍ଷୀଣ ସ୍ୱରରେ କହିଲା–‘‘ବୈଦ୍ୟଭୂଷଣେ, ଟିକିଏ ହାତଟା ଦେଖିବଟି, ଉଃ, ମା-ଲୋ ମରିଗଲି–ମରିଗଲି ।’’ ବୈଦ୍ୟଭୂଷଣେ ପାଖକୁ ଯାଇ କହିଲେ–‘‘କିଏ- ରସରାଜ, କଅଣ ହେଲା ? କାହିଁ ହାତ ବାହାର କଲ-।’’ ରସରାଜ ଆଉ କିଛି ନ କହି ଅତି ସନ୍ତର୍ପଣରେ ବାମହସ୍ତର ମଣିବନ୍ଧ ପର୍ଯ୍ୟନ୍ତ ବାହାର କରି ଦେଲା । ବୈଦ୍ୟଭୂଷଣେ ନାଡ଼ି ଚିପିବାକୁ ଲାଗିଲେ ଏବଂ ‘‘ଟିକିଏ ଲସମ–’’ ଏତିକିମାତ୍ର କହିଛନ୍ତି, ରସରାଜ ଝାଡ଼ି ଝୁଡ଼ି ହୋଇ ବସିପଡ଼ି କହିଲା–କେଉଁ ହାତଟା ଦେଖିଲ କି ବୈଦ୍ୟଭୂଷଣେ ? ବାଁ ହାତରେ ତ ଲସମ, ଆଉ ଡାହାଣ ହାତରେ କଅଣ ଦେଖିଲ ?’’ ରାଜା ଠୋ ଠୋ ହୋଇ ହସି ଉଠିଲେ । ବୈଦ୍ୟଭୂଷଣେ ବଡ଼ ଲଜ୍ଜିତ ହେଲେ । ସେଥିପାଇଁ ତାଙ୍କର ମନ ଆଜି ଭଲନାହିଁ । ସେ କ୍ରୋଧରେ କମ୍ପି କମ୍ପି ଘରେ ଆସି ପହଞ୍ଚିଲେ । ସମ୍ମୁଖରେ ଆଉ କାହାକୁ ନ ପାଇ ବନମାଳୀକୁ ଦେଖି ପଚାରିଲେ–‘‘ଶୁଣ୍ଠିଖଣ୍ଡ ମୋଦକ ତିଆର ହୋଇଗଲା ?’’ ସେ କହିଲା–‘‘ନା, ମସଲା ତ କୁଟା ସରିନାହିଁ ।’’ ଆଉ ବୈଦ୍ୟଭୂଷଣଙ୍କୁ ସମ୍ଭାଳେ କିଏ ? ସେ ସବୁ କ୍ରୋଧ ତାହାରି ଉପରେ ଅଜାଡ଼ି ଦେଲେ । ଅଭଦ୍ର ଭାଷାରେ ଯାହା ଇଚ୍ଛା ତାହା ତିରସ୍କାର କରିଗଲେ । ବେମାନ, ଅସତ୍‌, କୁକୁର ଯାହା ତୁଣ୍ଡରେ ଆସିଲା, ତାହା କହିଗଲେ । ବନମାଳୀ କାନ୍ଦୁଣୁ ମାନ୍ଦୁଣୁ ହୋଇ ନୀରବରେ ଘର ଭିତରକୁ ଚାଲିଗଲା, ଯାଉଁ ଯାଉଁ ଶାଶୁଙ୍କ ହାବୁଡ଼ରେ ପଡ଼ିଲା । ସେ ବରାତ କଲେ–‘‘ସୁଜନା ଗଛରେ ଚଢ଼ି ଶାଗ ଦଶଡ଼େମ୍ଫା ଭାଙ୍ଗିଆଣ ।’’ ବନମାଳୀ କହିଲା–‘‘ମୁଁ ଗଛକୁ ଚଢ଼ିପାରିବିନାହିଁ ।’’ ପଦ୍ମାବତୀ ଗର୍ଜି ଉଠି କହିଲା–‘‘କାହିଁକି ଚଢ଼ି ପାରିବ, ଖାଇପାରିବ ସିନା । ମୋ ପୋଡ଼ା କପାଳକୁ ଝିଅ ଯିମିତି, ଜୁଇଁ ବି ସିମିତି ମିଳିଛି । କାହାରି ଗତର ଆଉ ହଲିବ ନାହିଁ । ମୁଁ ସମସ୍ତଙ୍କର ଧାରୁଆ ଥିଲି ଯେ, ଏ ଜନ୍ମରେ ଶୁଝୁଛି ।’’ ଏହା ଶୁଣି ମଙ୍ଗଳା ଘରଭିତରକୁ ବାହାରିଆସି କହିଲା–‘‘ମୁଁ ଦାସୀ ଚାକରାଣୀ ନୁହେଁ ଯେ, ତୋ ଘରେ ପାଇଟି କରିବାକୁ ଯିବି ।’’ ପଦ୍ମାବତୀ ଆଉ କହିବେ କଅଣ ଖାଲି ଏତିକି କହିଲେ ଯେ–‘‘ନାଲୋ ମା, ତୁ ମୋ ଘରର ସାଆନ୍ତାଣୀ, ମୁଁ ଏକା ତୁମର ଦାସୀ ଚାକରାଣୀ ଅଛି–ମୋର ତ ଯୁଗ ଯାଉନାହିଁ କଅଣ କରିବି ?’’ ପଦ୍ମାବତୀ ଏହା କହି ନିଜ କାର୍ଯ୍ୟରେ ଚାଲିଗଲେ । ମଙ୍ଗଳା ଘରକୁ ଫେରିଆସି ସ୍ୱାମୀକୁ ଦେଖି ତମ୍ପୁଣୀ ପରି ଫଁ ଫଁ ହୋଇ କହିଲା–‘‘ତୋହରି ଲାଗି ମୁଁ ଏତେ ଗଞ୍ଜଣା ଶୁଣୁଛି । ହାତ ଗୋଡ଼ ପୋଡ଼ି ଯାଇଛି କି–ଗଛକୁ ଚଢ଼ି ଶାଗ ଭାଙ୍ଗିଦେଲୁ ନାହିଁ ?’’ ତିନିଆଡ଼ୁ ଗାଳି ଶୁଣି ବନମାଳୀର ମନ କ୍ଷିପ୍ତ ହୋଇ ଉଠିଲା, ସେ ରୁଷ୍ଟ ସ୍ୱରରେ କହିଲା, ‘‘ମୁଁ ତୋର ଚାକର ନୁହେଁ ଯେ, ଆଜ୍ଞାକୁ ଅବଧାନ ହୋଇଥିବି ।’’ ମଙ୍ଗଳା ମଧ୍ୟ ସମାନ ସ୍ୱରରେ କହିଲା–‘‘ନା, ତୁ ଚାକର ନୋହୁଁ–ସାଆନ୍ତ । ମୋ’ ବାପର ଖାଇ ଯେ ମଣିଷ, ସେ ଆଉ କଅଣ ?’’ ବନମାଳୀ ଆଉ ସହିପାରିଲା ନାହିଁ । କ୍ରୋଧ, ଘୃଣା ଏବଂ ଅପମାନରେ ତାହାର ସର୍ବାଙ୍ଗ ଥରି ଉଠିଲା । ସେ ରୋଷତପ୍ତ କଣ୍ଠରେ କହିଲା, ‘‘ହଁ ତୋର ଏଡ଼େ ଦିମାକ୍‌; ମୁଁ ତୋର ଚାକର ? ମୁଁ ଗରିବ, ଅନାଥ, ତୋର ଏ ଗର୍ବ ସହିଲି, କିନ୍ତୁ ଭଗବାନ ଯଦି ଥିବେ ତେବେ ତୋତେ ଏଥିର ପ୍ରତିଫଳ ଦେବେ- ନିଶ୍ଚୟ ନିଶ୍ଚୟ ତୋର ଦର୍ପ ଚୂର୍ଣ୍ଣ କରିବେ । ମୁଁ ଅନେକ ସହିଛି, ଆଉ ସହି ପାରିବି ନାହିଁ, ସହିବାର ଶକ୍ତି ମୋର ନାହିଁ । ମୁଁ ଏବେ ଚାଲିଲି, ଏ ଘରେ ଆଉ ପାଣି ଛୁଇଁବି ନାହିଁ–ଏ ଜନ୍ମରେ ତୋ ସଙ୍ଗରେ ମୋର ଆଉ ସମ୍ପର୍କ ନାହିଁ । ତୋର ବାପପରି କୁଟିଳ କୁଚକ୍ରୀକୁ ମୁଁ ବିଶ୍ୱାସ କରିଥିଲି, ତାହା ମୋର ଦୁରଦୃଷ୍ଟ ଏବେ ସେହି ପାପର ପ୍ରାୟଶ୍ଚିତ୍ତ କରିବି । ମୁଁ ତୋର ବାପମାଙ୍କୁ ଦୋଷ ଦେଉନାହିଁ, ଦୋଷ ମୋର ଦୁର୍ବୁଦ୍ଧିର । ମୁଁ କାଳସର୍ପକୁ ଫୁଲମାଳ ଜ୍ଞାନ କରିଥିଲି, ସେଥିର ଫଳ ପାଇଲି । ଲୋଭର ପରିଣାମ ବୁଝିଲି, ମୋର ଉପଯୁକ୍ତ ଶିକ୍ଷା ହୋଇଅଛି । ଆଉ ଅଧିକ କିଛି କହିବାକୁ ନାହିଁ, ଖାଲି ଏତିକି କହୁଛି ଯେ ତୋର ଏ ଗର୍ବ ସକାଶେ ତୋତେ ଦିନେ କଠୋର ଅନୁତାପ କରିବାକୁ ହେବ ।’’ ବନମାଳୀ ଏହା କହି ଘରୁ ବାହାରି ଚାଲିଗଲା । ମଙ୍ଗଳା ତାକୁ ଚାହିଁ ରହିଲା । ତାହା ପାଟିରୁ ଭାଷା ବାହାରିଲା ନାହିଁ । ତାହା ବାପର ଖାଇ ଯେ ମଣିଷ, ତାହାର ପୁଣି ଏତେ ତେଜ ! ଏହା ଦେଖି ସେ ବିସ୍ମୟରେ ନିର୍ବାକ୍‌ ହୋଇଗଲା ।

•••

 

ଅଷ୍ଟମ ପରିଚ୍ଛେଦ

 

ବନମାଳୀ କ୍ରୋଧର ଉତ୍ତେଜନାରେ ଭଲ ମନ୍ଦ ନ ବିଚାରି ଘରୁ ବାହାରିଗଲା । ତେତେବେଳେ ତାହାର କ୍ରୋଧ ଜ୍ୱଳନ୍ତ ଆଗ୍ନେୟଗିରି ପରି ଅନଳ ଉଦ୍‌ଗାର କରୁଥିଲା, ହିତାହିତ ବିବେଚନାର ସେ ସମୟ ନୁହେଁ, ଯେତେବେଳେ ଉତ୍ତେଜନା-ନିଶା ତୁଟିଗଲା, ତେତେବେଳେ ବୁଝି ପାରିଲା ଯେ, ସେ ଏବେ ଅକୂଳ ବିପଦସାଗର ଗର୍ଭରେ ନିମଜ୍ଜିତ । ଚୌଦିଗ ତାକୁ ଅନ୍ଧାର ଦିଶିଲା-। ଏ ବିପଦରୁ ତାକୁ କିଏ ରକ୍ଷାକରିବ–କିଏ ତାକୁ ଆଶ୍ରୟ ଦେବ, ଜୀବନର କୌଣସି ପଥ ସେ ପାଇଲା ନାହିଁ । ତହୁଁ ତାହାର ନେତ୍ର ଝର ମୁକୁଳା ହୋଇଗଲା, ସେ ହତାଶ ଭାବରେ କାନ୍ଦିବାକୁ ଲାଗିଲା । ଗତ ଜୀବନର ସବୁକଥା ତାହା ମନରେ ପଡ଼ିଲା । କିଏ ଯେପରି ଅଦୃଶ୍ୟରେ ଥାଇ ଗୋଟିଏ ଗୋଟିଏ ଚିତ୍ର ପଟ ତାହା ଆଖି ଆଗରେ ଖସାଇ ଦେବାକୁ ଲାଗିଲା । ସେ ମନେ ମନେ ଭାବିଲା–‘‘ଫଳାଫଳ ନଭାବି ଘରୁ ବାହାରି ଆସିବା ମୋର ଉଚିତ ହୋଇନାହିଁ । ସାମାନ୍ୟ କଥାରେ ଏତେଦୂର ରାଗିଲେ ସଂସାରରେ ଚଳିହେବ କିପରି ? ଘରକରଣା କରିବାକୁ ହେଲେ କେତେ ବଜ୍ରବାତ୍ୟା ସହିବାକୁ ହେବ । ଏହା ମୁଁ ଭୁଲିଗଲି କାହିଁକି ? ମୋର ଏ ଦୁର୍ବୁଦ୍ଧି କାହିଁକି ହେଲା ? ଶ୍ୱଶୁର ଘରେ ସ୍ଥାନ ନ ହେଲେ ମୋର ନିଜ ଘରକୁ ଯାଇ ପୂର୍ବ ଅବଧାନୀ ବ୍ୟବସାୟଦ୍ୱାରା ଜୀବନ ଯାତ୍ରା ନିର୍ବାହ କରିଥାଆନ୍ତି । ଅଳ୍ପ କଥାରେ ବିଚଳିତ ନ ହୋଇ ଧୈର୍ଯ୍ୟ ହରାଇ ବସିଲି କାହିଁକି ! ଏହିପରି ଅନୁତାପ କରୁଁ କରୁଁ କିଛିକ୍ଷଣ ପରେ ହଠାତ୍‌ ହସି ଉଠି କହିଲା–‘‘ଏଁ, ପାଗଳ ପରି ଏ କଅଣ ଗୁଡ଼ାଏ ମୁଁ ଭାବୁଛି ? ଧୈର୍ଯ୍ୟ ହରାଇଲି ? ଧୈର୍ଯ୍ୟର ବି ତ ଗୋଟାଏ ସୀମା ଅଛି, ମନୁଷ୍ୟର ରକ୍ତ ମାଂସ ଶରୀର କେତେ ସହିବ । କେହି ତ କେତେବେଳେ ମୋ ପ୍ରତି ପ୍ରସନ୍ନ ନୁହନ୍ତି, ବୃଥାଟାରେ ଏତେ ଗାଳି, ଏତେ ଗଞ୍ଜନା ଏତେ ଅପମାନ କାହିଁକି ସହିବି-? କେବେ କେବେ ତାଙ୍କର ଅନ୍ୟ ଜୁଇଁ ଦୁହେଁ ତ ଆସନ୍ତି, ତାଙ୍କ ପ୍ରତି କିପରି ବ୍ୟବହାର, ଆଉ ମୋ ପ୍ରତି କିପରି ବ୍ୟବହାର, ମୁଁ ଯେପରି ସେମାନଙ୍କ ଚାକରଠାରୁ ବି ହୀନ ।’’ ଅନନ୍ତର ବନମାଳୀ ହୃଦୟରେ ବହୁଦିନର ସଞ୍ଚିତ ସୁପ୍ତ ଅପମାନର ବ୍ୟଥା ଜାଗିଉଠିଲା, ସେ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ି ଭାବିଲା–‘‘ଝିଅଟା ବିଭା କରାଇବା ପାଇଁ ତାଙ୍କର ଏ ପ୍ରତାରଣା, ଏ କଥା ବୁଝିପାରିଥିଲେ ମୁଁ କାହିଁକି ତାଙ୍କ ଫାନ୍ଦରେ ପଡ଼ିଥାଆନ୍ତି । ଏଡ଼େ କୃପଣ, ଏଡ଼େ ଛୋଟ ମନା, ଏଡ଼େ କପଟୀ ତ ଏଦୁନିଆରେ ନାହିଁ, ଛିଃ, ଏ ପୁଣି ବଡ଼ଲୋକ ବୋଲାନ୍ତି । ଘରର ସମସ୍ତଙ୍କୁ କି ବିଧାତା ଏକା ମାଟିରେ ଏକା ଛାଞ୍ଚରେ ଗଢ଼ିଛି । ଲୋକଲଜ୍ଜା, ଚକ୍ଷୁଲଜ୍ଜା, ମୁଖଲଜ୍ଜା କିଛି କି ବିଧାତା ସେମାନଙ୍କୁ ଦେଇନାହିଁ । କେତେଥର କେତେ ଅପବାଦ ତୁଚ୍ଛାଟାରେ ମୋତେ ଦେଇଛନ୍ତି ତାହା ଭାବି ହୃଦୟ ଜଳିଯାଉଛି ।’’ ବନମାଳୀ ଏହିପରି ଅନେକ କଥା ଭାବି ଭାବି ପଥ ଅତିକ୍ରମ କରିବାକୁ ଲାଗିଲା । ସନ୍ଧ୍ୟା ପୂର୍ବରୁ ଗୋଟାଏ ବଜାରରେ ପହୁଞ୍ଚି ଦୁଇପଇସାର ମୁଢ଼ି ଉଖୁଡ଼ା କିଣି ଖାଇ, ଜଣେ ଦୋକାନୀର ପିଣ୍ଡାରେ ଶୋଇ ରହିଲା । ଦୁଶ୍ଚିନ୍ତା ହେତୁ ନିଦ୍ରା ହେଲା ନାହି; ମାତ୍ର ପାହାନ୍ତିଆ ବେଳକୁ ଟିକିଏ ଶୋଇପଡ଼ିଲା ।

 

ବନମାଳୀ ଶୟନାବସ୍ଥାରେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲା । ସେ ଦେଖିଲା–ତାହା ଦେହରେ କିଏ ଯେପରି ବହଳରେ ନୀଳରଙ୍ଗ ଲେପିଦେଇଛି । ସେ ଆଶ୍ଚର୍ଯ୍ୟ ହୋଇ ଆକାଶକୁ ଚାହିଁଲା, ଆକାଶ ଗାଢ଼ ନୀଳବର୍ଣ୍ଣ, ଏତେ ଗାଢ଼ ଯେ ଛୁଞ୍ଚିମୁନ ସୁଦ୍ଧା ଭୁକିବ ନାହିଁ । କିଛିକ୍ଷଣ ପରେ ଆକାଶ ଫାଟିଯାଇ ଫାଙ୍କ ହୋଇଗଲା । ସେହି ଫାଙ୍କବାଟେ ଚକ୍ଷୁର ଅସହ୍ୟ ଗୋଟାଏ ଉଜ୍ଜ୍ୱଳ ଜ୍ୟୋତି ବାହାରି ଦେଖୁଁ ଦେଖୁଁ ଦଣ୍ଡକ ମଧ୍ୟରେ ଆକାଶଯାକ ବ୍ୟାପିଗଲା । ସେ ଜ୍ୟୋତିରେ ସୃଷ୍ଟି ସ୍ୱର୍ଣ୍ଣବର୍ଣ୍ଣରେ ରଞ୍ଜିତ ହେଲା । ଗଛ ସ୍ୱର୍ଣ୍ଣମୟ, ଡ଼ାଳ ସ୍ୱର୍ଣ୍ଣମୟ, ଫୁଲଫଳ ସ୍ୱର୍ଣ୍ଣମୟ । ଗଛ ଡ଼ାଳରେ ସୁପ୍ତ ପକ୍ଷିଗୁଡ଼ିକ ସ୍ୱର୍ଣ୍ଣମୟ ଦିଶିଲେ; ଯେମନ୍ତ କି କେଉଁ ଯାଦୁକର ଅଦ୍ଭୁତ କୁହୁକ ବିଦ୍ୟାବଳରେ କେଉଁ ଅଜ୍ଞେୟ ଶୂନ୍ୟ ସ୍ଥାନରୁ ଗୋଟାଏ ସ୍ୱର୍ଣ୍ଣସୃଷ୍ଟି ତଳକୁ ଖସାଇଦେଲା । କିଛିକ୍ଷଣ ପରେ ସେହି ଜ୍ୟୋତି ଭେଦ କରି ଗୋଟାଏ ଜ୍ୟୋତିରଥ ବାହାରି ଆସିଲା । ସେ ରଥରେ ଘୋଡ଼ା ନାହିଁ, ନକ୍ଷତ୍ରପୁଞ୍ଜ ସେ ରଥ ବହନ କରି ତଳକୁ ଆଣୁଛନ୍ତି । ସେହି ଜ୍ୟୋତିରଥରେ ଗୋଟିଏ ଜ୍ୟୋତିର୍ମୟୀ ନାରୀ ମୂର୍ତ୍ତି ପଦ୍ମାସନରେ ବସିଅଛନ୍ତି । ତାଙ୍କର ମସ୍ତକରେ ଜ୍ୟୋତିର୍ମୁକୁଟ ଦାଉ ଦାଉ ଦିଶୁଅଛି । ମୂର୍ତ୍ତିଟି ଜ୍ୟୋତିର୍ବସନ ପରିହିତା, ଜ୍ୟୋତିର୍ଭୂଷଣରେ ଭୂଷିତା । ଅଧରରେ ସ୍ନେହର ମୃଦୁହାସ୍ୟ ଲାଗିରହିଅଛି । ନେତ୍ରରୁ ଦୟାର ସ୍ନିଗ୍‌ଧ ଶୀତଳ ଜ୍ୟୋତିଃ ଝରିପଡ଼ୁଅଛି । ସେହି ଜ୍ୟୋତିରଥ ତଳକୁ ଖସି ଆସିଲା; ମାତ୍ର ପୃଥିବୀ ସ୍ପର୍ଶ କଲାନାହିଁ, ପୃଥିବୀର କିଛି ଦୂର ଉପରେ ଶୂନ୍ୟରେ ସ୍ଥିର ହୋଇରହିଲା । ତହୁଁ ଜ୍ୟୋତିର୍ମୟୀ ନାରୀ ବାତ୍ସଲ୍ୟପୂର୍ଣ୍ଣ ମଧୁର ସ୍ୱରରେ କହିଲେ–‘‘ବତ୍ସ ! ମୋତେ ଚିହ୍ନି ପାରିଲୁ କି ? କେବେ ତ ଦେଖିନାହୁଁ, କିପରି ବା ଚିହ୍ନିବୁ ? ମୁଁ ତୋର ଗର୍ଭଧାରଣୀ ଜନନୀ, ତୋତେ ଜନ୍ମକଲା ମାତ୍ରେ ମୁଁ ମରଧାମକୁ ବିଦାୟ ଘେନି ନିତ୍ୟ ଅମରଧାମକୁ ଚାଲିଆସିଛି । ମୋ ଦୁର୍ଭାଗ୍ୟ ମୋତେ ମାତୃକର୍ତ୍ତବ୍ୟର ସୁଖ ସୁବିଧାରୁ ବଞ୍ଚିତ କରିଛି-। ତୋର ଏ କାତରଭାବ ଆଉ ଦୁର୍ଭାବନା ମୋର ମାତୃହୃଦୟକୁ ପ୍ରବଳ ବେଗରେ ମନ୍ଥନ କଲା; ତେଣୁ ସହି ନ ପାରି ଆସିଲି । ସନ୍ତାନର ଦୁଃଖ ମାତୃହୃଦୟକୁ ବଡ଼ବାଧେ । ସେ ଆଘାତର ବଜ୍ରବ୍ୟଥା କଥାରେ କହିହେବନାହିଁ । ତୁ କାହିଁକି ଏତେ ଛାନିଆ ହେଉଛୁ ବାପ କିଛି ଚିନ୍ତା କରନା–ତୋର ଭବିଷ୍ୟତ୍‌ ଉଜ୍ଜ୍ୱଳ । ଅଦୃଷ୍ଟ ତୋତେ ଯେଉଁ ଆଡ଼କୁ ନେଇଯାଉଛି ତୁ କିଛି ନ ଭାବି ସେହି ଆଡ଼କୁ ଯା । ତୁ ପ୍ରତାରଣାରେ ଭୁଲିଯାଇ ଅତି ଲୋଭରେ ମାତିଥିଲୁ, ତାହାର ଫଳ ଏବେ ଭୋଗ କଲୁ । ଯାହାହେଉ, ପ୍ରତାରଣାଜାଲ ଛିଣ୍ଡାଇ ବାହାରିଆସି ତୁ ଭଲ କରିଛୁ । ପେଟପାଇଁ ଚିନ୍ତା କରନା, ପ୍ରକାଣ୍ଡ ପୃଥିବୀରେ ତୋର କ୍ଷୁଦ୍ର ପେଟଖଣ୍ଡକ ପୂରିବା ଭଳି ଖାଦ୍ୟର ଅଭାବ ହେବ ନାହିଁ । ଏ ସଂସାରରେ ପଶୁପକ୍ଷୀ ଉପାସ ରହନ୍ତି ନାହିଁ–ତୁ ତ ବୁଦ୍ଧିମାନ୍‌ ମନୁଷ୍ୟ । ମନର ଦୁର୍ବଳତା ଛାଡ଼ି ସାହସ ଧର, ଆଉ ନିୟତିର ପିଛା ଧରି ନିର୍ଭୟରେ ଚାଲ-।’’ ଅନନ୍ତର ଭୋଜବାଜି ପ୍ରାୟ ସେହି ଜ୍ୟୋତିର୍ମୟୀ ନାରୀ ସହ ଜ୍ୟୋତିରଥ ଆକାଶରେ ମିଳାଇଗଲା ସଙ୍ଗେ ସଙ୍ଗେ ବନମାଳୀର ସ୍ୱପ୍ନ ଭାଙ୍ଗିଗଲା, ସେ ଉଠି ବସି କହିଲା–‘‘ସତେ କି ମା’ ତୁ ଆସିଥିଲୁ–ସତେ କି ମୋର ବିପଦ ତୋର ଦେବୀହୃଦୟରେ କରୁଣା ସଞ୍ଚାର କରିଥିଲା । ମୁଁ ଦୁର୍ଭାଗ୍ୟ, ତୋର ମାତୃରୂପା ନାରୀମୂର୍ତ୍ତ ଦେଖିନାହିଁ; ମାତ୍ର ତୋର ଦେବୀମୂର୍ତ୍ତି ଦେଖି ପବିତ୍ର ହେଲି–ଧନ୍ୟ ହେଲି । ମା, ଯେବେ ଆସିଲୁ ତେବେ ଜାଗ୍ରତ ଅବସ୍ଥାରେ ଦେଖା ନ ଦେଇ ସ୍ୱପ୍ନାବସ୍ଥାରେ ଦେଖାଦେଲୁ କାହିଁକି ? ଅଥବା ତୁ ଯେଉଁ ପୁଣ୍ୟ ରାଜ୍ୟରେ ଅଛୁ, ଜାଗ୍ରତବସ୍ଥାରେ ଦେଖାଦେବା ସେ ରାଜ୍ୟବାସୀଙ୍କର ଧାରା ନୁହେଁ ।’’ ଏହି ସମୟରେ ବଜାରରେ ନାଗରା ବାଜିଲା । ବନମାଳୀ କାରଣ ପଚାରି ବୁଝିଲା–ଜଣେ ସର୍ଦ୍ଦାର ହାତରୁ ଖର୍ଚ୍ଚଦେଇ ରେଙ୍ଗୁନକୁ ଲୋକ ନେବାପାଇଁ ନାଗରା ଦେଉଅଛି । ସେ ଆଉ ବିଳମ୍ବ କଲାନାହିଁ, ସେହି ସୁଯୋଗରେ ରେଙ୍ଗୁନ ଚାଲିଗଲା ।

 

ଦିନେଗଲା–ଦୁଇଦିନଗଲା–ତିନିଦିନଗଲା, ତେବେ ସୁଦ୍ଧା ଜୁଇଁର ଦେଖାନାହିଁ; ମାତ୍ର ସେଥିଲାଗି ବୈଦ୍ୟଭୂଷଣଙ୍କର କିଛି ଚିନ୍ତା ନାହିଁ । ସେ କୁଆଡ଼େ ଗଲା, ବା କଅଣ କଲା ସେଥିର ଖୋଜ ଖବର କିଛି ନେଲେ ନାହିଁ । ଆହୁରି କହିଲେ–‘‘ଦୁଧ ଭାତ ଯେବେ ଗଳା କୁଣ୍ଡାଇହେଲା, ତେବେ ଯୁଆଡ଼େ ଗଲା ଯାଉ । ସିମିତି କର୍ମକୋଢ଼ୀ ନିଖଟୁକୁ କଉଁଠି ଠାବ ଅଛି, ଆଉ କଉଁଠି ବା ଦାନା ମିଳିବ, ବୁଲା କୁକୁର ପରି ବୁଲି ବୁଲି ବଳେ ଆପେ ଆସିବ । ମୋର ଗରଜ ପଡ଼ିଛି–ମୁଁ ଖୋଜିବାକୁ ଯିବି । ମୋର ଭାତ ହଜମ ହେଉନାହିଁ । ଏତେ ଆଦର ପଡ଼ିଛି । ବସି ବସି ଦଶ ତୁଣରେ ଭାତ ଖାଇବ, ଆହୁରି ରୁଷିବ, ଓଃ କି ନବାବର ନାତିରେ, ଝିଅ ଦେଇଛି ବୋଲି ବସାଇ କରି ପୋଷିବି, ହାତ ଯୋଡ଼ି ଥିବି, ସତେ ଯିମିତି ମୋର ଗୁରୁ ଗୋସାଇଁ । ଗଲା ଯେବେ ଯାଉ, କଲିକତା ଫଲିକତା ଯାଇ ଦଶଟଙ୍କା ରୋଜଗାର କରୁ, ଖାଲି ଏଠି ବସି ବସି ଗେଫା ମାରିବ କାହିଁକି-? ବାପ ଗୋସ ବାପର ମାଲ କଅଣ ଏଠି ଥୁଆ ହୋଇଛି ? କଥା ପଦେ କହିଲେ ରାଧା ଦେହକୁ ବାଧି ଗଲା, ଏତେ ଅଭିମାନ କେଉଁ ଗୁଣରେ ।’’ ପଦ୍ମାବତୀ ସ୍ୱାମୀଙ୍କ କଥା ଶୁଣି ଆହୁରି ଅଧିକ କରି କହିଲା–‘‘ଯାଉ ଗୋ ଯାଉ ଏତେ ଡର ପଡ଼ିଛି । ମୋ ଝିଅକୁ ରାଣ୍ଡ ଝିଅ ପଣେ ବେକରେ ବାନ୍ଧିବି, ଆଉ କଅଣ ହେବ । ମୋ ଝିଅ ଅଶୋଭା ନା ଅସୁନ୍ଦର ଯେ, ତାକୁ ବର ମିଳୁ ନ ଥିଲା । ବାପ ନାହିଁ ମା ନାହିଁ ବୋଲି ଦୟା କରିବାର ଫଳ ଏହିପରା । ସାତ ଜନ୍ମ ଗଲେ ହାତରେ କୁଶ ଲାଗିଥାଆନ୍ତା ନା ।’’ ଏହିପରି ଅନେକ କଥା କହିଲେ, ତାହା ଲେଖିବା ଅନାବିଶ୍ୟକ । ସେ ରୂପ ତିକ୍ତ ବିକୃତ ରସରେ ପାଠକମାନଙ୍କର ରୁଚି ହେବନାହିଁ ।

 

ମଙ୍ଗଳା ତ ଚିର ଉଦ୍ଧତା, ତାହାର କୌଣସି କଥାକୁ ଖାତର ନାହିଁ । ସ୍ୱାମୀ ଉପରେ ତାହାର ଏତେଦୂର ଅଧିକାର, ସ୍ୱାମୀକୁ ସେ ଯାହା ଇଚ୍ଛା ତାହା କହିପାରେ ବୋଲି ଗୋଟିଏ ଆତ୍ମପ୍ରସାଦ ଅନୁଭବ କରେ । କିନ୍ତୁ ଏବେ ଚାରିଆଡ଼ୁ ଖୁଞ୍ଚା ଖାଇ ତାହା ମନ ଟିକିଏ ସଳଖି ଲାଣି । ମଙ୍ଗଳା ସ୍ୱାମୀକୁ ଚାକର ବୋଲି ଗାଳିଦେଇ ଘରୁ ଘଉଡ଼ିଦେଲା, ଏ କଥାରେ ଗାଁରେ ହାଟ ବସିଛି, ସମସ୍ତଙ୍କ ମୁହଁରେ ସେହି ଏକ କଥାର ଚର୍ଚ୍ଚା ଲାଗିଛି । ବିଶେଷତଃ ସ୍ତ୍ରୀସମାଜରେ ଅଧିକ ପ୍ରବଳ । ସେମାନେ ଘଟଣାଟାକୁ ଅଳଙ୍କୃତ କରି ବଢ଼ାଇ ଦେଉଅଛନ୍ତି । କେହି କହୁଛି–ଓଃ,‘‘ଏ କି କାଳ ଆସି ହେଲା ଗୋ ମା, ସ୍ୱାମୀକୁ ଏଡ଼େ କଥା କହିଲା । ହା–ତେରଚଣ୍ଡୀ, ଘୋଡ଼ାବାଗଧରୀ, ତା ଜିଭ ଛିଡ଼ିପଡ଼ିଲା ନାହିଁ । କଉଁ ନରକରେ ତାକୁ ଠାବ ହବ କେଜାଣି ।’’ ଏହା ଶୁଣି କେହି କହିଲା–‘‘ଖାଲି କଅଣ ଗାଳି ଦେଇଛି, ତୁମେ ସବୁ ଆଛା ବୁଝିଛ । ଖାଲିଗାଳି ନୁହେ–ତା ଉପରକୁ । ସେଟା କଅଣ ମାଇକିଣା ନା ? କେତେ ଅଣ୍ଡିରାଙ୍କ କାନ କାଟି ଛାଡ଼ିଦେବ । ମରଣ ନାହିଁ କଳଙ୍କୀ ନା’ କାଢ଼ୀକି । ଏହିପରି ନାନା ଲୋକ ନାନା କଥା କହୁଅଛନ୍ତି । ପଦ୍ମାବତୀ ବି ଭିନ୍ନ ସ୍ୱର ଧରିଲେଣି । ଏଣିକି ସେ ଝିଅ ଉପରେ ଭାରି ଖପା । କେହି ପଚାରିଲେ କହନ୍ତି–‘‘ଜୁଇଁ, ନା ସୁନା ମୁଣ୍ଡେ–ଜନ୍ମକଲା ପୁଅବି ତାହାପରି ଦରଜ ହବ ନାହିଁ । ଯେତେ ବକିହେଲେ–ଯେତେ ବେକାର ହେଲେ ସେ କଅଣ ତୁଣ୍ଡ ଲୋଉଟାଇ ପଦେ ଉତ୍ତର ଦବ । ମୋ ଝିଅ ପାଣଘରୀ ଏକା ତାକୁ କାଢ଼ିଲା । ସକଳ ଖାଇ ଗାଲ ପୋଡ଼ୀ କେତେବେଳେ ତାକୁ ଦି’ଆଖିରେ ଦେଖିପାରିଲା କାହିଁ । ପୁରୁଷ ପୁଅ, ତାକୁ ଲଗା କଅଣ, ସେମିତି ମୁହଁ ନ ଚାହିଁ ଗୋଡ଼ରେ ଠେଲିଦେଇ ଚାଲିଗଲା । ଝିଅ ହେଲେ କଅଣ ହେଲା, ନିଜର ଝିଅ ବୋଲି ତା ଦୋଷ ଢାଙ୍କି ରଖିବି, ଆଉ ଜୁଇଁଟି ପର ପୁଅ ହେଲାବୋଲି ତା’ ନାମରେ ମିଛରେ ଦୁର୍ଚ୍ଛନା ଦେଇ ବୁଲିବି–ମୁଁ ସିମିତି ଖରାପ ଲୋକ ନୁହେ ଲୋ ମା’ ରାଣି, ସେ କଥା ମୋ କୋଷ୍ଠିରେ ନାହିଁ । ଯାହା କହିବି, ହକ କଥା କହିବି–ମିଛ କହି ପାପ ଅର୍ଜିବ କାହିଁକି ।’’ ମଙ୍ଗଳା ଏ ସବୁ କଥା ଶୁଣି ମୁହଁ ଭାରି କରେ; ମାତ୍ର କିଛି କହେ ନାହିଁ । ଗାଁକୁ ବାହାରିଲେ ସମସ୍ତେ ଛି–ଛାକର କରନ୍ତି, ସେହି ହେତୁ ସେ ଏଣିକି ଗାଁ ବୁଲା ଛାଡ଼ିଦେଇଅଛି ।

 

ବୈଦ୍ୟଭୂଷଣେ ପ୍ରଥମତଃ ମନେ ମନେ କହୁଥିଲେ–‘‘ଝିଅର ତ ‘ଅଭଡ଼ା’ ଦୋଷ କଟିଗଲା, ମୁଁ ଲଜ୍ଜାରୁ ରକ୍ଷାପାଇଲି–ଏଣିକି ଜୁଇଁ ରହୁ ବା ଯୁଆଡ଼େ ଯାଉ, ମୋର କଅଣ ଗଲା ।’’ କିନ୍ତୁ କେହି ପଚାରିଲେ କହନ୍ତି–କେଉଁଠିକି ଗଲା ମୁଁ ଜାଣେ ? କଲିକତା ଯାଦୁଘର ଦେଖିବାକୁ ଯିବବୋଲି କାହାରି କାହାରି ପାଖରେ କହିଥିଲା, ସେହି କଥା ମୋତେ କହିଥିଲେ ତ ମୁଁ ଖର୍ଚ୍ଚ ଦେଇ, ସାଙ୍ଗରେ ଲୋକ ଦେଇ ପଠାଇଥାଆନ୍ତି । ଦେଖ ତାହାର କୁବୁଦ୍ଧି, ମୋତେ କିଛି କହିଲା ନାହିଁ । ଆଜିକାଲି ଟୋକାଙ୍କୁ ଆଉ ପାରି ହେବନାହି, ସେ ଗୁଡାକ ବଡ଼ ବଦ ମଗଜା ଧରିଗଲେ ।

•••

 

ନବମ ପରିଚ୍ଛେଦ

 

ଜପାମାଳୀ ଗଡ଼ିଲା ପରି ଦିନପରେ ଦିନ ଗଡ଼ି ଚାଲିଯାଏ । ଦିନ ମିଶି ମାସ ହୁଏ, ମାସ ମିଶି ବର୍ଷ ହୁଏ, ଏହିପରି ସମୟ ପରଂପରା ଚାଲିଅଛି ଏବଂ ଚାଲିଥିବ । ସମୟର ଗତି ନୀରନ୍ଧ୍ର, ସେଥିରେ ପାଣି ଗଳିବାକୁ ଫାଙ୍କ ନାହିଁ । ଦେଖୁଁ ଦେଖୁଁ ବର୍ଷ ପରେ ବର୍ଷ ଅତୀତ ହେଲା, ତଥାପି ବନମାଳୀ ଫେରିଲା ନାହିଁ; କିମ୍ବା ତାହାର କୌଣସି ସମ୍ବାଦ ସୁଦ୍ଧା ଜଣାଗଲା ନାହିଁ । ମଙ୍ଗଳା ଏଣିକି ଅନୁତାପ କରିଶିଖିଲାଣି; କିନ୍ତୁ ସେ ଅନୁତାପରେ ମଧ୍ୟ ଔଦ୍ଧତ୍ୟ ମିଶିଥାଏ, ସେ ବେଳେ ବେଳେ ଭାବେ–‘‘ଯେ ହାତ ଧରି ବିଭା ହୋଇଛି, ସେ ପର ନୁହେ, ମୁଁ ଖାଇ ପିଇ ନିଶ୍ଚିନ୍ତ ଅଛି, ଆଉ ସେ କେଉଁଠି କଅଣ କରୁଥିବ । ଯେତେ ହେଲେ ତ ଗେରସ୍ତ, ତାକୁ ମୁଁ କେତେ ତୁଚ୍ଛକରି କଥା କହିଛି ।’’ ସଙ୍ଗେ ସଙ୍ଗେ ପୁଣି ଲେଉଟି ପଡ଼ି ଭାବନା ସ୍ରୋତ ଠିକ୍‌ ବିପରୀତ ଆଡ଼କୁ ଟାଣିନେଇଯାଏ । ମନେ ମନେ କହେ–‘‘ଓଃ ତୁଚ୍ଛକରି କହିଲି ଯୁଗ ବୁଡ଼ିଗଲା ? ସେ ମୋତେ ପୋଷୁଥିଲା, ନା ପାଳୁଥିଲା । ମାଇପମାନେ ଘଇତାମାନଙ୍କୁ କେତେ କଥା କହୁଅଛନ୍ତି, ମୁଁ ଇମିତି କଅଣ କହିଲି ଯେ କଅଁଳ ଦିହକୁ ବାଧିଗଲା । ମୁ ଜାଣି ରାଗତମରେ କଥେ କହିଦେଲି, ସେ ଆଉ ଏତକ ସହିପାରିଲା ନାହିଁ । ମୋର କଥା ପଦେ ଯେ ସହିଲା ନାହିଁ ସେଟା ମୋର କିଏ ଯେ–ତା’ ଲାଗି ଭାବିହେବି, ଝୁରିହେବି । ମୋର ତ ଆଉ ଦିନ ସରୁ ନାହିଁ । ଗାଁର ରାଣ୍ଡ ପୋଡ଼ାମୁହୀଁ ଗୁଡ଼ାକ ମୋତେ ଦି’ଆଖିରେ ଦେଖିପାରୁ ନାହାନ୍ତି, ମୁଁ କାହା ମୁହରେ ନିଆଁ ଲଗେଇଛି କେଜାଣି; ଆଉ ବାପମାଙ୍କ ଆଖିରେ ତ ମୁଁ ବିଷ ହୋଇଛି, ତାଙ୍କର ଯେତେବେଳେ ଖାଉଛି ପିନ୍ଧୁଛି ତେତେବେଳେ ଚେଙ୍କିଲେ ବି ସହିବି, ପୋଡ଼ିଲେ ବି ସହିବି । ତାଙ୍କ ଧନ ରଜାତଣ୍ଡକୁ ଅଛି; ଆଉ ମୁଁ ଖାଇଲେ ସରିଯବ । ପୁଣି କହୁଛନ୍ତି–‘‘ଆମେ ଜନ୍ମ ଦେଇଛୁଁ ବୋଲି କଅଣ କର୍ମ ଦେଇଛୁ କି ତାହା କପାଳରେ ଯାହାଥିଲା, ତାହା ହେଲା ।’’ ଏ ଫେର କି କଥା, ମୋ କପାଳରେ କଅଣ ଥିଲା–ତମେ ତ ଏତେ କୂଟ କଲ । ଗୋଟାଏ କଉଁଠୁ ସାଉଣ୍ଟି ଆଣି ତା’ ଗୋଡ଼ରେ ମୋତେ ଛନ୍ଦିଇ । ଆଉ ମୋ କପାଳର ଦୋଷଟା କଅଣ ହେଲା ।’’

ସାତ, ଆଠ ବର୍ଷ ଅତୀତ ହେଲା, ତେବେ ସୁଦ୍ଧା ବନମାଳୀର କିଛି ଅନ୍ଦିସା ମିଳିଲା ନାହିଁ-। କେହି କହିଲା ଅଛି, କେହି କହିଲା ମଲାଣି, ଏହିପରି ଜୀବନ ମୃତ୍ୟୁର ସନ୍ଧି ସ୍ଥଳରେ ଆଣି ତାକୁ ପକାଇଲେ । କେହି ଶାସ୍ତ୍ରଦର୍ଶା ବ୍ୟକ୍ତି ଶସ୍ତ୍ରୀୟ ପ୍ରମାଣ ଦେଖାଇ କହିଲା–ମରି–ଥାଉ ବା ଜୀଇଥାଉ–ଯାହାହେଉ, ବାରବର୍ଷ ଯାଏ ତ ଅପେକ୍ଷା କରିବାକୁ ହେବ । ବୈଦ୍ୟଭୂଷଣେ ଏକାବେଳକେ ଆଶା ତ୍ୟାଗ କଲେ; ମାତ୍ର ସେଥିପାଇଁ ତାଙ୍କର ଶୋଚନା ନାହିଁ । ତାଙ୍କ ସହଧର୍ମିଣୀଙ୍କ ମନରେ ଜାମାତାର ସ୍ମୃତି ମାତ୍ର ଜାଗ୍ରତ ରହିଲା, ଆଉ ମଙ୍ଗଳାର ହୃଦୟରୁ ସ୍ୱାମିସ୍ମୃତି ନିଭିଗଲା କି ରହିଲା, ତାହା ଛଡ଼ା ଆଉ କେହି ତାହା ଜାଣନ୍ତି ନାହିଁ ।

ଏହାପରେ ଆହୁରି ଦୁଇବର୍ଷ କାଳ ଗଡ଼ି ଗଲାଣି । ବୈଦ୍ୟଭୂଷଣଙ୍କ ପରିବାରରେ କେତେ ପରିବର୍ତ୍ତନ ଘଟିଗଲାଣି । ତାଙ୍କ ବିଧବା ଭଉଣୀ ଦୁଃଖ ଯନ୍ତ୍ରଣାପୂର୍ଣ୍ଣ ଇହଲୋକରୁ ବିଦାୟ ନେଇ ଅନନ୍ତ ଅନଶ୍ୱର ସୁଖ ଶାନ୍ତିମୟ ପୁଣ୍ୟ ଧାମକୁ ଚାଲିଗଲାଣି । ତାହା ଅଭାବରେ ଗୃହକାର୍ଯ୍ୟର ଗୁରୁ ଦାୟିତ୍ୱ ଗୃହିଣୀଙ୍କ ଉପରେ ଆଶ୍ରୟ ନେଇଅଛି । ଗୋଡ଼ ଲମ୍ବାଇ ହାକିମ୍‌ କରିବାର ଦିନ ଆଉ ତାଙ୍କର ନାହିଁ । ମଙ୍ଗଳା ରନ୍ଧାବଢ଼ାକରି ମାତାଙ୍କୁ ଅନେକ ସାହାଯ୍ୟ କରେ । ‘‘ମୁଁ ଦାସୀ ପୋଇଲୀ ନୁହେଁ ଯେ କାହା ଘର କାମ କରିବି’’ ପୂର୍ବପରି ଏକଥା କହିବାର ସାହସ ତାହାର ନାହିଁ । ସେ ଏବେ ଆଉ ବାଳିକା ନୁହେ–ପିତୃଗୃହରେ ତାହାର ଅଧିକାର, ସେ ବୁଝିପାରିଲାଣି । କାମଦାମରେ ସାହାଯ୍ୟ କରେବୋଲି ଜନନୀ ତାହା ପ୍ରତି ଆଉ ଅପ୍ରସନ୍ନା ନୁହନ୍ତି-। ମଙ୍ଗଳା ଆଉ ସାହି ବୁଲିବାକୁ ଯାଏନାହିଁ, କିମ୍ବା ଭାର ବସି ରହେ ନାହିଁ–ମା’ ହାତରୁ ଛଡ଼ାଇ କାମ ପାଇଟି କରେ । ଆଉ କେହି ସେ କାମ କଲେ ପାରିଶ୍ରମିକ ନିଅନ୍ତା । ବୈଦ୍ୟଭୂଷଣେ ତେତିକରୁ ତ୍ରାହି ପାଇଅଛନ୍ତି । ଖର୍ଚ୍ଚ ବଞ୍ଚିଯିବାରୁ ସେ ମଧ୍ୟ ଏଣିକି କନ୍ୟା ପ୍ରତି ପ୍ରସନ୍ନ ।

ଦିନେ ତିନିଜଣ ବୈଷ୍ଣବ ଆସି ରାଜାଙ୍କ ସିଂହଦ୍ୱାର ଆଗରେ ଆସନ ପକାଇ ବସିଲେ । ଏକଥା ରାଜାଙ୍କ କର୍ଣ୍ଣଗୋଚର ହେଲା । ରାଜଆଜ୍ଞାରେ ସେମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଏବଂ ଖାଦ୍ୟର ବ୍ୟବସ୍ଥା ହେଲା । ସେମାନେ କେତେଦିନ ରହି ରାଜଆତିଥ୍ୟ ଗ୍ରହଣ କଲେ ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧ, ଆଉ ଦୁଇ ଜଣ ଯୁବକ । ବୃଦ୍ଧ–ଗୁରୁ, ସେ ଦୁହେଁ ଚେଲା । ବୃଦ୍ଧ ପେଟ ବିକଳିଆ ବୈଷ୍ଣବ ନୁହନ୍ତି–ଜଣେ ପ୍ରକୃତ ସାଧୁ ପୁରୁଷ । ସାଧନ ଭଜନରେ ତାଙ୍କର ଅଧିକାଂଶ ସମୟ ବ୍ୟୟିତ ହୁଏ । ଲୋକଟି ଶାନ୍ତ, ଶିଷ୍ଟ ଏବଂ ସ୍ୱଳ୍ପଭାଷୀ । ଦେଖିଲେ ମନରେ ଭକ୍ତି ଜାତ ହୁଏ-। ଚେଲା ଦୁଇଟିକୁ ସେ ପୁତ୍ରବତ ସ୍ନେହ କରନ୍ତି । ସେ ଦୁହେଁ ମଧ୍ୟ ଗୁରୁବତ୍ସଳ ଏବଂ ଅନୁଦ୍ଧତ । ଗୋଟିକର ବର୍ଣ୍ଣ ଆକୃତି ଠିକ୍‌ ବନମାଳୀ ପରି । ସେହି ଆଖି, ସେହି କାନ, ସେହି ମୁହଁ, ସେହି ସ୍ୱର, ବିଧାତା । ଯେପରି ଏକ ଛାଞ୍ଚରେ ଢାଳି ଦୁଇଟି ମୂର୍ତ୍ତି ଉଠାଇଅଛି । ବୈଦ୍ୟଭୂଷଣେ ତାକୁ ଦେଖି ପ୍ରଥମତଃ ଟିକିଏ ସନ୍ଦେହ କଲେ; ମାତ୍ର ତାଙ୍କର ମନ ଉଚ୍ଚାଟ ହେଲା, ସେ ଦୁଇ ତିନି ଥର ଆସି ଲୁଚି ଲୁଚି ଦେଖିଗଲେ । ତେବେ ସୁଦ୍ଧା ତାଙ୍କର ବିଶ୍ୱାସ ଦୃଢ଼ ହେଲାନାହିଁ । ଦିନେ ଦୁଇଦିନ ନୁହେଁ–ଦଶବର୍ଷକାଳ ବିତି ଗଲାଣି, ଏହି ଦଶବର୍ଷ ମଧ୍ୟରେ ଜଣେ ଲୋକର କେତେ ପରିବର୍ତ୍ତନ ଘଟିଥିବ; ସୁତରାଂ ଚିହ୍ନିବା ସହଜ ନୁହେଁ; ଆଉ ହଠାତ୍‌ ପଚାରିବେ ବା କିପରି ? କାଳେ ସେ ହୋଇ ନ ଥିବ । ମନୁଷ୍ୟ ମଧ୍ୟରେ କଣ ଏକା ପରି ଦୁଇ ଜଣ ନାହାନ୍ତି ? ବୈଦ୍ୟଭୂଷଣେ ସେ ଦିନ ଏ କଥା କାହାକୁ କିଛି ନ କହି ଗୋପନ ରଖିଲେ । ତହିଁ ପର ଦିନ ପଦ୍ମାବତୀ କହିଲା–‘‘ଶୁଣିଲଣି ଗୋଟାଏ କଥା । ରଜା ଘରକୁ ତିନିଜଣ ବାବାଜି ଆସିଛନ୍ତି ସେଥିରୁ ଜଣେ ଠିକ୍‌ ଆମ ବନମାଳୀ ପରି ଦିଶୁଛି । କଥା ବି ତାହାରି କଥା ପରି କହୁଛି । ସତେ କଣ ସେ ବୈଷ୍ଣବ ହୋଇ ଯାଇଛି ? କେଜାଣି ଯେବେ ହୋଇଥାଏ, ତେବେ ଜାଣୁ ଜାଣୁ ଏଠିକି ଆସିବ କାହିଁକି ? ଆସିଲେ ଯେ ଲୋକେ ତାକୁ ଚିହ୍ନିବେ, ଏହା କଅଣ ସେ ଜାଣେ ନାହିଁ ? ହେଲେ ଠିକ୍‌ ଏହା ତାହାରି ପରି ଦିଶୁଛି । ତାକୁ ଲୁଚାଇ ଆକୁ ଆଣି ହେବ । ଆକୁ ଲୁଚାଇ ତାକୁ ଆଣିହେବ ।’’ ପଦ୍ମାବତୀ ଏହା ଶୁଣି ଉତ୍କଣ୍ଠିତ ଭାବରେ କହିଲା–‘‘ଏଁ, କଅଣ କହୁଛ ? ସତେ ନା ? ତେବେ ନିଶ୍ଚେ ତ ସେହି । ସେ ମନରେ କରିଥିବ–ଦଶବର୍ଷ ପରେ କିଏ କିମିତ ଚିହ୍ନିବ । ତାହା କଅଣ ହୁଏ, ଯାହାର ଯେ, ସେ ତାକୁ ଶଏ ବର୍ଷ ପରେ ବି ଚିହ୍ନିବ । ତମେ ଯାଅ, ଆଉ ଡ଼େରି କରନାହିଁ, ଚଞ୍ଚଳ ତାକୁ ଘେନି ଆସ । ଏତେଦିନ ଠାକୁରେ ମୋ ଗୁହାରୀ ଶୁଣିଲେ ।’’ ବୈଦ୍ୟଭୂଷଣେ ସ୍ତ୍ରୀଙ୍କଠାରୁ ଉତ୍ସାହ ପାଇ ତରଭର ହୋଇ ଧାଇଁଲେ । ବାଟରେ ରାଜଗୁରୁ ଏବଂ ରାଜପୁରୋହିତଙ୍କୁ ଦେଖି ତାଙ୍କୁ ସବୁକଥା କହିଲେ । ରାଜଗୁରୁ କହିଲେ–‘‘ଏତେ ସଙ୍କୋଚ କାହିଁକି ହେ, ଚାଲ ମୁଁ ପଚାରିବି ।’’ ତହୁଁ ତିନିହେଁ ସାଙ୍ଗ ହୋଇ ଯଥାସ୍ଥାନକୁ ଗଲେ । ବାବାଜି ଶାସ୍ତ୍ରପାଠ କରୁଅଛନ୍ତି, ଚେଲା ଦୁହେଁ ବସି ଶୁଣୁଅଛନ୍ତି । ଦୂରରୁ ଦେଖି ତିନିହେଁ ଯାକ ଫୁସୁର ଫାସର ହେଲେ । ପୁରୋହିତେ କହିଲେ, ‘‘ନିଶ୍ଚେ ସେହି ।’’ ରାଜଗୁରୁ କହିଲା–‘ସେଥିରେ ଆଉ ସନ୍ଦେହ କଅଣ ? ଚାଲ ମୁଁ ପଚାରୁଛି ।’’ ଅନନ୍ତର ତିନିହେଁ ଯାଇଁ ବାବାଜିଙ୍କ ପାଖରେ ବସିଲେ । ରାଜଗୁରୁ ସେହି ଚେଲାଟିକୁ ଚାହିଁ ହସି ହସି କହିଲା–‘‘କି ବନମାଳି, ଏ ଭେକ କେବଠଉଁ ଧଇଲ ?’’ ଚେଲାଟି ତାଟଙ୍କା ହୋଇ ତାଙ୍କ ମୁହଁକୁ ଚାହିଁ ରହିଲା । ପ୍ରଥମେ ତାହାର ବାକ୍‌ସ୍ଫୁର୍ତ୍ତି ହେଲା ନାହିଁ, କିଛି କ୍ଷଣ ପରେ ଧୀର ସ୍ୱରରେ କହିଲା–

‘‘ବନମାଳୀ କିଏ ବାବୁ ? ରାଜଗୁରୁ ମୁଖଭଙ୍ଗି କରି କହିଲେ ଆହା, କେଡ଼େ ଚତୁର ପିଲାଟା ରେ, କିଛି ଜାଣେ ନାହିଁ । ମାଇପକୁ ଛାଡ଼ି ଚିତାକାଟି ବୈଷ୍ଣବ ହୋଇ ବୁଲିବାଟା ବଡ଼ ବୁଦ୍ଧି ମନ୍ତ ପଣ ଏକା ।’’ ବୃଦ୍ଧ ସାଧୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘ବ୍ୟାପାର କଅଣ ?’’ ରାଜଗୁରୁ କହିଲେ–‘‘ଆପଣଙ୍କର ଏ ଚେଲାଟି ଆମ ବୈଦ୍ୟଭୂଷଣଙ୍କର ଜୁଇଁ । ଦଶବର୍ଷ ହେଲା ଘରୁ ପଳାଇଯାଇଥିଲା । ଆଜି ଏହାର ଦେଖା ମିଳିଲା ।’’ ସାଧୁ ବିସ୍ମୟ ଦୃଷ୍ଟିରେ ଚାହିଁ କହିଲେ, ‘‘ସତେ ? ଉଃ, ତେବେ ମୋତେ ପ୍ରତାରଣା କରିଛି-। ଦୁଇବର୍ଷ ହେଲା ଏ ମୋ ସଙ୍ଗରେ ଅଛି, ମୋଠାରୁ ଦୀକ୍ଷା ନେବ ବୋଲି ପ୍ରଥମେ ଆସି ମୋତେ କହିଲା; ମାତ୍ର ମନ୍ତ୍ରଗ୍ରହଣର ଉପଯୁକ୍ତ ହୋଇ ନ ଥିବାରୁ, ମୁଁ ଆଜିଯାଏ ଦୀକ୍ଷା ଦେଇନାହିଁ-। ପଢ଼ାଶୁଣା ମଧ୍ୟ କିଛି କରିଛି, ପିଲାଟି ଶାନ୍ତ; କିନ୍ତୁ ଏଡ଼େ ମିଥ୍ୟାବାଦୀ । ପ୍ରଥମେ ଆସି କହିଲା–ମୋର ନାମ ରଘୁନାଥ, ମୁଁ ଜାତିରେ ଭଣ୍ଡାରୀ, ମୁଁ ସ୍ୱଇଚ୍ଛାରେ ଘରୁ ବାହାରିଆସିଅଛି । ସଂସାର ମୋତେ ଭଲ ଲାଗିଲା ନାହିଁ । ମୁଁ ଆପଣଙ୍କଠାରୁ ଦୀକ୍ଷା ନେଇ ଭଗବାନଙ୍କର ଶରଣାପନ୍ନ ହେବି । ସାଧୁଙ୍କର କଥା ନ ସରୁଣୁଁ ଚେଲାଟି କାନ୍ଦିପକାଇ କହିଲା । ‘‘ହଁ ଗୁରୁଦେବ, ମୁଁ ଯାହା କହିଛି ତାହା ସତ । ମୁଁ କାହାର ଜୁଇଁ ନୁହେଁ । ମୁଁ ଆଦୌ ବିବାହ କରି ନାହିଁ । ଏମାନେ ମିଛରେ କହି ମୋତେ ଫାନ୍ଦରେ ପକାଇବାକୁ ବସିଛନ୍ତି । ମୁଁ ଏମାନଙ୍କୁ ଚିହ୍ନେ ନାହିଁ । କି ଏ ଗାଁ କେବେ ଦେଖି ନାହିଁ ।’’ ସାଧୁ କ୍ରୁଦ୍ଧ ହୋଇ କହିଲେ–‘‘ନିଜେ ମିଥ୍ୟାବାଦୀ ପୁଣି ଭଦ୍ର ଲୋକଙ୍କୁ ମିଥ୍ୟାବାଦୀ ବୋଲି କହୁଛୁ ? ପାପିଷ୍ଠ ଏହିକ୍ଷଣି ମୋ ଆଗରୁ ଦୂର ହ ।’’ ସାଧୁଙ୍କର ଗର୍ଜନ ଶୁଣି ଅନେକ ଲୋକ ଆସି ସେଠାରେ ରୁଣ୍ଡହେଲେ । ସମସ୍ତେ କହିଲେ–ହଁ ଏ ବୈଦ୍ୟଭୂଷଣଙ୍କ ଜୁଇଁ । ରାଜଗୁରୁ ଆଖି ଲାଲ କରି କହିଲା–ବନମାଳି ଉଠ ଘରକୁ ଚାଲ ନ ହେଲେ ରାଜାଙ୍କ ଛାମୁକୁ ନେଇଯିବି । ଦଶପଳିଆ ଢିପାଳି ପୁଞ୍ଜାକେତେ ପିଠିରେ ବସିଲେ ତେବେ ଥିରକରି ଯିବୁ । ରଘୁନାଥ କହିଲା ଯାହା କରିବାରେ କର ପଛେ, ମୁଁ କେବେ କେଉଁଠିକି ଯିବି ନାହିଁ-। ପୁରୋହିତେ ନୀରବରେ ସବୁ ଶୁଣୁଥିଲେ, ରଘୁନାଥର କଥା ଶୁଣି କହିଲେ–‘‘ଯିବୁନାହିଁ କିଏ ଅଛିରେ ଧରିବଟି କିମିତି ଯିବନାହିଁ ।’’ ତହୁଁ ଜନତା ମଧ୍ୟରୁ କେତେଜଣ ବାହାରି ଆସି ଚିଲ ମାଛକୁ ଝାମ୍ପି ନେଲାପରି ରଘୁନାଥକୁ ଟେକି ବୈଦ୍ୟଭୂଷଣଙ୍କ ଘରକୁ ନେଇଗଲେ । ରଘୁନାଥ ଯେତେ କନ୍ଦାକଟା କଲା କେହି ଶୁଣିଲେ ନାହିଁ ।

ପଦ୍ମାବତୀ ଦେଖି ଜୁଇଁ ବୋଲି ଚିହ୍ନିଲେ । କାନ୍ଦ ପକାଇ କହିଲେ–‘‘ବାପ, ତୁମକୁ ଝିଅ ଦେଇ ପୁଅ କରିଛୁ, ଶଶୁର କଅଣ ପଦେ କହିଲେ ବୋଲି ଘରୁ ଚାଲିଗଲ । ତୁମ ମନ କି ଗୋଳାଇ ଘାଣ୍ଟି ହେଲାନାହିଁ ।’’ ରଘୁନାଥ ପଦ୍ମାବତୀଙ୍କ ଗୋଡ଼ତଳେ ପଡ଼ିଯାଇ କାତର ସ୍ୱରରେ କହିଲା–‘‘ମା, ତୁମେ ଭୁଲ କରୁଛ, ମୁଁ ତୁମ ଜୁଇଁ ନୁହେଁ ।’’ ଏଥିମଧ୍ୟର ଗାଁ ଯାକର ଲୋକ ଆସି ସେଠାରେ ସମବେତ ହୋଇଥିଲେ, ରଘୁନାଥର କଥା ଶୁଣି ସମସ୍ତେ ଗର୍ଜି ଉଠି କହିଲେ–‘‘ଆମର କଅଣ କାହାରି ଆଖିନାହିଁ, ଆମେ ଆଉ ଚିହ୍ନି ପାରୁନାହୁଁ ? ଆଉ ଅଧିକ ଚାତୁରୀ ଖେଳୁଛୁ କାହିଁକି ? ଘରେ ରହି ଘରକରଣା କର, ଛି ‘ସେ ଚଗଲା ବୁଦ୍ଧି ଛାଡ଼ି ଦେ ।’’ ରଘୁନାଥ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା; ମାତ୍ର କେହି ତାହା କଥା ଶୁଣିଲେ ନାହିଁ; ଅଧିକନ୍ତୁ ଥଟା କରିବାକୁ ଲାଗିଲେ । କେହି କେହି ତୀବ୍ର ଭର୍ତ୍ସନା କଲେ । ରଘୁନାଥ ନିରୁପାୟ, ଆଉ ସେ କଅଣ କରିବ, ଦୀର୍ଘ ନିଶ୍ୱାସ ପକାଇ ମନେ ମନେ କହିଲା–‘‘ଭଗବାନ କି ପାପରେ ମୋର ଏ ଶାସ୍ତି ପ୍ରଭୁ ? ତୁମ୍ଭ ଛଡ଼ା ମୋର ଆଉ କେହି ସାହା ନାହିଁ, ଏ ସଙ୍କଟରୁ ଉଦ୍ଧାର କର ଦୀନବନ୍ଧୁ । ସଂସାର କି ଏହିପରି ଅନ୍ଧ, ଏହିପରି ଅବିଶ୍ୱାସ–ଅନ୍ଧ ବିଚାର କି ଏ ସଂସାରର ରୀତି ? ମୋର କିଛି ଚାରା ନାହିଁ, ମୁଁ ଅକର୍ତ୍ତବ୍ୟ, ଏ ଅପରିଚିତ ରାଜ୍ୟରେ କିଏ ମୋର ସହାୟ ହେବ–କିଏ ବା ମୋର କଥା ଶୁଣିବ । ଏ ବିଚାର ଭାର ମୁଁ ତୁମ୍ଭରି ଉପରେ ଦେଲି । ମୋର କ୍ଷୁଦ୍ର ହୃଦୟରେ ବଳ ଦିଅ ପ୍ରଭୋ, କଷ୍ଟ ସହିବାର କ୍ଷମତା ଦିଅ, ସତ୍ୟର ଜୟ ହେଉ । ମୁଁ ଅନାଥ, ବିପନ୍ନ, କଅଣ କରିପାରିବି । ଅଦୃଷ୍ଟରେ ଯାହା ଘଟୁ ପଛେ, ତୁମ୍ଭଙ୍କୁ ସାକ୍ଷୀ କରି ମୁଁ ଅକାତରରେ ସବୁ ସହିବି । ଏହାଛଡା ମୋର ଅନ୍ୟ ଉପାୟ ନାହିଁ । ହା, ଗୁରୁଦେବ, ଏ ମିଥ୍ୟା ପ୍ରତାରଣାକୁ ତୁମ୍ଭେ ବି ବିଶ୍ୱାସ କଲ, ଏ ଅଧମ କିଙ୍କରକୁ ତ୍ୟାଗ କଲ, ସବୁ ମୋର ଦୁର୍ଭାଗ୍ୟର ଦୋଷ ।’’

ଯେଉଁଠାରେ ବାକ୍ୟବ୍ୟୟ ନିଷ୍ଫଳ, ସେଠାରେ ନୀରବତା ହିଁ ଶ୍ରେୟ; ସୁତରାଂ ରଘୁନାଥ ନୀରବ ରହିଲା । ବୈଦ୍ୟଭୂଷଣଙ୍କର ଆଦେଶରେ ଜଣେ ଭଣ୍ଡାରୀ ଆସି ରଘୁନାଥକୁ ତେଲ ଲଗାଇଦେଲା । ଗାଧୋଇଦେଇ ଭଲ ଲୁଗା ଆଣି ପିନ୍ଧାଇ ଦେଲା । ଅନିଚ୍ଛାସତ୍ତ୍ୱେ ରଘୁନାଥ ଖାଇବାକୁ ଗଲା । ସେ ଆଉ କିଛି ନିଜର ଆପତ୍ତି ନ କରି ଯନ୍ତ୍ର ଚାଳିତ ପରି ସବୁ କରିବାକୁ ଲାଗିଲା-। ରାତିରେ ଯେଉଁ ଘରେ ଶୋଇଲା; ମଙ୍ଗଳା ସେ ଘରକୁ ଆସିଲା ।

ରଘୁନାଥ ତାକୁ ଦେଖି ସ୍ତମ୍ଭିତ ହୋଇ ରହିଲା । ମନେ ମନେ ଭାବିଲା ଏ ନାରୀ ନା ପିଶାଚୀ । ଭଗବାନଙ୍କୁ ସ୍ମରଣ କରି କହିଲା–‘‘ହରି, ଏ କି ପରୀକ୍ଷା ? ତେବେ ସତେ କଣ ମୋ ଭାଗ୍ୟରେ ଅଧଃପତନ ଘଟିବ । ତ୍ରାହି ମଧୁସୂଦନ, ରକ୍ଷାକର ଅନାଥ ନାଥ ।’’ ରଘୁନାଥ ମଙ୍ଗଳାକୁ କିଛି କହିଲା ନାହିଁ; କି ମଙ୍ଗଳା ରଘୁନାଥକୁ କିଛି କହିଲା ନାହିଁ । ମଙ୍ଗଳା ଗମ୍ଭୀରୀ ଭିତରେ ଯାଇ ଶୋଇଲା; ମାତ୍ର ରଘୁନାଥ ଆଖିରେ ନିଦନାହିଁ । ସେ ନାନା ଦୁଶ୍ଚିନ୍ତାରେ ବସି ବସି ରାତି କଟାଇ ଦେଲା । ତହିଁ ପରଦିନ ରାତ୍ରରେ ରଘୁନାଥ ଶୋଇବାକୁ ଗଲା, ମଙ୍ଗଳା ତାହା ପାଖରେ ଠିଆହୋଇ ନୀରବରେ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲା । ରଘୁନାଥ ତାହା ଦେଖି କହିଲା–‘‘କାହିଁକି କାନ୍ଦୁଛ ମା, ମୁଁ ତୁମ୍ଭର ସ୍ୱାମୀ ନୁହେଁ ।’’ ମଙ୍ଗଳା ଚମକି ଉଠିଲା, ଭାବିଲା ‘‘ଏ କଅଣ ମାତୃସମ୍ୱୋଧନ । ପୁଣି କହୁଛି, ସ୍ୱାମୀ ନୁହେଁ, ତେବେ ଏ କିଏ ? ବାପା ମା କଅଣ ଭୁଲରେ ଏହାକୁ ଜୁଇଁ ବୋଲି ଜ୍ଞାନ କରିଛନ୍ତି ? ସେ ଆଉ କାନ୍ଦିବ କଅଣ, ଲୁଗା କାନିରେ ଲୁହ ପୋଛିଦେଇ ବିସ୍ମୟମ୍ଳାନ ଦୃଷ୍ଟିରେ ରଘୁନାଥର ମୁହଁକୁ ଚାହିଁ ପଚାରିଲା–‘‘ତେବେ ତୁମ୍ଭେ କିଏ?’’

ରଘୁନାଥ କହିଲା–‘‘ମୁଁ ଜଣେ ସନ୍ନ୍ୟାସୀ, ତୁମ ବାପ ମା ଆଉ ଗାଁ ଲୋକେ ଚିହ୍ନି ନପାରି ମୋତେ ଏ ଆପଦରେ ପକାଇ ଅଛନ୍ତି । ମୁଁ ଯେତେ କହିଲି ମୋ କଥା କେହି ଶୁଣିଲେ ନାହିଁ ।’’ ମଙ୍ଗଳା ଏହାଶୁଣି କାଠ ହୋଇଗଲା । ବ୍ରହ୍ମତାଳୁକାରେ ଶତ ବୃଶ୍ଚିକର ଦଂଶନ ଯନ୍ତ୍ରଣା ଅନୁଭବ କଲା, ତାହା ମସ୍ତକରେ ଆକାଶ ଭାଙ୍ଗିପଡ଼ିଲା । ସେ ଆଉ କିଛି ନ କହି ଚଞ୍ଚଳ ସେ ଘରୁ ବାହାରି ଚାଲିଗଲା ।

•••

 

ଦଶମ ପରିଚ୍ଛେଦ

 

ମଙ୍ଗଳା ଅନ୍ୟ ଘରେ ଯାଇ ଶୋଇଲା; ମାତ୍ର ଅନେକ ବେଳଯାଏଁ ନିଦ ହେଲା ନାହିଁ । ଆଗନ୍ତୁକର କଥା ସତ୍ୟ କି ଛଳନା, ଏହି ଚିନ୍ତା ତାକୁ ଅସ୍ଥିର କରିପକାଇଲା । ଶେଷରେ ଭାବିଲା–‘‘ଛଳନା କାହିଁକି ହେବ, ସେ ତ ମା ବୋଲି କହିଲା । ଭାର୍ଯ୍ୟାକୁ ମା ବୋଲି କହିବାକୁ ତ କଉଁ ଗେରସ୍ତର ତୁଣ୍ଡରେ ଆସିବ ନାହିଁ । ତେବେ ଏ କଅଣ ସେ ନୁହେଁ । ସେହି ଧାଇଚା ତ ଦିଶୁଛି, ଯେବେ ସେ ନ ହୋଇଥାଏ ତେବେ ? ଠାକୁରେ, କି ହଟହଟାରେ ମୋତେ ଆଣି ପକେଇଲ । ଯେବେ ସେ ନ ହୋଇଥାଏ, ତେବେ ମୁଁ କଳଙ୍କସାଗରରେ ବୁଡ଼ିଲି । ହାୟ ମୁହଁ ଦେଖାଇବାକୁ ବି ମୋର ରାହା ରଖିଲ ନାହିଁ ଭଗବାନ ।’’ ମଙ୍ଗଳା ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇଲା, ସେ ନିଶ୍ୱାସ ତାହାର ଅସ୍ଥିପଞ୍ଜର ଚୂର୍ଣ୍ଣ କରି ବାହାରିଆସିଲା ପରି ବୋଧ ହେଲା । କିଛିକ୍ଷଣ ପରେ ପୁଣି ମନେ ମନେ କହିଲା–‘‘ନା, ବାପା କଅଣ ଚିହ୍ନି ପାରି ନାହାନ୍ତି, ଏ କଥା ତ ପରତେ ହଉନାହିଁ । ଏଡ଼େ ଭୁଲ କି କାହାର ହୁଏ ।’’ ଏହିପରି ଭାବୁଁ ଭାବୁଁ ସେ ନିଦ୍ରିତ ହୋଇପଡ଼ିଲା ।

ରାତି ପାହିଆସିଲା, ଦେବାଳୟରେ ମଙ୍ଗଳ ଶଙ୍ଖ ସୁପ୍ରଭାତ ଘୋଷଣା କଲା । କୁକୁଟ ମୁକୁଟ ଟେକି ଉଚ୍ଚାଟ ସ୍ୱରରେ ରଟିଲା । ଉଷା ମୁକୁଟର ପ୍ରବାଳରାଗରେ ପୂର୍ବଦିଗ ରଞ୍ଜିତ ହେଲା । ଦେଖୁଁ ଦେଖୁଁ ସୂର୍ଯ୍ୟ ଉଦିତ ହେଲେ । ସୃଷ୍ଟିର ଜୀବନ-ସ୍ରୋତ ନୂତନ ଭାବରେ ପ୍ରବାହିତ ହେଲା । ହର୍ଷ ଏବଂ ଆନନ୍ଦରେ ପୃଥିବୀ ଉଛୁଳିଉଠିଲା । ରୁଦ୍ଧ କର୍ମ-ସ୍ରୋତ ପୁନଶ୍ଚ ଚଞ୍ଚଳ ଗତିରେ ପ୍ରବାହିତ ହେଲା । ହଳିଆ ହଳ, ବଳଦ ଘେନି ବିଲକୁ ବାହାରିଲା । ଗୃହସ୍ଥ ଗାଈ ଦୁହିଁସାରି, ଗୋରୁ ବାଛୁରୀ ଫିଟାଇ ଦେଲା । କେହି ଚକମକି ଝାଡ଼ି ପିକା ଟାଣିବାକୁ ଲାଗିଲା । କାନ୍ଦୁଣିଆ ପିଲାଏ ସକାଳୁ ଉଠି ପିଣ୍ଡାରେ ବସି କାନ୍ଦିଲେ । ସେମାନଙ୍କ ମା ମାନେ ତାଙ୍କୁ ଭୁଜା ଚୂଡ଼ା ଦେଇ ପ୍ରବୋଧ କଲେ । ଯାହାର ଜଞ୍ଜାଳିଆ ପିଲା ପ୍ରବୋଧ ନମାନିଲା, ତାହାର ମା ତା’ ପିଠିରେ ଚାପୁଡ଼େ କସିଦେଲା । ପିଲାଟା ଭେଁ ଭେଁ ହୋଇ ହାତ ଗୋଡ଼ କଚାଡ଼ି ଅଧିକ କାନ୍ଦିବାକୁ ଲାଗିଲା । ପାଠଶାଳା ହାଟ ପରି ଘୋ-ଘୋ ଡ଼ାକିଲା । ପିଲାଏ ବଡ଼ ପାଟିରେ ଡ଼ାକି ପାଠ ଲେଖିଲେ । କେହି କହିଲା ‘‘ଚାରିକେ ଚାରିକେ ଚାରିକେ ଚାରିପଣ ।’’ କେହି କହିଲା–‘‘ପ-ଫ-ବ-ଭ-ମ ।’’ କେହି କହିଲା–‘‘ଅବଧାନେ ଏକ ।’’ ଅବଧାନେ ବେତଧରି ସମସ୍ତଙ୍କ ପିଠିରେ ପାହାରେ ପାହାରେ କଷିଦେଇଗଲେ । ପିଲାମାନେ ଗୁରୁଙ୍କର ଏହି ପ୍ରସାଦ ଲାଭ କରି ଚେଁ-ମେଁ-କେଁ ହୋଇ ଉଠିଲେ ଏବଂ ତରତର ହୋଇ ପାଠ ଗୁଡ଼ାକ ଗିଳି ପକାଇବାକୁ ଲାଗିଲେ । ପ୍ରଭାତ ବର୍ଣ୍ଣନା ଏବେ ଏତିକି ଥାଉ । ସ୍ୱଭାବୋକ୍ତି ଖୁବ୍‌ ରୁଚିକର ହୁଏ; କିନ୍ତୁ ମାତ୍ରା ଅଧିକ ହେଲେ ପୁଣି ଅରୁଚା ଧରିଯାଏ । ଅତିମିଠା ଭଲ ନୁହେଁ, କି ଅତି ଖଟା–ଅତି ପିତା ବି ଭଲ ନୁହେଁ । ଅତି ଶବ୍ଦଟା ସବୁଠାରେ ମନ୍ଦ; କେବଳ ଅତି ପରମାୟୁ, ଅତି ସମ୍ପଦ, ଅତି ପ୍ରାଧାନ୍ୟ ଏଗୁଡ଼ିକ ମନ୍ଦ ନୁହେଁ, ଏହା ଲୋକଙ୍କର ସ୍ପୃହଣୀୟ ।

ଦିନଘଡ଼ିକ ବେଳେ ଖଣ୍ଡେ ବଳଦଗାଡ଼ି ଆସି ରଜାଙ୍କ ସିଂହଦ୍ୱାର ପାଖରେ ରହିଲା । ଜଣେ ଭଦ୍ର ବ୍ୟକ୍ତି ଗାଡ଼ିରୁ ଓହ୍ଲାଇ ଆସି ଜାମା ଖୋଳରୁ ଟଙ୍କାଟିଏ ବାହାର କରି ଗାଡ଼ିଆଳକୁ ଦେଲେ । ଗାଡ଼ିଆଳ ବିଦାୟ ହୋଇଗଲା । ଭଦ୍ର ଲୋକଟି ଆସି ଘାଟ ପାଇକକୁ କହିଲା–‘‘ମୁଁ ରାଜାଙ୍କ ପାଇଁ କିଛି ଉପହାର ଆଣିଛି । ସାକ୍ଷାତରେ ତାହା ଦେବି ଏକଥା ରାଜାଙ୍କୁ ଜଣାଅ ।’’ ରାଜା ସାଆଣମେଲାରେ ବିଜେ ହୋଇଥିଲେ । ରାଜଗୁରୁ ରାଜପୁରୋହିତ ଛଡ଼ା ଆଉ କେହି ସେଠାରେ ଥିଲେ ନାହିଁ । ଘାଟ ପାଇକ ଯାଇ ଦ୍ୱାର ପାଇକକୁ କହିଲା–ଦ୍ୱାର ପାଇକ ଛାମୁ ପାଇକକୁ କହିଲା, ସେ ଯାଇ ଛାମୁରେ ଜଣାକଲା । ଏହିପରି ତିନି ସେଣାରେ ପାଣି ଉଠି ରାଜାଙ୍କ ପାଖକୁ ସମ୍ୱାଦ ଯାଏ । ତହୁଁ ଘାଟ ପାଇକକୁ ହକରା ହେଲା । ରାଜା ତାକୁ ପଚାରିଲେ–‘‘କିଏ ଆସିଛି ରେ ?’’ ସେ କହିଲା–‘‘କିଏ କେଜାଣି ମହାପ୍ରଭୁ, ଜଣେ ବାବୁ ପରି ଦିଶୁଛନ୍ତି । ମୁହଁରେ ନିଶ ଦାଢ଼ୀ ଅଛି ।’’ ରାଜା କହିଲେ–‘‘ଯା ଡାକିଆଣ ।’’ ପାଇକ ‘‘ଆଜ୍ଞା ମଣିମା’’ କହି ସେଠାରୁ ଚାଲିଗଲା ଏବଂ ଅଳ୍ପକ୍ଷଣ ପରେ ଭଦ୍ରଲୋକଟିକୁ ସଙ୍ଗରେ ଘେନି ଫେରିଆସିଲା । ଆଗନ୍ତୁକ ରାଜାଙ୍କୁ ପ୍ରଣାମ କରି, ରାଜଇଙ୍ଗିତରେ ଆସନ ଗ୍ରହଣ କଲେ । ରାଜା, ରାଜଗୁରୁ, ପୁରୋହିତ ତିନିହେଁ ଯାକ ଆଗନ୍ତୁକର ମୁହଁକୁ ଚାହିଁ ରହିଲେ । ଆଗନ୍ତୁକ ପରିଚ୍ଛଦ ମଧ୍ୟରୁ ଗୋଟିଏ ଛୋଟ ଟିନ୍‌ବାକ୍‌ସ ବାହାର କରି ବାକ୍‌ସଟି ଫିଟାଇ ରାଜାଙ୍କ ପାଖରେ ନେଇ ଥୋଇଦେଲେ । ସେଥିରେ ଗୋଟିଏ ସୁନ୍ଦର ସ୍ୱର୍ଣ୍ଣ ମୁକୁଟ ଏବଂ ଗୋଟିଏ ହୀରା ବସା ମୁଦି ଥିଲା । ରାଜା ତାହା ଦେଖି ପଚାରିଲେ–‘‘ଏ କଣ ?’’ ଭଦ୍ରଲୋକଟି କହିଲେ–‘‘ଛାମୁଙ୍କ ଇଷ୍ଟଦେବ ‘ରମାକାନ୍ତ’ ମହାପ୍ରଭୁଙ୍କ ପାଇଁ ଏହି ମୁକୁଟ ଟି ଆଣିଛି; ଆଉ ଏ ମୁଦିଟି ଛାମୁରେ ଭେଟିବାକୁ ଆଣିଛି ।

ରାଜା–ତମେ ଠାକୁରଙ୍କ ପାଇଁ କାହିଁକି ମୁକୁଟ ଆଣିଛ ?

ଭଦ୍ର–ମୋର ମାନସିକ ଥିଲା । ମୁଁ ଘରୁ ଯିବାବେଳେ ରମାକାନ୍ତଙ୍କୁ ଧ୍ୟାନ କରି କହିଥିଲି–ମୋର ଯାତ୍ରା ଶୁଭକର ହେଲେ ମୁଁ କିଛି ତାଙ୍କ ପାଇଁ ଆଣିବି ।

ରାଜା–ତମେ କେଉଁଠାକୁ ଯାଇଥିଲ ?

ଭଦ୍ର–ଆଜ୍ଞା, ଟ୍ରାନ୍‌ସଭାଲ ।

ରାଜା–ସେ କେଉଁଠି ?

ଭଦ୍ର–ଦକ୍ଷିଣ ଆଫ୍ରିକାରେ ଟ୍ରାନ୍‌ସଭାଲ ବୋଲି ରାଜ୍ୟ ଅଛି । ତାକୁ ବୁର୍‌ ଦେଶ ବୋଲି କହନ୍ତି । ସେ ରାଜ୍ୟର ରାଜଧାନୀ–ପ୍ରିଟୋରିଆ, ସେଠି ସୁନା ଖଣି ଅଛି । ମୁଁ ସେହି ସୁନାଖଣିରେ କାମ କରେଁ ।

ରାଜା ଅତ୍ୟନ୍ତ କୌତୁହଳୀ ହୋଇ ଏକାନ୍ତ ଆଗ୍ରହରେ–‘‘ତମେ କିମିତି ଗଲ, ସୁନାଖଣି କିମିତି, ତମେ କି କାମ କର, ସେ ମୁଲକର ଲୋକେ କିମିତି କା, ସେମାନେ କଅଣ ଖାଆନ୍ତି ? ଏହିପରି ଅନେକ ପ୍ରଶ୍ନ ଏକ ନିଃଶ୍ୱାସରେ ପଚାରିଲେ । ଭଦ୍ରଲୋକଟି କହିଲା–‘‘ମୁଁ ପ୍ରଥମେ ରେଙ୍ଗୁନ ଗଲି । ସେଠି ଯେତେ ଓଡ଼ିଆ ଅଛନ୍ତି, ସେମାନଙ୍କର ଚିଠି ପତ୍ର ଲେଖିଦେଇ ବେଶ୍‌ ଚାରିପଇସା ଉପାର୍ଜନ କଲି । ସେଠି ଛ ମାସ ରହି ଜଣେ ସାହେବ ସଙ୍ଗରେ ଆଫ୍ରିକା ଚାଲିଗଲି । ସାହେବ ସେଠା ସୁନା ଖଣିର ଜଣେ ବଡ଼ କର୍ମଚାରୀ । ସେ ଅନେକ ସମୟରେ କଲିକତା, ବୋମ୍ୱାଇ, ରେଙ୍ଗୁନ ପ୍ରଭୃତି ସ୍ଥାନକୁ ଆସନ୍ତି । ସେ ସବୁସ୍ଥାନରେ ତାଙ୍କର କାରବାର ଅଛି-। ସାହେବଟି ବଡ଼ ଦୟାଳୁ; ସବୁବେଳେ ତାଙ୍କ ମୁହଁ ହସିଲା ପରି ଦିଶେ । କି ଶୁଭ ମାହେନ୍ଦ୍ର ଯୋଗବେଳେ ସେ ମୋତେ ଦେଖିଥିଲେ କେଜାଣି; ପହିଲୁ ଦେଖା ହେବା ଦିନ ସେ ମୋତେ ଆପଣାର କରିଦେଇ କିଣିନେଲେ । ଦିନେ ସେ ସଡ଼କରେ ଯାଉଁ ଯାଉଁ ତାଙ୍କର ସୁନାଚେନ୍‌ ଛଡ଼ାଟା ଖସିପଡ଼ିଲା । ସାହେବ ତାହା ଜାଣନ୍ତି ନାହିଁ । ମୁଁ ପଛରେ ଯାଉଥିଲି, ଚେନ୍‌ ଛଡ଼ାଟି ନେଇ ସାହେବଙ୍କୁ ଦେଲି । ଏତିକିରେ ସେ ମୋ ପ୍ରତି ମହା ସନ୍ତୁଷ୍ଟ ହୋଇ କହିଲେ, ତୁ କିଏ, କଅଣ କରୁ, ଘର କେଉଁଠି, ତୋର ଆଉ କିଏ ଅଛି ? ଏହିପରି କେତେ କଥା ପଚାରିଲେ । ମୁଁ ସବୁ କହିଲି; ତହୁଁ ବେଶି ଟଙ୍କା ଦେଲେ । ତାଙ୍କ ଦେଶକୁ ଯିବି କି ନାହିଁ ବୋଲି ପଚାରିଲେ ଏବଂ ତାଙ୍କ ଦେଶରେ ସୁନାଖଣି ଅଛି ବୋଲି କହିଲେ । ସୁନାଖଣି ଦେଖିବାକୁ ମୋର ଭାରି ଇଚ୍ଛା ହେଲା । ମୁଁ ହଁ ଭରିଲି, ସାହେବ ମୋତେ ସାଙ୍ଗରେ ନେଇଗଲେ, ସେ ଦେଶରେ ବନ୍ୟ ଜାତିଙ୍କୁ କାଫ୍ରି କହନ୍ତି । ସେମାନେ ସୁନାଖଣିରେ କାମ କରନ୍ତି । ଖଣିରୁ ବାହାରିଲାବେଳେ ସୁନା ମାଟି ସାଙ୍ଗରେ ମିଶିଥାଏ, ତାକୁ ଧୋଇ ଧୋଇ ସେଥିରୁ ସୁନାରେଣୁ ବାହାର କରନ୍ତି । ମୁଁ ସୁନାଖଣିର ପ୍ରହରୀ ଥିଲି । ଖୁବ୍‌ ବିଶ୍ୱାସୀ ଲୋକ ଛଡ଼ା ଆଉ କାହାକୁ ସେ କାମ ଦିଆଯାଏ ନାହିଁ । ସାହେବ ମୋତେ ସେହି କାମରେ ରଖାଇଦେଲେ । ମୁଁ ଯାହା ଦରମା ପାଏଁ, ତାହା ଏଠିକାର ଦେଢ଼ଶ ଟଙ୍କା ସାଙ୍ଗରେ ସମାନ ହେବ-। ସେ ଦେଶରେ ଢେର ମକା ଚାଷ ହୁଏ । ସାଧାରଣ ଲୋକେ ମକା ଖାଆନ୍ତି । ମୁଁ ବି ସେହି ମକା ଖାଉଥିଲି । ସାହେବ ମାସେ ହେଲା କଲିକତା ଆସିଅଛନ୍ତି । ମୁଁ ତାଙ୍କ ସାଙ୍ଗରେ ଆସିଥିଲି । ଠାକୁରଙ୍କୁ ମୁକୁଟଟି ଦେବା ସକାଶେ କାଲି ରେଲରେ ଆସିଲି । ଆଜି ସକାଳେ ଷ୍ଟେସନରେ ଓହ୍ଲାଇ ଛାମୁଙ୍କ ଦର୍ଶନକୁ ଆସିଅଛି ।’’ ରାଜା ଏହା ଶୁଣି ପଚାରିଲେ–‘‘ତମେ କିଏ ? ତମ ଘର କେଉଁଠି-? ବାବୁଟି ହସି ହସି କହିଲା–‘‘ମୁଁ ଛାମୁଙ୍କର ପ୍ରଜା’’ ଅନନ୍ତର ରାଜଗୁରୁ ଏବଂ ପୁରୋହିତଙ୍କ ଆଡ଼କୁ ଚାହିଁ କହିଲା–‘‘କି ରାଜଗୁରୁ ଆପଣେ ତମେ ମୋତେ ଚିହ୍ନି ପାରୁ ନାହଁ ?’’ ରାଜଗୁରୁ ଟିକିଏ ସଙ୍କୁଚିତ ହେଲାପରି ହୋଇ କହିଲେ ‘‘ଏଁ କଉଁଠି ଦେଖିଥିଲା ପରି ଲାଗୁଛି ।’’ ପୁରୋହିତେ କହିଲେ, ‘‘ମୁଁ ବି ଟିକିଏ ଦୁଚିହ୍ନା କରୁଛି ।’’ ତହୁଁ ଭଦ୍ରଲୋକଟି ମୃଦୁ ମୃଦୁ ହସି ଧୀର ସ୍ୱରରେ କହିଲା–‘‘ମୁଁ ବନମାଳୀ ପରା, ବୈଦ୍ୟଭୂଷଣଙ୍କ ସାନ ଜୁଇଁ ।’’ ରାଜଗୁରୁ ଆଶ୍ଚର୍ଯ୍ୟ ହୋଇ କହିଲେ–‘‘କେତେ ଭେଲିଙ୍ଗି ଜାଣ ହେ ତୁମେ, ଏ ବହୁରୂପୀ ନା କଅଣ ? ଆଜି ନିଶଦାଢ଼ୀ କାହୁଁ ଆସିଲା ? କାଲି ବାବାଜି, ଆଜି ଭଦ୍ରଲୋକ ।’’ ରାଜା ପ୍ରଭୃତି ସମସ୍ତେ ବନମାଳୀର ମୁହଁକୁ ଅନାଇ ରହିଲେ । ବନମାଳୀ କିଛି ବୁଝି ନପାରି ଅତି ଆଶ୍ଚର୍ଯ୍ୟ ହୋଇ କହିଲା–‘‘କଅଣ କହୁଛ ହେ ?’’ ଏଥର ପୁରୋହିତଙ୍କର ପାଳି, ସେ କହିଲେ–‘‘କହିବେ ଆଉ କଅଣ, ତମେ ପହରି ଦିନ ଶଶୁରଘରକୁ ଯିବାକୁ ମଙ୍ଗୁ ନଥିଲ ପରା ? କାହିଁ ଆସିବାବେଳେ ତ ନିଶ ଦାଢ଼ୀ ନଥିଲା ।’’ ରାଜା ତାହାର ନିଶ-ଦାଢ଼ିକୁ ନିରୀକ୍ଷଣ କରି ଦେଖିଲେ; ମାତ୍ର ତାହା ଖଞ୍ଜା ନୁହେ । ବନମାଳୀ ଅଧିକତର ଆଶ୍ଚର୍ଯ୍ୟ ହୋଇ କହିଲା–‘‘ମୁଁ ପହରିଦିନ ଆସିଥିଲି ? କେଉଁଠିକି ଆସିଥିଲି ? ସ୍ୱପ୍ନ ଦେଖୁଛ, ନା କଅଣ ?’’ ରାଜା କହିଲେ–‘‘ହଁ ହଁ, ବୈଦ୍ୟଭୂଷଣେ କହୁଥିଲେ–ତାଙ୍କ ଜୁଇଁ ବାବାଜିଙ୍କ ସାଙ୍ଗରେ ଚେଲା ହୋଇ ଆସିଥିଲା, ସେ ତାକୁ ଧରି ନେଇଯାଇଅଛନ୍ତି ।’’ ବନମାଳୀ କହିଲେ ‘‘ନା, ମହାରାଜ, ମୁଁ ତ ଆଜି ସକାଳେ ରେଲରୁ ଓହ୍ଲାଇ ବାହାରେ ବାହାରେ ଏଠିକି ଆସିଛି; ଆଉ ବାବାଜି ଚେଲା ହେବାକୁ ଯିବି ବା କି ଦୁଃଖରେ ?’’ ଏକଥା ଶୁଣି ସମସ୍ତଙ୍କର ସନ୍ଦେହ ହେଲା । ରାଜଗୁରୁ ପୁରୋହିତେ ଆଖି ଠରାଠରି ହେଲେ । ରାଜା ତାଟଙ୍କା ହୋଇ ରହିଲେ । ସମସ୍ତଙ୍କୁ ନୀରବ ଦେଖି ବନମାଳୀ ରାଜଗୁରୁଙ୍କ ଆଡ଼କୁ ଚାହିଁ ପଚାରିଲେ–‘‘ବ୍ୟାପାର କଅଣ ରାଜଗୁରୁ ? ତହୁଁ ରାଜଗୁରୁ ଗତ ଦିନର ଘଟଣା ଆମୂଳ ପଲ୍ଲବିତ କରି ବର୍ଣ୍ଣନା କଲେ । ସମସ୍ତ କଥାଶୁଣି କ୍ରୋଧ, ଘୃଣା ଏବଂ ଲଜ୍ଜାରେ ବନମାଳୀର ମୁହଁ ଲାଲ ପଡ଼ିଗଲା, ସେ କମ୍ପିତ କଣ୍ଠରେ କହିଲେ–‘‘ତେବେ ମୁଁ ବୋଲି ଭୁଲରେ ଆଉଜଣକୁ ଜୁଇଁ କରିଛନ୍ତି ? ଯାହା କରନ୍ତୁ ମୋର କଅଣ ଗଲା । ମୁଁ ତ ତାଙ୍କ ଘରେ ରହିବା ପାଇଁ ଆସିନାହିଁ; ଏହି ମୁକୁଟ ଟି ଦେବାକୁ ଆସିଥିଲି । ଦେବଋଣ ପରିଷୋଧ କଲି, ଏବେ ଚାଲିଯିବି । ଗୃହସ୍ଥାଶ୍ରମ ପରିତ୍ୟାଗ କରି ମୁଁ ସେବାବ୍ରତ ଧାରଣ କରିଛି; ଏଣିକି ଦେଶ ସେବାରେ ଜୀବନ ଯାପନ କରିବି । ଗୋଟାଏ ଅନୁଷ୍ଠାନରେ ମଧ୍ୟ ହାତ ଦେଇଛି । ମୁଁ ଦେଢ଼ଶହ ଟଙ୍କା ଦରମା ପାଏଁ, ମୋର ପଚାଶଟଙ୍କା ଖର୍ଚ୍ଚହୁଏ । ବାକି ଶହେଟଙ୍କା ମୁଁ ପ୍ରତିମାସ ଜାତୀୟ ପାଣ୍ଠିକୁ ଦିଏଁ । ସେଥିରେ ପାଞ୍ଚଜଣ ପ୍ରବୀଣ ଶିକ୍ଷକ ନିଯୁକ୍ତ ହୋଇ ଗ୍ରାମେ ଗ୍ରାମେ ବୁଲି ସୂତାକଟା ଶିକ୍ଷା ଦିଅନ୍ତି । ମୁଁ ମଧ୍ୟ ସୂତାକଟାରେ ଆତ୍ମନିୟୋଗ କରିଅଛି, ଅବସର ବେଳେ ସୂତା କାଟେ । ଟ୍ରାନ୍‌ସ ଭାଲରେ ଅନେକ ଭାରତବାସୀ ଅଛନ୍ତି, ସେମାନେ ମଧ୍ୟ ସୂତା କାଟନ୍ତି । ସେଠାରେ ଆମ୍ଭେମାନେ ଗୋଟିଏ ଜାତୀୟ ପାଣ୍ଠି ସ୍ଥାପନ କରିଅଛୁଁ, ସେଥିର ଧନ ଭାରତୀୟ ଜାତୀୟପାଣ୍ଠିକୁ ଆସେ । ମୁଁ ପ୍ରତିଜ୍ଞା କରିଛି, ଜୀବନରେ ଯାହା ଉପାର୍ଜନ କରିବି, ତାହା ଦେଶମାତାଙ୍କ ସେବାରେ ବ୍ୟୟ କରିବି ।’’ ଅନନ୍ତର ବନମାଳୀ ଉଠି ଠିଆହୋଇ ରାଜାଙ୍କୁ କହିଲେ–‘‘ମହାରାଜ ମୁଁ ଏବେ ଛାମୁରୁ ବିଦାୟ ନେଉଛି, ପୁଣି କେବେ ଆସିଲେ ସାକ୍ଷାତ କରିବି । ଏ ଗରିବ ପ୍ରତି ଛାମୁଙ୍କର ଦୟା ଥାଉ ।’’ ଏତିକି ମାତ୍ର କହି ରାଜା, ରାଜଗୁରୁ ଏବଂ ପୁରୋହିତଙ୍କୁ ପ୍ରଣାମ କରି କେହି କିଛି କହିବା ପୂର୍ବରୁ ଶୀଘ୍ରଗତିରେ ସେଠାରୁ ପ୍ରସ୍ଥାନ କଲେ । ରାଜା ଏବଂ ତାଙ୍କର ପାରିଷଦ ଦ୍ୱୟ ଚିତ୍ର ପୁତ୍ତଳୀ ପରି ଚାହିଁ ରହିଲେ । କାହାରି ମୁହଁରୁ ଭାଷା ବାହାରିଲା ନାହିଁ-

ଦଣ୍ଡକ ମଧ୍ୟରେ ଏ କଥା ଗଡ଼ସାରା ରାଷ୍ଟ୍ରହୋଇଗଲା । ସମସ୍ତେ କୁହାକୁହି ହେଲେ ବୈଦ୍ୟଭୂଷଣେ ଯାହାକୁ ଧରିନେଇଯାଇଥିଲେ ସେ ତାଙ୍କ ଜୁଇଁ ନୁହେ । ଅସଲ ଜୁଇଁ ବନମାଳୀ ଆଜି ସକାଳେ ଆସିଥିଲା । ରାଜାଙ୍କୁ କେତେ ସୁନା ଗହଣା, ହୀରା, ନୀଳା, ମୋତି, ମାଣିକ୍ୟ ଭେଟିଦେଇ ରାଜାଙ୍କ ସାଙ୍ଗରେ କଥାବାର୍ତ୍ତା କଲା । ବୈଦ୍ୟଭୂଷଣଙ୍କ କରଣୀ ଶୁଣି ଆଉ ରହିଲା ନାହିଁ–ପଳାଇଲା, ସେ ଏବେ ମସ୍ତ ବଡ଼ଲୋକ; ଦେଢ଼ଶ ଟଙ୍କା ଦରମା ପାଏ । କଉଁ ସାଇବ ମୁଲୁକରେ ଯାଇ ସୁନାଖଣିରେ ଚାକିରୀ କରିଛି । ଅନେକେ ଏଘଟଣାକୁ ନେଇ ଆମୋଦ କରିବସିଲେ । କେହିକହିଲା ‘‘ଛି ଛି ଏ କି କଳଙ୍କ, କଅଣ ଚିହ୍ନିପାରିଲେ ନାହିଁ ?’’ କେହି କହିଲା,‘‘ମୁଁ ଏକା ମୂଳରୁ ଜାଣେ–ତାହାରି ପରି ଦିଶୁଛି, ହେଲେ ସେ କେବେ ନୁହେ ।’’ ଅନ୍ୟ କେ କହିଲା ‘‘ମୁଁ ବି ସେହି ଧୋକା କରିଥିଲି; ମାତ୍ର ବଡ଼ଘର କଥା କିଏକାଳେ କଅଣ ମନରେ କରିବ, ଏହି ଭୟରେ କହିଲି ନାହିଁ । ସ୍ତ୍ରୀ ସମାଜରେ ତ ଯାତ୍ରା ଲାଗିଗଲା । କିଏ କେତେ ଅଙ୍ଗଭଙ୍ଗୀ ଦେଖାଇଲା । କିଏ କେତେ ଛଟା ମେଲିଲା- କିଏ କେତେ ବିଦ୍ରୂପ କଲା, ଏହିପରି ନାନା ଲୀଳା ଲାଗିଲା–କେହି କହିଲା ‘‘ଆଉ କେହି ଜାଣି ଚିହ୍ନି ନ ପାରିଲା, ସେ କନକୁସୀ କାଳିମୁହୀଁଟା ବି ଆପଣା ଗେରସ୍ତକୁ ଚିହ୍ନିଥିଲା ନାହିଁ ନା ? ମରଣ ନାହିଁ ରାଣ୍ଡ ହଟହଟିକି ।’’ କେହି କହିଲା–‘‘ଯେସାକୁ ତେସା ଖୁବ୍‌ ହେଲା ଆଚ୍ଛାହେଲା ଘଇତାକୁ ଘଉଡ଼ୁ ।’’ ଏହିପରି ବାର ଲୋକେ ବାର କଥା କହିଲେ । କ୍ରମେ ସ୍ୱୟଂ ସସ୍ତ୍ରୀକ ବୈଦ୍ୟଭୂଷଣଙ୍କର ଏକଥା କର୍ଣ୍ଣଗୋଚର ହେଲା । ତାଙ୍କ ମୁଣ୍ଡରେ ଆକାଶ ଭାଙ୍ଗି କୁଢ଼େଇ ପଡ଼ିଲା; ତଥାପି ବୈଦଭୂଷଣେ ଅବିଶ୍ୱାସକରି ରାଜାଙ୍କ ସମୀପକୁ ଧାଇଁଲେ । ସେ କିଛି ନ କହୁଣୁ ରାଜା ତାଙ୍କୁ ଦେଖି କହିଲେ–‘‘କି ବୈଦ୍ୟଭୂଷଣେ ତମ ଆଖି କଣ ଫୁଟିଯାଇଥିଲା ଯେ ଜୁଇଁ ବୋଲି ଗୋଟାଏ ଭଣ୍ଡାରୀକି ଧରିନେଇଗଲ ?’’ ବୈଦ୍ୟଭୂଷଣେ ଆଉ କହିବେ କଅଣ ଲଜ୍ଜାରେ ମୁହଁପୋତି ଫେରି ଆସିଲେ । ଦୁଇ ହାତ ମୁଣ୍ଡରେ ଦେଇ ଘରେ ବସିପଡ଼ି ଗୃହିଣୀକୁ କହିଲେ–‘‘ସର୍ବନାଶ ଏ ଆମର ଜୁଇଁ ନୁହେ ।’’ ଗୃହିଣୀ ଧପ୍‌ କରି ବସିଗଲେ ତାଙ୍କ ତୁଣ୍ଡରେ ଭାଷା ନାହିଁ । ରଘୁନାଥ ଏହା ଶୁଣି ଆନନ୍ଦରେ କାନ୍ଦିପକାଇଲା । ବାଷ୍ପରୁଦ୍ଧ କଣ୍ଠରେ ଭକ୍ତିଗଦ୍‌ଗଦ ସ୍ୱରରେ କହିଲା–‘‘ଭଗବାନ୍‌ ତୁମ୍ଭର ଏ କି ଅଗ୍ନି ପରୀକ୍ଷା ? ହେଉ ପ୍ରଭୁ ହେଉ, ତୁମ୍ଭର ମଙ୍ଗଳ ଇଚ୍ଛା ପୂର୍ଣ୍ଣ ହେଉ, ମୋର ଆଉ ଯଦି କିଛି ପାପ ଥାଏ ତାହାର ବି ପ୍ରାୟଶ୍ଚିତ୍ତ ହେଉ ।’’ ଅନନ୍ତର ଭଗବାନଙ୍କ ଉଦ୍ଦେଶ୍ୟରେ ଅଷ୍ଟାଙ୍ଗ ଲୋଟାଇ ଦଣ୍ଡବତ କରି ବୈଦ୍ୟଭୂଷଣଙ୍କ ଘରୁ ବାହାରି ଚାହିଗଲା ।

ମଙ୍ଗଳା ଶୁଣିଲା କ୍ଷଣି ମୂର୍ଚ୍ଛିତ ହୋଇପଡ଼ିଲା । ବହୁ ଯତ୍ନରେ ବହୁକ୍ଷଣ ପରେ ସେ ଚେତନା ପାଇ ଭାବିଲା–‘‘ହାୟ ଯହିଁ କି ଡରୁଥିଲି ସେହିଥିରେ ପଡ଼ିଲି । ଉଃ ମୋର ଗତି କଅଣ ହବ ? ଆଉ ଲୋକଙ୍କୁ ମୁହଁ ଦେଖାଇବି କିମିତି ? ମୁଁ ଯେ ପରପୁରୁଷର ଅଙ୍ଗ ଛୁଇଁ ନାହିଁ ଏହା କି କେହି ବିଶ୍ୱାସ କରିବ । ପୃଥ୍ୱୀ ଫାଟିଯାଉ, ମୁଁ ତାହା ଗର୍ଭରେ ଲୁଚିଯାଏ । ଏପରି ରୋଜଗାରିଆ ସ୍ୱାମୀକୁ ମୁଁ ହତମାନ କଲି । ସେ ଯାହା କହିଥିଲା–‘‘ଭଗବାନ ତୋତେ ପ୍ରତିଫଳ ଦେବେ’’ ତାହା ସତ ହେଲା । ସେ ଦେବତା, ମୁଁ ରାକ୍ଷସୀ । ଠାକୁରେ ମୋର ଦର୍ପ ଚୂର୍ଣ୍ଣକଲେ । କେତେଲୋକ ମୋ ନାରେ କେତେ ହାଟ ବସେଇବେଣି । ହାୟ ! ମୋତେ ମରଣ ନହେଲା କାହିଁକି ?’’ ଏହିପରି କ୍ରନ୍ଦନ ଏବଂ ଅନୁତାପରେ ଦିନ କଟିଗଲା । ରାତିରେ ମଙ୍ଗଳାକୁ ଭୟଙ୍କର ଜ୍ୱର ହେଲା । ଜ୍ୱର କ୍ରମେ ପ୍ରବଳଭାବରେ ବଢ଼ିଲା, ବୈଦ୍ୟଭୂଷଣେ ପ୍ରାଣପଣରେ ଚେଷ୍ଟାକଲେ । ଚିକିତ୍ସାରେ ଅଣୁମାତ୍ର ତ୍ରୁଟି ହେଲାନାହିଁ; ମାତ୍ର କାହିଁ ରେ କିଛିହେଲା ନାହିଁ । ରୋଗୀ ପ୍ରଳାପ କରିବାକୁ ଲାଗିଲା, ଆଉ ବାରମ୍ୱାର କହିବାକୁ ଲାଗିଲା–‘‘ଉଃ; କି କଠୋର ପ୍ରତିଶୋଧ ।’’ ରାତି ଶେଷ ପ୍ରହରରେ ମଙ୍ଗଳାର ଅବସ୍ଥା ଶୋଚନୀୟ ହୋଇଉଠିଲା । ସେ ଆଉ କଥା କହିପାରିଲା ନାହିଁ । ପ୍ରଭାତ ସମୟରେ ତାହାର ପ୍ରାଣ-ପକ୍ଷୀ କେଉ ଅଜ୍ଞାତ ମହାରଣ୍ୟ ଉଦ୍ଦେଶ୍ୟରେ ଉଡ଼ିଗଲା । ଅନୁତାପ ମଧ୍ୟରେ ତାହାର ଦୃପ୍ତଜୀବନର ଅବସାନ ଘଟିଲା । ଲୋକେ କହିଲେ–‘‘ସାମାନ୍ୟ ଭୁଲରେ କେଡ଼େ ଗୋଟାଏ ପ୍ରକାଣ୍ଡ ଦୁର୍ଘଟଣା ଘଟିଗଲା ।’’ ଭଣ୍ଡାରୀକୁ ଜୁଇଁ ରୂପରେ ଘରେ ରଖି ତାହା ସାଙ୍ଗରେ ଖିଆପିଆ କରିଥିବା ହେତୁ ବୈଦ୍ୟଭୂଷଣେ ସମାଜରେ ପତିତ ହୋଇରହିଲେ ।

Image